ପୃଷ୍ଠା:Aama Madhusudan.pdf/୨୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୦୩: ଏକ କ୍ରାନ୍ତିକାରୀ ସମ୍ବତ୍ସର

ବିଂଶ ଶତାବ୍ଦୀର ପୃଷ୍ଠଭୂମିରେ ୧୯୦୩ ସାଲଟି ଥିଲା ଏକ ଅବିସ୍ମରଣୀୟ କ୍ରାନ୍ତିକାରୀ ସମ୍ବତ୍ସର । ଉତ୍କଳର ଇତିହାସ ପରିପ୍ରେକ୍ଷୀରେ ଏହା ଥିଲା ଅଭ୍ୟୁଥାନର ମହିମାଦୀପ୍ତ ବର୍ଷ, ଯହିଁରୁ ସ୍ରୋତସ୍ୱିନୀ ଭଳି ଉତ୍ସରିତ ଘଟଣା ପ୍ରବାହ, ପରବର୍ତ୍ତୀ କାଳକୁ ପ୍ରଭାବିତ କରିଥିଲା । ୧୯୩୬ ରେ ନୂତନ ଓଡ଼ିଶା ପ୍ରଦେଶର ଗଠନ ଥିଲା ତାହାର ଏକ ଫଳଶ୍ରୁତି ।
୧୯୦୨ର ଶେଷ ପ୍ରାନ୍ତରେ, ଡିସେମ୍ବର ୨୨ରୁ ୨୪ ତାରିଖ ମଧ୍ୟରେ, ଅହମ୍ମଦାବାଦଠାରେ ଭାରତୀୟ ଜାତୀୟ କଂଗ୍ରେସର ସାମ୍ବତ୍ସରିକ ଅଧିବେଶନରେ ସଭାପତିତ୍ୱ କରିବା ପରେ, ସୁରେନ୍ଦ୍ର ନାଥ ବାନାର୍ଜୀ ସେହି ମାସର ଶେଷ ଭାଗରେ କଲିକତାର ଗ୍ରାଣ୍ଡ ହୋଟେଲ୍‍ରେ ଅବସ୍ଥାନ କରୁଥିବା ମଧୁସୂଦନ ଦାସଙ୍କୁ ଭେଟିଥିଲେ । ୧୯୦୩ ସାଲର ଶେଷ ଦୁଇଦିନ, ଡିସେମ୍ବର ୩୦ ଓ ୩୧ ତାରିଖରେ, ବଂଗ ପ୍ରାଦେଶିକ କନ୍‍ଫରେନ୍‍ସ (ଯାହା କଂଗ୍ରେସ ସହିତ ସଂଯୁକ୍ତ ଥିଲା)ର ଗୋଟିଏ ଅଧିବେଶନ କଟକରେ କରାଇବା ପାଇଁ ସେ ମଧୁବାବୁଙ୍କୁ କହିଥିଲେ । ମାତ୍ର ଏହି ଅଧିବେଶନରେ ସମଗ୍ର ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣଲାଗି ଏକ ପ୍ରସ୍ତାବ ଗୃହୀତ ହେବା ଜରୁରୀ ବୋଲି ପ୍ରତ୍ୟୁତ୍ତରରେ ମଧୁବାବୁ ନିବେଦନ କରିଥିଲେ । ସୁରେନ୍ଦ୍ର ନାଥ ଏଥିରେ ଉତ୍‍କ୍ଷିପ୍ତ ହୋଇ ଉତ୍ତର ଦେଇଥିଲେ- "ଏହା ଅସମ୍ଭବ", ତାଙ୍କର ଅନୁଚ୍ଚାରିତ ଉତ୍ତର ବୋଧହୁଏ ଥିଲା-"ବଂଗଭୂମିର ଅବିଚ୍ଛେଦ୍ୟ ଅଂଗ ଓଡ଼ିଶା ଡ଼ିଭିଜନର କଟକଠାରେ, ଏହିଭଳି ପ୍ରସ୍ତାବ ଗ୍ରହଣର ଆସ୍ପର୍ଦ୍ଧା ଅମାର୍ଜନୀୟ ଧୃଷ୍ଟତା ।" ଏହି ସ୍ପର୍ଶକାତର ମୁହୂର୍ତ୍ତରେ ନବ ଓଡ଼ିଶାର ଯେପରି ଗର୍ଭାଧାନ ଘଟିଥିଲା । ସେହିକ୍ଷଣରେ କଲିକତାର ଗ୍ରାଣ୍ଡ ହୋଟେଲ୍‍ କକ୍ଷରେ ମଧୁସୂଦନ କୃତ ସଂକଳ୍ପ ହେଲେ ଯେ, ବଂଗ ପ୍ରାଦେଶିକ କନ୍‍ଫରେନ୍‍ସ ପରିବର୍ତ୍ତେ ସେହି ସମୟରେ ପ୍ରାକୃତିକ ଉତ୍କଳର ମହା ସମ୍ମେଳନ ବିପୁଳ ଉଦ୍ଦୀପନା ଓ ଉତ୍ସାହ ମଧ୍ୟରେ କଟକଠାରେ ଅନୁଷ୍ଠିତ ହେବ । (ପଣ୍ଡିତ ନୀଳକଣ୍ଠ ଓ ଶୈଳବାଳାଙ୍କ ବକ୍ତବ୍ୟରୁ ଗୃହୀତ) ।
ପ୍ରକୃତରେ ବ୍ରିଟିଶ ସାମ୍ରାଜ୍ୟର ବଂଗ ଉପନିବେଶ ମଧ୍ୟରେ, ଓଡ଼ିଶା ଥିଲା ମଧ୍ୟବର୍ତ୍ତୀ ଶାସକଙ୍କ କରାୟତ୍ତ ଓ ଶୋଷଣର ଗ୍ରାସରେ ଯନ୍ତ୍ରଣାଗ୍ରସ୍ତ ଅନ୍ୟଏକ ଅଧସ୍ତନ ଉପନିବେଶ ।

ଆମ ମଧୁସୂଦନ ୨୪୩