ପୃଷ୍ଠା:Aama Madhusudan.pdf/୨୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନ ଜନଜାଗରଣର ପରିପ୍ରେକ୍ଷୀରେ ଅଭୂତପୂର୍ବ ଥିଲା । ମଧୁସୂଦନ ଦାସ ବ୍ରହ୍ମପୁର ରେଳଷ୍ଟେସନଠାରେ ପହଞ୍ଚିବା ପରେ ଉଦ୍‍ବେଳିତ ଜନତା ବିପୁଳ ଉତ୍ସାହ ମଧ୍ୟରେ ତାହାଙ୍କୁ ଖାଲି ଗାଡ଼ିରେ ବସେଇ ବାହିନେବାପାଇଁ ଉତ୍ସୁକ ହୋଇ ଉଠିଥିଲେ । ଏହି ଅଧିବେଶନରେ ଫକୀରମୋହନ ସେନାପତି, ବିଶ୍ୱନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ, ନନ୍ଦ କିଶୋର ବଳ, ପୁରୀରୁ ଗୋପବନ୍ଧୁ ଦାସ ତଥା ପ୍ରାକୃତିକ ଓଡ଼ିଶାର ପ୍ରତିନିଧିମାନେ ଯୋଗଦାନ କରିଥିବାରୁ ଏହା ଏଣିକି ଉତ୍କଳ ସମ୍ମିଳନୀ ବୋଲାଇବ" ବୋଲି ସମ୍ମତି ପ୍ରକାଶ ପାଇଥିଲା । ସେହି ବେଳର ନନ୍ଦ କିଶୋର ବଳଙ୍କ ଦ୍ୱାରା ସ୍ୱତଃସ୍ଫୂର୍ତ୍ତ ଭାବେ ରଚିତ ଅନବଦ୍ୟ ଗୀତିକା" ଉଠଗୋ ଦୁଃଖିନୀ ଉତ୍କଳ ଜନନୀ"କୁ କଟକର ପ୍ରଖ୍ୟାତ ଗାୟକ ଉସ୍ତାଦ ଖାନୁ ମିଆଙ୍କର ମାଦକତା ଭରା ଉଦ୍‍ବେଳିତ କଣ୍ଠରେ ଭାବବିହ୍ୱଳିତ ଗାୟନ, ଅଧିବେଶନକୁ ଅପୂର୍ବ ଉନ୍ମାଦନାରେ ଭରିଦେଇଥିଲା ।
ସେହି ବର୍ଷର ମାର୍ଚ୍ଚ ମାସରେ ମଧୁସୂଦନ ଦାସ, କଟକର ଆଲୋଚନା ସଭା ପକ୍ଷରୁ ମୟୂରଭଞ୍ଜ ନରେଶ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ଆଲୋଚନା ସଭାର ଅଧ୍ୟକ୍ଷ ଭକ୍ତକବି ମଧୁସୂଦନ ରାଓଙ୍କୁ ଭେଟି ଏହି ଆଲୋଚନା ସଭାର କ୍ଷୁଦ୍ର ଅନୁଷ୍ଠାନକୁ "ବଂଗ ସାହିତ୍ୟ ପରିଷଦ" ଭଳି ଏକ ବୃହତ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆବେଦନ ଜଣାଇଥିଲେ, ଯେପରି ଏହା ସମଗ୍ର ଓଡ଼ିଶାର ପରିବ୍ୟାପ୍ତ ପରିସରରେ ଉତ୍କଳ ସମ୍ମିଳନୀର ପରିପୂରକ ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ରୂପେ କାର୍ଯ୍ୟ କରିବ । ଏହି ଅନୁରୋଧ ରକ୍ଷାକରି ୭.୫.୧୯୦୩ର ଏକ ଐତିହାସିକ ଅଧିବେଶନରେ ମଧୁରାଓ ଆଲୋଚନା ସଭାକୁ, ବିପୁଳ ଶ୍ରଦ୍ଧା, ପ୍ରତିଶ୍ରୁତି ଓ ସମ୍ଭାବନା ବହନ କରୁଥିବା "ଉତ୍କଳ ସାହିତ୍ୟ ସମାଜ" ରେ ପରିଣତ କରିଥିଲେ । ଅଧ୍ୟକ୍ଷ ମଧୁରାଓଙ୍କ ଛଡ଼ା ଉତ୍କଳ ସାହିତ୍ୟ ସମାଜର ସହକାରୀ ସଭାପତି ରୂପେ ଫକୀରମୋହନ ସେନାପତି ଓ ରାମଶଙ୍କର ରାୟ ଏବଂ ସଂପାଦକ ରୂପେ ବିଶ୍ୱନାଥ କର ବରିତ ହୋଇଥିଲେ । ଏହାପରେ ଶହେବର୍ଷର ଗୌରବଦୀପ୍ତ ଅଧ୍ୟାୟର ପୂର୍ତ୍ତିି ପରେ ୨୦୦୩ ସାଲରେ ଉତ୍କଳ ସାହିତ୍ୟ ସମାଜର ଗରିମାମୟ ଶତାବ୍ଦୀ ସମାରୋହ ପାଳିତ ହୋଇଛି ।
ସେହି ଐତିହାସିକ ୧୯୦୩ ସାଲର ଡିସେମ୍ବର ମାସର ସ୍ମରଣୀୟ ବେଳାରେ ଦିନେ ସାନ୍ଧ୍ୟ ଭ୍ରମଣ ଅବସରରେ ମଧୁସୂଦନ ଦାସ କାଠଯୋଡ଼ି ନଦୀର ଧାରରେ, ଆପଣାର ପ୍ରାକ୍‍ ଯୌବନର ଅନ୍ତରଂଗ ସୁହୃଦ କବିବର ରାଧାନାଥଙ୍କୁ ଭେଟି ଉତ୍କଳ ସମ୍ମିଳନୀ ମଞ୍ଚରେ ଦେଶମାତୃକା ରୂପୀ ଭାରତ ଜନନୀଙ୍କର ଆବାହନୀ ସଂଗୀତ ସଂସ୍କୃତରେ ରଚନା କରିବାକୁ ସଶ୍ରଦ୍ଧ ଆବେଦନ ଜଣାଇଥିଲେ । ଏହି ସାଗ୍ରହ ନିବେଦନକୁ ମର୍ଯ୍ୟାଦା ପ୍ରଦାନ କରି କାଳଜୟୀ ରଚନା "ସର୍ବେଷାଂ ନୋ ଜନନୀ ଭାରତଧରଣୀ କଳ୍ପଲତେୟଂ" କବିତାଟି କବିବରଙ୍କ ଦ୍ୱାରା ରଚିତ ହୋଇଥିଲା । ଦେଶ ମାତୃକାର ଏହି ଆବାହନ ବେଳରେ ମଧୁ ରାଓଙ୍କର ଅନନ୍ୟ ଗୀତି କବିତାର ମୂର୍ଚ୍ଛନା ସଂବଳିତ "ଉତ୍କଳ ଗାଥା ମଧ୍ୟ ପ୍ରକାଶିତ ହୋଇ ୨୦.୧୨.୧୯୦୩ରେ ମଧୁସୂଦନ ଦାସଙ୍କୁ ଅର୍ପିତ ହୋଇଥିଲା । ଏହି ବିପୁଳ ପ୍ରସ୍ତୁତିର ଆଢ଼ୁଆଳରେ ଏକ କ୍ରାନ୍ତିକାରୀ ତଥା ଯୁଗାନ୍ତକାରୀ

ଆମ ମଧୁସୂଦନ ୨୪୫