ପୃଷ୍ଠା:Aama Madhusudan.pdf/୨୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘଟଣା ସମସ୍ତଙ୍କର ଅଗୋଚରରେ ଅନୁଷ୍ଠିତ ହୋଇଥିଲା । ତାହା ଥିଲା ସମଗ୍ର ଓଡ଼ିଆ ଜାତିର ଆଶା ଓ ଆକାଙ୍‍କ୍ଷାକୁ ବହନ କରୁଥିବା ଭାରତର ବଡ଼ଲାଟ ଲଡର଼୍ କର୍ଜନଙ୍କର ଆନୁକୂଲ୍ୟରେ ୩.୧୨.୧୯୦୩ରେ ପ୍ରଚାରିତ ହୋଇଥିବା "ରିସ୍‍ଲେ ସାର୍କୁଲାର୍‍"ର ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରକାଶନ ଯହିଁରେ ସମଗ୍ର ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣ ଲାଗି ସ୍ୱୀକୃତି ପ୍ରଦାନ କରାଯାଇଥିଲା ।
ଆଉ ୧୯୦୩ ସାଲର ଡିସେମ୍ବର ମାସରେ ଶେଷ ଦୁଇଟି ୩୦ ଆଉ ୩୧ ତାରିଖ ଓଡ଼ିଆର ହୃଦପଟରେ ଚିରଭାସ୍ୱର ହୋଇ ରହିଆସିଛି । ତାହାଥିଲା କଟକର ଇଦ୍‍ଗା ପଡ଼ିଆରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବହୁ ଆକାଙ୍‍କ୍ଷିତ ପ୍ରଥମ ଅଧିବେଶନ ଯାହା ବହୁ ପ୍ରାଜ୍ଞ ବ୍ୟକ୍ତିଙ୍କର ସମନ୍ୱୟରେ ଓଡ଼ିଶାର ସମସ୍ତ ପ୍ରାନ୍ତରୁ ଆଗତ ବ୍ୟକ୍ତିମାନଙ୍କର ଭାବବିନିମୟରେ ଏବଂ ମାର୍ଗ ଦର୍ଶନକାରୀ ଆଲୋଚନା ମାଧ୍ୟମରେ ସଂଚାଳିତ ହୋଇଥିଲା । ବିପୁଳ ଉତ୍ସାହ, ପରିପୂର୍ଣ୍ଣ ଗାମ୍ଭୀର୍ଯ୍ୟ, ଅପୂର୍ବ ନୈଷ୍ଠିକତା ମଧ୍ୟରେ ଏହି ସମ୍ମିଳନୀର ପରିକଳ୍ପନା ଅଚିନ୍ତନୀୟ ଥିଲା । ଅଦ୍‍ଭୁତ ଗୋଲାପୀ ରଂଗର ଚିତ୍ତାକର୍ଷକ ଶିରସ୍ତ୍ରାଣ ପରିହିତ ଉଦ୍ଦୀପିତ ଜନ ସମାଗମରେ, ସମ୍ମାନନୀୟ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ଅବସରରେ ଉସ୍ତାଦ ଖାନୁ ମିଆଁ ଆଉ ଗୋକୁଳ ବିହାରୀ ଶ୍ରୀଚନ୍ଦନଙ୍କର ଜଳଦ ଗମ୍ଭୀର କଣ୍ଠରେ ସଭାମଞ୍ଚକୁ ଉଲ୍ଲସିତ ଶିହରଣରେ ଭରିଦେଇ ଯେଉଁ ଉନ୍ମାଦନାର ଅନନ୍ୟ ଗୀତିମୂର୍ଚ୍ଛନା ତରଙ୍ଗାୟିତ ହୋଇଥିଲା ତାହାର ପଙ୍‍କ୍ତି ଥିଲା ଏହିପରି-

"ଏତେକାଳେ ସତେ ପରତେ ହେଉଛି ବିହି ଘଟାଇଲା ଆଣି
ନିରାଶା କୁହୁରେ ମୃତ୍ୟୁ ସଂଜୀବନୀ ଆଶା ବୀଣାଜିଣା ବାଣୀ ।"
ଏହାହିଁ ଥିଲା ନବ ଓଡ଼ିଶାର ଜନ୍ମଦାତ୍ରୀ ଉତ୍କଳ ସମ୍ମିଳନୀର ମର୍ଯ୍ୟାଦାବନ୍ତ ପ୍ରଥମ ଅଧିବେଶନ । ଏହି ଅଧିବେଶନ ସମୂହରେ ଓଡ଼ିଆ ଭାଷାରେ ଗୃହୀତ ପ୍ରସ୍ତାବାବଳୀ କେବଳ ନବ ଓଡ଼ିଶା ସୃଷ୍ଟି ଲାଗି ଅଭିପ୍ରେତ ହୋଇ ନ ଥିଲା, ଏହାମଧ୍ୟ ଥିଲା ମହାତ୍ମାଗାନ୍ଧୀଙ୍କୁ ଗଭୀର ଭାବେ ଆଲୋଡ଼ିତ କରିଥିବା ଦେଶ ନିର୍ମାଣ ଲାଗି ଅନନ୍ୟ ପୁରୋଦୃଷ୍ଟିସମ୍ପନ୍ନ ଭୂମିଲଗ୍ନ ପରିକଳ୍ପନା ବା "ବ୍ଲୁ ପ୍ରିଣ୍ଟ" ଯାହା ଏ ଯୁଗରେ ମଧ୍ୟ ଅନତିକ୍ରମ୍ୟ ହୋଇ ରହିଛି ।
ସେ ଯୁଗରେ ତାହାର ଅନବଦ୍ୟ ପରିକଳ୍ପନା କରିଥିଲେ କ୍ରାନ୍ତି ପୁରୁଷ ମଧୁସୂଦନ ।
ତେଣୁ ୧୯୦୩ ସାଲ ପରର, ବିଂଶ ଶତାବ୍ଦୀର ପରବର୍ତ୍ତୀ ସମ୍ବତ୍ସରମାନଙ୍କର ଘଟଣା ପ୍ରବାହ ଥିଲା ମାତ୍ର, ଏହାର ଅନୁକ୍ରମିକ ବିସ୍ତାରିତ ପ୍ରସାରଣ ।
ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁପଡ଼ି ସିନ୍ଧୁ ନୀରେ ।

-ମଧୁସୂଦନ

୨୪୬ ଆମ ମଧୁସୂଦନ