ପୃଷ୍ଠା:Aama Madhusudan.pdf/୨୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କ ନିମନ୍ତ୍ରଣରେ କର୍ଜନଙ୍କ
ଓଡ଼ିଶା ପରିଦର୍ଶନ


ସ୍ଥିତିଶୂନ୍ୟତାର ଘନଅନ୍ଧକାର ମଧ୍ୟରେ ଜନ୍ମଲାଭ କରିଥିଲା ଓଡ଼ିଶା ପ୍ରଦେଶ, ଅଫୁରନ୍ତ ସଂଗ୍ରାମ ଆଉ ଅବିରାମ ପ୍ରୟାସ ମଧ୍ୟରେ । ସେହି ଅବଦମିତ ପ୍ରଚେଷ୍ଟା ହେଉଛି ଓଡ଼ିଆ ଜାତିର ମହାନ ଗାଥା । ଆଜି ତାହା ମଧ୍ୟ ବିସ୍ମୃତିର ଗର୍ଭରେ ଲୀନ ହୋଇଯାଇଛି । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ସୁବିଶାଳ ବଙ୍ଗପ୍ରଦେଶର ଏକ କୋଣରେ ଝୁଲି ରହିଥିଲା ଓଡ଼ିଶା ଡିଭିଜନ ଦୀନତାର ନିଷ୍ପେଷଣ ମଧ୍ୟରେ ଆଉ ବିଖଣ୍ଡିତ ଅନ୍ୟ ଓଡ଼ିଆଭାଷୀ ଅଞ୍ଚଳ ସବୁ ଲାଖି ରହିଥିଲେ ବଙ୍ଗ, ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବିହାର ପ୍ରାନ୍ତରେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ।
ମଧୁସୂଦନ ଦାସ ୧୮୮୧ ସାଲରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପରେ ୧୮୮୨ରେ ଉତ୍କଳସଭା (ଓଡ଼ିଶା ଏସୋସିଏସନ୍‍) ଗଠନ କରିଥିଲେ । ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣଲାଗି କଟକ ପରିଦର୍ଶନବେଳେ ବଙ୍ଗର ଲାଟ୍‍ ସାର୍‍ ରିଭର୍ସ ଥମ୍ପ୍‍ସନ୍‍ଙ୍କୁ ୧୮୮୫ ସାଲରେ, ସାର୍‍ ଷ୍ଟିଆର୍ଟ ବେଲିଙ୍କୁ ୧୮୮୮ ସାଲରେ ଏବଂ ଜନ୍‍ ଉଡ଼ବର୍ଣ୍ଣଙ୍କୁ ୧୮୯୮ ସାଲରେ ଉତ୍କଳ ସଭା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ସେସବୁ ଯେପରି ବଙ୍ଗ ସେକ୍ରେଟେରୀଙ୍କର ଅଳିଆ ନଥିପତ୍ର ମଧ୍ୟରେ ହଜି ଯାଇଥିଲା । ଓଡ଼ିଶା ସଂପର୍କରେ ଭାରତର ସର୍ବୋଚ୍ଚ ଶାସନକର୍ତ୍ତା ବଡ଼ଲାଟ ଯେପରି ଅଜ୍ଞତାର ପରିଧି ମଧ୍ୟରେ ରହି ଯାଇଥିଲେ ।
ଓଡ଼ିଶା ମାଟିରେ ଭାରତର ବଡ଼ଲାଟଙ୍କର ପାଦ ପଡ଼ିନଥିଲା । ଆଉ ୧୮୭୨ ସାଲରେ ଭାରତର ବଡ଼ଲାଟ ଲର୍ଡ ମେୟୋ ଆଣ୍ଡାମାନରୁ କଟକ ପରିଦର୍ଶନରେ ଆସିବାପାଇଁ ଯେଉଁ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ, ତାହାରି ଅନୁସାରେ ସେହି ବର୍ଷର ଫେବ୍ରୁଆରି ଆଠ ତାରିଖରେ ଆଣ୍ଡାମାନ ଜେଲ ପରିଦର୍ଶନ ବେଳେ କଏଦୀ ଶେରଖାନ୍‍ଙ୍କର ଛୁରୀକାଘାତରେ ଲର୍ଡ ମେୟୋ

ଆମ ମଧୁସୂଦନ ୨୪୯