ପୃଷ୍ଠା:Aama Madhusudan.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଋଷି ଶ୍ରୀ ଅରବିନ୍ଦ କହିଛନ୍ତି ଯେ, ପ୍ରତ୍ୟେକ ଦେଶର ଅନ୍ତରାଳରେ ଗୋଟିଏ ସ୍ୱତନ୍ତ୍ର ମାତୃସତ୍ତା ବିଦ୍ୟମାନ । ଦେଶ ବିଖଣ୍ଡିତ ହେଲେ ଯେଉଁ ଅସ୍ୱାଭାବିକ ବିପର୍ଯ୍ୟସ୍ତ ଅବସ୍ଥାର ସୃଷ୍ଟିହୁଏ, ତାହା ହିଁ ଅନୁପ୍ରେରିତ କରେ ସମଗ୍ର ଦେଶକୁ ଏକତ୍ରିତ କରିବାପାଇଁ । ଏହିଭଳି ଅବସ୍ଥାର ସୃଷ୍ଟି ହୋଇଥିଲା ୧୯୦୫ ସାଲରେ । ବଙ୍ଗଳା ପ୍ରଦେଶର ବିଶାଳତା ଦୃଷ୍ଟିରୁ ଲଡର଼୍ କର୍ଜନ ବଂଗଳା ପ୍ରଦେଶକୁ ବିଖଣ୍ଡିତ କରି ପୂର୍ବ ବଙ୍ଗକୁ ଆସାମ ପ୍ରଦେଶ ସହିତ ମିଶାଇ ଦେଇଥିଲେ । ଏହି ବଙ୍ଗ ଭଂଗ ବିରୁଦ୍ଧରେ ଦେଶରେ ଯେଉଁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା, ତାହା ସମକାଳୀନ ଭାରତର ସମସ୍ତ ରାଜନୈତିକ ପରିସ୍ଥିତିକୁ ପ୍ରଚଣ୍ଡ ଭାବେ ଦୋହଲାଇ ଦେଇଥିଲା । ଏହି ସମୟରେ ଶ୍ରୀ ଅରବିନ୍ଦ ତାଙ୍କ ସଂପାଦିତ "ବନ୍ଦେ ମାତରମ୍‍' ପତ୍ରିକାରେ ୧୯୦୭ ଡିସେମ୍ବର ୧୩ ତାରିଖରେ ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲେ- ଓଡ଼ିଶାରେ ବର୍ତ୍ତମାନ ଏକ ନବଚେତନା ଓ ନବଜାଗରଣର ସୂତ୍ରପାତ ହୋଇଛି । ଓଡ଼ିଶା ତା'ର ଅସ୍ତିତ୍ୱ ରକ୍ଷାଲାଗି ମଧୁସୂଦନଙ୍କ ପରି ଜଣେ ସୁଦକ୍ଷ ଶକ୍ତିଶାଳୀ ନେତାଙ୍କର ଅଧିନାୟକତ୍ୱରେ ଲାଗି ପଡ଼ିଥିବା ଦେଖାଯାଏ । ଏହା ସହିତ ଶ୍ରୀ ଅରବିନ୍ଦ, ଏହି ଆନ୍ଦୋଳନ ଆଂଚଳିକତାବାଦର ସୃଷ୍ଟି କରିପାରେ ବୋଲି ମଧ୍ୟ ଆଶଂକା ପ୍ରକାଶ କରିଥିଲେ ।
ଏହାର ଉତ୍ତରରେ ମଧୁସୂଦନ କହିଥିଲେ, "ଯଦି ବିଖଣ୍ଡିତ ବଂଗଳାର ମିଶ୍ରଣ ଲାଗି ଆହୂତ ଜନଜାଗରଣକୁ ଜାତୀୟ (ସର୍ବଭାରତୀୟ) ଆନ୍ଦୋଳନ ରୂପେ ଆଖ୍ୟା ପ୍ରଦାନ କରାଯାଏ, ତାହେଲେ ଚାରିଖଣ୍ଡ ରାଜ୍ୟରେ ବିଭାଜିତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣକୁ କାହିଁକି ଆଂଚଳିକତାର ନାମରେ ସୂଚାଇ ଦିଆଯାଉଛି ? ବଂଗ ଭଂଗ ଆନ୍ଦୋଳନ ଯେଉଁ ଉଦ୍ଦେଶ୍ୟ ଘେନି କରାଯାଉଛି, ଠିକ୍‍ ସେହି ଲକ୍ଷ୍ୟରେ ଓଡ଼ିଆଭାଷୀ ଅଂଚଳର ମିଶ୍ରଣଲାଗି ପ୍ରଚେଷ୍ଟା ଜାରି ରହିଛି । ତେଣୁ ବଂଗ ଭଂଗ ଆନ୍ଦୋଳନରେ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତି ଓଡ଼ିଆମାନଙ୍କର ଏହି ଦାବି ଲାଗି ଅକୁଣ୍ଠ ସମର୍ଥନ ଜଣାଇବା ଉଚିତ ।"
ବହୁ ସର୍ବଭାରତୀୟ ନେତାଙ୍କର ଓଡ଼ିଶା ମିଶ୍ରଣର ଦାବିକୁ ଅବଜ୍ଞା ପରିପ୍ରେକ୍ଷୀରେ ମଧୁସୂଦନ ୧୯୧୫ ସାଲରେ ସେମାନଙ୍କୁ ପ୍ରତ୍ୟୁତ୍ତରରେ କହିଥିଲେ, "ଆପଣମାନଙ୍କର ଏପରି ଜାଗରଣର ଆବଶ୍ୟକତା ପଡ଼ୁନାହିଁ, କାରଣ ହିନ୍ଦୀଭାଷୀମାନେ ବିରାଟ ଉତ୍ତର ଖଣ୍ଡକୁ ମାଡ଼ି ବସିଛନ୍ତି । ସେମାନଙ୍କର ସ୍ୱତନ୍ତ୍ର ପ୍ରଦେଶର ଆବଶ୍ୟକତା ନାହିଁ । ମହାରାଷ୍ଟ୍ରୀୟମାନେ ଶିବାଜୀଙ୍କର ସ୍ମୃତି ଧରି ଗୋଟିଏ ପ୍ରାଦେଶିକ ଗର୍ବ ଭାବ ଅକ୍ଷୁଣ୍ଣ ରଖିଛନ୍ତି । କର୍ଣ୍ଣାଟକବାସୀମାନେ ମହୀଶୂର ଭଳି ଏକ ଅର୍ଦ୍ଧ ସ୍ୱାଧୀନ ରାଜ୍ୟରେ ସୀମାବଦ୍ଧ । ବଙ୍ଗାଳୀମାନେ ଉତ୍ତର ଓଡ଼ିଶାରେ ଓ ତେଲୁଗୁମାନେ ଗଂଜାମ ଓ ଜୟପୁରରେ ମଧ୍ୟସ୍ତନ ଶାସକ ଭାବେ ଶାସନ କରୁଅଛନ୍ତି । ଏବେ ତେଲୁଗୁମାନେ ତାମିଲ୍‍ମାନଙ୍କ ମଧ୍ୟସ୍ତନ ଶାସନରେ ବିକ୍ଷୁବ୍ଧ ହୋଇ ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଦାବି କରୁଅଛନ୍ତି ।"
"ଅତଏବ ଅନ୍ୟାନ୍ୟ ଅଂଚଳରୁ ଓଡ଼ିଶାର ପରିସ୍ଥିତି ସ୍ୱତଂତ୍ର । ଆମେ ଓଡ଼ିଆମାନେ ଏକ ଶାସନାଧୀନ ନହେଲେ, ଅନ୍ୟ ପ୍ରଦେଶମାନଙ୍କ ସଙ୍ଗେ କାନ୍ଧମିଳାଇ ଚାଲିପାରିବୁ ନାହିଁ । ତାହା ନହେବା ପର୍ଯ୍ୟନ୍ତ ଭାରତୀୟ ସଂହତିର କ୍ଷେତ୍ର ସୁଗମ ହେବ ନାହିଁ । ଆମ୍ଭେ ଓଡ଼ିଆମାନେ ଭାରତୀୟ ଜାତୀୟତାର ବିରୁଦ୍ଧରେ ଯାଉଛୁ, ତାହା କଳ୍ପନା କରିହେବ ନାହିଁ । କିନ୍ତୁ ଯେପରି ବୃକ୍ଷର ସବୁଶାଖା