ପୃଷ୍ଠା:Aama Madhusudan.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଦ୍ଧ ସରକାରୀ ଲୋକ, କମିଶନର ଏବଂ ସେମାନଙ୍କର ଅଧୀନସ୍ଥ କର୍ମଚାରୀମାନେ ଯେ ଯାହାର କର୍ତ୍ତବ୍ୟ ସାଧନଦ୍ୱାରା ଉପରୋକ୍ତ ସମାରୋହ ସହିତ ଅଭ୍ୟର୍ଥନାର ଆୟୋଜନରେ ମନଯୋଗୀ ହୋଇଥିଲେ । ଶ୍ରୀମନ୍ଦିର ଦେଖିବା ବଡ଼ଲାଟ କର୍ଜନ ବାହାଦୂରଙ୍କର ଶୁଭାଗମନର ପ୍ରଧାନ ଅଭିପ୍ରାୟ । ତେଣୁ ମନ୍ଦିରର ସୁପରିଟେଣ୍ଡେଣ୍ଟଙ୍କ ଓ ପୁରୀ ରାଜାଙ୍କ ଉପରେ ଅଭ୍ୟର୍ଥନାର ଭାର ପଡ଼ିବାରୁ, ସେ ତହିଁର ସମସ୍ତ ବ୍ୟୟ ଯୋଗାଇ ଦେଇଥିଲେ ଏବଂ ତାହାଙ୍କର ପ୍ରଧାନ ବନ୍ଧୁ ମାନ୍ୟବର ମଧୁସୂଦନ ଦାସଙ୍କର ବିଚକ୍ଷଣ ବୁଦ୍ଧି ଏବଂ ସୁରୁଚି ସାହାଯ୍ୟରେ କାର୍ଯ୍ୟଟି ଅଧିକତର ମନୋହର ହୋଇଥିଲା । ପୁରୀ ରେଳଷ୍ଟେସନଠାରେ ଏକ ସୁଶୋଭିତ ମଣ୍ଡପ ରଚନା ହୋଇଥିଲା ଏବଂ ସେଠାରୁ ଏକ ଦିଗରେ ସମୁଦ୍ରକୂଳ କଚେରି ବାଟେ ଏବଂ ଅନ୍ୟ ଦିଗରେ ଗୁଣ୍ଡିଚା ମନ୍ଦିର ବଡ଼ଦାଣ୍ଡ ବାଟେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଡ଼କମାନଙ୍କର ଦୁଇପାର୍ଶ୍ୱ ନାନା ବର୍ଣ୍ଣର ପତାକା ଏବଂ ପତ୍ରମାଳାଦ୍ୱାରା ସୁସଜ୍ଜିତ ହୋଇଥିଲା ଏବଂ ଚୌକିଦାର, ଦଫାଦାର ଓ କନେଷ୍ଟବଲ୍‍ମାନେ ପହରାରେ ଛିଡ଼ାହୋଇ ଥିଲେ । ମନ୍ଦିର ସମ୍ମୁଖରେ ଗୋଟିଏ ଚାନ୍ଦୁଆ ଟଣାହୋଇ ତାହା ଫୁଲପତ୍ର, ତୋରଣ, ସୁଦୃଶ୍ୟ ନାନାବର୍ଣ୍ଣର କାଗଜଦ୍ୱାରା ରଞ୍ଜିତ ହୋଇଥିଲା । ତଳେ ବନାତ ବିଛାହୋଇ ତହିଁ ଉପରେ ମହାମାନ୍ୟଙ୍କ ନିମନ୍ତେ ରୂପାର କୁରସି ଆସନମାନ ପଡ଼ିଥିଲା । ସମ୍ମୁଖରେ ଗୋଟିଏ ମେଜ ଉପରେ ଖଡ଼ିମାଟିରେ ନିର୍ମିତ ଗୋଟିଏ ମନ୍ଦିରର ପ୍ରତିମୂର୍ତ୍ତିି, ଗୋଟିଏ ଅବିକଳ ସୁସଜ୍ଜିତ ରଥର ଆକୃତି ଏବଂ ଗୋଟିଏ ରୂପାର ଅଭିନନ୍ଦନପତ୍ରାଧାର ମହାତ୍ମାଙ୍କୁ ଉପଢୌକନ ଦେବା କାରଣ ରଖାଯାଇଥିଲା । ଏହି ରୌପ୍ୟାଧାର ମାନ୍ୟବର ବାବୁ ମଧୁସୂଦନ ଦାସଙ୍କ ଶିଳ୍ପାଗାରରେ ପ୍ରସ୍ତୁତ ଏବଂ ଏହା ତାହାଙ୍କର ବିଚକ୍ଷଣ ଉଦ୍‍ଭାବିକା ଏବଂ ସୁରୁଚିର ପରିଚୟ ଦେଉଥିଲା । ସେହି ଆଧାରର ତଳ ଖଣ୍ଡିଏ ତାରକସି ବାଦାମୀ ଥାଳି, ତହିଁ ଉପରେ ଦୁଇପାଖରେ ଦୁଇଟି ହାତୀଦାନ୍ତର ହାତୀ ବସିଛନ୍ତି ଏବଂ ମଧ୍ୟରେ ସୁନାପତ୍ରରେ ଶ୍ରୀମନ୍ଦିରର ପ୍ରତିକୃତି ଅଙ୍କିତ ହୋଇଛି । ହାତୀମାନଙ୍କ ପୃଷ୍ଠରେ ରୂପାର ଗୋଟିଏ ଲମ୍ବ ବାକ୍ସ ରହିଛି । ଏବଂ ତାହା ଫିଟାଇବା ଓ ବନ୍ଦ କରିବାର କଳ ଲାଗି ଅଛି । ବାକ୍ସର ଢ଼ାଙ୍କୁଣିର ଏକପାଖରେ ଲକ୍ଷ୍ମୀ ଏବଂ ଅନ୍ୟ ପାଖରେ ସରସ୍ୱତୀଙ୍କ ମୂର୍ତ୍ତି ସୁନା ପତ୍ରରେ ଅଙ୍କା ହୋଇଛି ଏବଂ ମଧ୍ୟରେ ମହାମାନ୍ୟ କର୍ଜନଙ୍କୁ ପୁରୀର ରାଜା ଏବଂ ସେବକମାନଙ୍କଦ୍ୱାରା ଉତ୍ସର୍ଗ ହେବାର ଇଂରାଜୀରେ ଲେଖାଅଛି । ବାକ୍‍ସର ଦୁଇ ପାର୍ଶ୍ୱର ରୂପା ପଟା ଉପରେ ଜଡ଼ିତ ସୁନା ପତ୍ରରେ ଶ୍ରୀକୃଷ୍ଣଙ୍କ କାଳୀୟଦଳନ ପ୍ରତିମୂର୍ତ୍ତିି ଅଙ୍କିତ ହୋଇଛି । କାର୍ଯ୍ୟଟି ଏମନ୍ତ ଚିକ୍କଣ ଏବଂ ସୁନ୍ଦର ହୋଇଛି ଯେ ଦେଖିଲେ ଚୋଖା ହାତତିଆରି ବୋଲି ଭ୍ରମ ହେବ ।
ମଣ୍ଡପର ଚତୁର୍ଦ୍ଦିଗରେ କଦଳୀ ଗଛ ଓ ନାରିକେଳ ପଲ୍ଲବ ସହିତ ପୂର୍ଣ୍ଣ କଳସମାନ ସ୍ଥାପିତ ହୋଇଥିଲା । ପୁରୀର କନେଷ୍ଟବଳମାନେ ଅତ୍ୟନ୍ତ ସାବଧାନ ସହିତ ଚାରିଦିଗରେ ଦଣ୍ଡାୟମାନ ରହି ମନ୍ଦିରର ସମ୍ମୁଖସ୍ଥ ସମସ୍ତ ସ୍ଥାନ ରକ୍ଷା କରିଥିଲେ । ଏବଂ ଏ କାର୍ଯ୍ୟରେ ପୁଲିସ୍‍ ଇନ୍‍ସ୍‍ପେକ୍ଟର ବାବୁ ନାରାୟଣ ଚନ୍ଦ୍ର ବାନାର୍ଜୀଙ୍କର ବିଶେଷ ସତର୍କତାରେ ବାଟଘାଟମାନ ଯଥା ସମ୍ଭବ ପରିଷ୍କାର ରୂପେ ସୁରକ୍ଷିତ ହୋଇଥିଲା । ସଡ଼କର ଦୁଇପାଖର ଲୋକମାନେ ଆପଣା ଆପଣା ଘରେ ଚୂନ

୨୫୨ ଆମ ମଧୁସୂଦନ