ପୃଷ୍ଠା:Aama Madhusudan.pdf/୨୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ପତ୍ତି ଯତ୍‍ସାମାନ୍ୟ । ଅତଏବ ଆପଣଙ୍କର ସମଯୋଗ୍ୟ ସମ୍ମାନ କରିବାକୁ ଅକ୍ଷମ ହୋଇ ଯେଉଁ ଫଳ ଓ ପୁଷ୍ପଦ୍ୱାରା ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି ତଦ୍ଦ୍ୱାରା ଆପଣଙ୍କଠାରେ ଭକ୍ତି ଓ ଶ୍ରଦ୍ଧା ପ୍ରକାଶ କରୁଅଛୁ ।
ତଦନନ୍ତର ପଣ୍ଡାମାନେ ପୁଷ୍ପ ଓ ଚନ୍ଦନ ପ୍ରଦାନ କଲେ । ଲାଟ ମହୋଦୟ ସନ୍ତୋଷ ପ୍ରକାଶ କରି ପ୍ରାଚୀରସଂଲଗ୍ନ ପ୍ରାସାଦୋପରି ଆରୋହଣପୂର୍ବକ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମନ୍ଦିରର କାର୍ଯ୍ୟ ଅବଲୋକନ କରି ପରେ ସିଂହଦ୍ୱାର ଓ ବିନ୍ଦୁସାଗର ପରିଦର୍ଶନ କରିବାକୁ ଗମନ କଲେ । ପ୍ରତ୍ୟାଗମନ ସମୟରେ ଭୁବନେଶ୍ୱର ମନ୍ଦିର ସନ୍ନିକଟ ମଣ୍ଡପରେ ଅବସ୍ଥାନ କରି ଓ ତତ୍ରସ୍ଥ ରାୟ, ରାଧାନାଥ ରାୟବାହାଦୂରଙ୍କ ପୁତ୍ର ଶଶିଭୂଷଣ ରାୟଙ୍କ ପ୍ରଦତ୍ତ ଭିକ୍ଟୋରିଆ ନାମକ ଏକ ଇଂରାଜୀ ପତ୍ରିକା ପତ୍ର ସହ ଗ୍ରହଣ କରି ଖଣ୍ଡଗିରି ରାସ୍ତାଭିମୁଖେ ଗମନ କଲେ । ସନ୍ଧ୍ୟା ଉପସ୍ଥିତ, ସୁତରାଂ ରେଳପର୍ଯ୍ୟନ୍ତ ପଥର ଦୁଇପାର୍ଶ୍ୱ ଗିଲାସ ଓ ଥଳ କମଳ ଗଛମାନ ପୋତାହୋଇ ରୋସନାଇ ହୋଇଥିଲା । ଆଗମନ ଓ ପ୍ରତ୍ୟାଗମନ ସମୟରେ ଅନେକଗୁଡ଼ିଏ ସ୍କୁଲ୍‍ ବାଳକ ପତାକା ଧରି ମଣ୍ଡପ ସମ୍ମୁଖରେ ଉପସ୍ଥିତ ଥିଲେ । ଏ ଦୃଶ୍ୟ ଅତି ସୁନ୍ଦର ହୋଇଥିଲା । ଆମ୍ଭେମାନେ ଶୁଣି ଆନନ୍ଦିତ ହେଲୁ ଯେ ପଥର ଦୁଇପାର୍ଶ୍ୱ ଆଲୋକ ସଜାଇବା ବ୍ୟୟ ବାବୁ ଶଶିଭୂଷଣ ରାୟ ବହନ କରିଥିଲେ ।
ମନ୍ଦିର ଦେଖିବା କାଳରେ ସରକାରୀ ଇଂଜିନିୟରଙ୍କଦ୍ୱାରା ସଂପ୍ରତି ଯେପର୍ଯ୍ୟନ୍ତ ମରାମତି ହୋଇ ତହିଁକି ଦୋଷଗୁଣ ସଭାରେ ଥିବା ମହାନଦୀ ବିଭାଗର ଏକ୍‍ଜିକ୍ୟୁଟିଭ୍‍ ଇଞ୍ଜିନିୟର ଲାଟ ସାହେବଙ୍କୁ ଦେଖେଇ ଦେଇ ଏଣିକି ଯେପରି କାର୍ଯ୍ୟ ହେବ ତାହା କହିଦେଲେ । ସେହି ପ୍ରସଙ୍ଗରେ ମନ୍ଦିର କମିଟିର ମେମ୍ବର ବାବୁ ପ୍ରିୟନାଥ ଚାଟୁର୍ଯ୍ୟାଙ୍କୁ କହିଲେ, "ତୁମ୍ଭେ କହୁଅଛ ଏହି ହିନ୍ଦୁ ମନ୍ଦିର ଅତ୍ୟନ୍ତ ସୁନ୍ଦର ଏବଂ ଏହାର ନିର୍ମାଣ ଶିଳ୍ପକୌଶଳ ଏମନ୍ତ ଚମତ୍କାର ଯେ ସମସ୍ତଙ୍କର ଦେଖିବାର ଯୋଗ୍ୟ । ତୁମ୍ଭେ ଆଶା କର ଯେ ଆମ୍ଭେ ଏହି କୀର୍ତ୍ତିିର ସୁରକ୍ଷା ଓ ସଂସ୍କାର ନିମନ୍ତେ ସରକାରରୁ ଅର୍ଥ ଯୋଗାଇବୁ ଅଥଚ ସେ ମନ୍ଦିର ଦେଖିବା କାରଣ ଆମ୍ଭଙ୍କୁ ଭିତରକୁ ଛାଡ଼ିବ ନାହିଁ ଏ କିମିତିକା ବିଚାର ? ପ୍ରିୟନାଥ ବାବୁ ସାଧାରଣ ହିନ୍ଦୁଙ୍କର ମତ ନନେଇ ସହସା ଉତ୍ତର ଦେଇ ପାରିଲେ ନାହିଁ । ପ୍ରଶ୍ନଟି ଯୁକ୍ତି ସଂଗତ, ସନ୍ଦେହ ନାହିଁ କିନ୍ତୁ ତହିଁର ବିଚାର ଆବଶ୍ୟକ ।

ରେଳଗାଡ଼ି କଟକାଭିମୁଖେ ଯାତ୍ରାକରି ସନ୍ଧ୍ୟା ଘ ୬.୪୫ ମିନିଟ୍‍ ସମୟରେ କଟକ ଷ୍ଟେସନଠାରେ ଉପସ୍ଥିତ ହେଲା । ଲାଟ୍‍ସାହେବଙ୍କ ଆଗମନ ପ୍ରତୀକ୍ଷାରେ ଅନେକ ନଗରବାସୀ ଷ୍ଟେସନଠାରେ ଉପସ୍ଥିତ ଥିଲେ ଓ ରେଳଷ୍ଟେସନ ଦୀପାବଳୀଦ୍ୱାରା ଆଲୋକିତ ହୋଇଥିବା ଦୃଶ୍ୟ ଅତି ସୁନ୍ଦର ହୋଇଥିଲା । ଲାଟସାହେବଙ୍କ ଗାଡ଼ି ପହୁଞ୍ଚନ୍ତେ ଉପସ୍ଥିତ ନଗରବାସୀମାନେ କରତାଳି ଦ୍ୱାରା ଶୁଭାଗମନର ସମ୍ଭାଷଣ କରିଥିଲେ କିନ୍ତୁ ଲାଟସାହେବଙ୍କ ସାଙ୍ଗରେ ଅନେକ ସାହେବ ଥିବାରୁ ତାଙ୍କୁ କେହି ଚିହ୍ନି ନପାରି ହର୍ଷ ବିଷାଦରେ ଫେରି ଆସିଲେ । ପ୍ରାୟ ତିନିଘଣ୍ଟା କାଳ ଖାସ୍‍ ଗାଡି