ପୃଷ୍ଠା:Aama Madhusudan.pdf/୨୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ବଲପୁରରେ ସାର୍‍ ଏଣ୍ଡ୍ରୁ ଫ୍ରେଜର


ମଧ୍ୟପ୍ରଦେଶର ଚିଫ୍‍ କମିଶନର ସାର୍‍ ଏଣ୍ଡ୍ରୁ ଫ୍ରେଜର ଓଡ଼ିଆ ଭାଷା ଉଚ୍ଛେଦ ସଂପର୍କରେ ଅନୁସନ୍ଧାନ କରିବାଲାଗି ୧୯୦୧ ସେପ୍ଟେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ପରିଦର୍ଶନ କରିଥିଲେ ।
୧୫.୧.୧୮୯୫ରେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ଉଚ୍ଛେଦ କରିବାପାଇଁ ଘୋଷଣାନାମା ପ୍ରକାଶ ପାଇବା ପରେ ୧୧.୨.୧୮୯୫ରେ ଧରଣୀଧର ମିଶ୍ରଙ୍କ ନେତୃତ୍ୱରେ ଓ ୧୩.୬.୧୮୯୫ରେ ସୋମନାଥ ବାବୁଙ୍କ ନେତୃତ୍ୱରେ ପ୍ରତିବାଦ ସଭା ହୋଇ ୫.୭.୧୮୯୫ରେ ବଡ଼ଲାଟଙ୍କୁ ମେମୋରାଣ୍ଡମ୍‍ ପ୍ରେରିତ ହୋଇଥିଲା । ସେହିପରି କଟକରେ ଉତ୍କଳ ସଭାର ସଭାପତି ମଧୁସୂଦନ ଦାସ ଉତ୍କଳଦୀପିକା ପତ୍ରିକାରେ ଫେବ୍ରୁଆରିଠାରୁ ମଇ ମାସ ମଧ୍ୟରେ "ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷା ନିର୍ବାସନ ନାମରେ ସୁଦୀର୍ଘ ସାତଗୋଟି ଦୀର୍ଘ ସତୁରୀ ପୃଷ୍ଠାର ନିବନ୍ଧ ଇଂରାଜୀରେ ଲେଖି ବ୍ରିଟିଶ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ୨୦.୬.୧୮୯୫ରେ ବଡ଼ଲାଟ ଲଡର଼୍ ଏଲଗିନ୍‍ଙ୍କ ନିକଟକୁ ମେମୋରାଣ୍ଡମ୍‍ ପଠାଇଥିଲେ ।
୧୮୯୬ରୁ ସମ୍ବଲପୁରରେ ହିନ୍ଦୀଭାଷା ପ୍ରଚଳିତ ହେବା ପରେ ୧୮୯୯ରେ ୮୨ ଗୋଟିଓଡ଼ିଆ ପ୍ରାଥମିକ ବିଦ୍ୟାଳୟର ଉଚ୍ଛେଦ, ତୃତୀୟ ଶ୍ରେଣୀରୁ ହିନ୍ଦୀ ବାଧ୍ୟତାମୂଳକ ହେବା, ହିନ୍ଦୀ ଭାଷାରେ ସମନ, ଦଲିଲ୍‍, ଦସ୍ତାବିଜ୍‍ ଲେଖାଯିବା ପରେ ୧୯୦୧ ସାଲ ଜାନୁଆରି ମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଦ୍ୱିତୀୟ ମେମୋରାଣ୍ଡମ୍‍ ବଡ଼ଲାଟଙ୍କୁ ପ୍ରେରିତ ହୋଇଥିଲା । ମଧୁସୂଦନଙ୍କର ଘନିଷ୍ଠ ସଂପର୍କଯୋଗୁଁ ଲଡର଼୍ କର୍ଜନ ସମ୍ବଲପୁର ଓଡ଼ିଆ ଭାଷା ସମସ୍ୟା ସହିତ ଏପରି ସଂପର୍କିତ ଥିଲେ ଯେ ମଦନ ମୋହନ ମିଶ୍ରଙ୍କର ଦ୍ୱିତୀୟ ପ୍ରତିବାଦ ପତ୍ର ପାଇବା ପରେ ତୁରନ୍ତ ଅନୁସନ୍ଧାନପାଇଁ କର୍ଜନ ଆଦେଶ ଦେଇଥିଲେ ।

୨୬୨ ଆମ ମଧୁସୂଦନ