Jump to content

ପୃଷ୍ଠା:Aama Madhusudan.pdf/୨୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିତୀୟ ମେମୋରାଣ୍ଡମ ପଠାଇବା ପରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୦୧ରେ ଏକ ଓଡ଼ିଆ ପ୍ରତିନିଧି ଦଳ ନାଗପୁର ଯାଇ ମଧ୍ୟପ୍ରଦେଶର ଚିଫ୍‍ କମିଶନର ସାର୍‍ ଏଣ୍ଡ୍ରୁ ଫ୍ରେଜରଙ୍କୁ ଜୁଲାଇ ମାସରେ ଭେଟି ଦାବି ଜଣାଇଥିଲେ । ଏଣ୍ଡ୍ରୁ ଫ୍ରେଜର ସେପ୍ଟେମ୍ବର ମାସରେ ସିମଲା ଯିବା ପରେ ସେଠାରେ ବଡ଼ଲାଟଙ୍କୁ ଜଣାଇ ପ୍ରତିକାର କରିବେ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ ।
ଏଣେ ମଧୁସୂଦନ ୧୯୦୧ ସାଲର ସେପ୍ଟେମ୍ବର ମାସରେ ସିମଲାଠାରେ ଅନୁଷ୍ଠିତ ସର୍ବଭାରତୀୟ ସମ୍ମିଳନୀରେ ଲଡର଼୍ କର୍ଜନଙ୍କ ସହିତ ଚିଫ୍‍ କମିଶନର ଏଣ୍ଡ୍ରୁ ଫ୍ରେଜରଙ୍କର ସାକ୍ଷାତ ହେବା ଜାଣି ସମ୍ବଲପୁର ଭାଷା ସଂକ୍ରାନ୍ତ ସମସ୍ତ କାଗଜପତ୍ର ଅଗଷ୍ଟ ମାସ ଶେଷରେ ପଠାଇଦେଇ, ବଡ଼ଲାଟଙ୍କର ପ୍ରାଇଭେଟ୍‍ ସେକ୍ରେଟାରୀ ଓ୍ୱାଲ୍‍ଟର ଲରେନ୍‍ସଙ୍କୁ ଲଡର଼୍ କର୍ଜନ ଓ ଫ୍ରେଜରଙ୍କ ମଧ୍ୟରେ ଏକ ଆଲୋଚନା ଆରମ୍ଭ କରାଇବାପାଇଁ ଅନୁରୋଧ କରିଥିଲେ । ଏହା ଅଗଷ୍ଟ ଶେଷର ଘଟଣା । ଏହି ସମୟରେ ସମ୍ବଲପୁରରୁ ପଞ୍ଚସଖା ବଡ଼ଲାଟଙ୍କୁ ଭେଟିବା ପାଇଁ ସିମଲା ଯାତ୍ରା କରିଥିଲେ ମଧ୍ୟ ଅନ୍ୟ ଏକ ଗୌଣ ଉଦ୍ଦେଶ୍ୟ ଥିଲା ପିଣ୍ଡଦାନ, ଶ୍ରାଦ୍ଧ, ଅସ୍ଥି ବିସର୍ଜନ ଓ ତୀର୍ଥ ଭ୍ରମଣ । ଏଣୁ ମଧୁସୂଦନଙ୍କର ସେମାନଙ୍କର ସହଯାତ୍ରୀ ହେବା ବୋଧହୁଏ ସମ୍ଭବପର ନଥିଲା । ଏମାନେ ସିମଲା ଯିବା ଅବଗତ ହେବା ପରେ ମଧୁସୂଦନ ସାତଟଙ୍କା ଖର୍ଚ୍ଚ କରି ବଡ଼ଲାଟଙ୍କୁ ଏକ ଟେଲିଗ୍ରାମ ପଠାଇଥିଲେ ।
ସମ୍ବଲପୁର ଭାଷା ଆନ୍ଦୋଳନ ଓଡ଼ିଶା ଇତିହାସର ଏକ ମାର୍ମିକ ଗୌରବୋଜ୍ଜ୍ୱଳ ଅଧ୍ୟାୟ । ମାତୃଭାଷା ବିଚ୍ଛେଦରେ ୧୮୯୫ ସାଲର ସମ୍ବଲପୁର ହିତୈଷିଣୀରେ ଯେଉଁ ଅସଂଖ୍ୟ, ଆର୍ତ୍ତନାଦ ବହନ କରୁଥିବା ବ୍ୟଥା ବିଦଗ୍ଧ କବିତାମାନ ପ୍ରକାଶିତ ହୋଇଥିଲା, ତାହା ଉତ୍ତାଳ ମାନବୀୟ ମୂଲ୍ୟବୋଧରେ ମହିମାନ୍ୱିତ ଥିଲା । ଏଥିପାଇଁ କବି ଗଙ୍ଗାଧର ମେହେର, ଧରଣୀଧର ମିଶ୍ର, ସୋମନାଥ ଦାସ, ମଦନ ମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର, ଶ୍ରୀପତି ମିଶ୍ର, ବୈକୁଣ୍ଠ ନାଥ ପୂଜାରୀ ଓ ଚନ୍ଦ୍ରଶେଖର ବେହେରାଙ୍କର ଭୂମିକା ଅତ୍ୟନ୍ତ ମହିମାଦୀପ୍ତ ଓ ଗୁରୁତ୍ୱପୂର୍ଣ୍ଣ ।
ଏହି ସମସ୍ତ ବିଷୟ ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଚିଫ୍‍ କମିଶନର୍‍ ଏଣ୍ଡ୍ରୁ ଫ୍ରେଜରଙ୍କ ୧୯୦୧ ସାଲର ସେପ୍ଟେମ୍ବର ୨୬ରୁ ୩୦ ତାରିଖ ମଧ୍ୟରେ ସମ୍ବଲପୁର ପରିଦର୍ଶନ ସଂପର୍କରେ

ସମ୍ବଲପୁର ହିତୈଷିଣୀରେ ୧୬.୧୦.୧୯୦୧ରେ ଓ ୩୦.୧୦.୧୯୦୧ରେ ପ୍ରକାଶିତ ଦୁଇଟି ବିବରଣୀ ଏଠାରେ ସନ୍ନିବେଶିତ କରାଗଲା ।

ସମ୍ବଲପୁର ହିତୈଷିଣୀ (୧୬.୧୦.୧୯୦୧)

ଆମ ମଧୁସୂଦନ ୨୬୩