ପୃଷ୍ଠା:Aama Madhusudan.pdf/୨୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚିଫ୍‍ କମିଶନ୍‍ର ଏବଂ ଓଡ଼ିଆ ଭାଷା

୨୬ ତାରିଖ ପ୍ରାତଃ ୧୦ ଘଣ୍ଟା ସମୟରେ ଲେଭେଲ୍‍ କ୍ରସିଙ୍ଗ୍‍ ନିକଟରୁ ରାଜପୁରୁଷମାନେ ଏବଂ ସମ୍ବଲପୁରର ସକଳ ଶ୍ରେଣୀର ଲୋକମାନେ ଚିଫ୍‍ କମିଶନର ସାହେବଙ୍କୁ ଅଭ୍ୟର୍ଥନା କରିବା ସକାଶେ ଏକତ୍ରିତ ହେଲେ । ପୋଲିସ୍‍ର ଗର୍ଜନ ତର୍ଜନକୁ ଭ୍ରୂକ୍ଷେପ ନକରି ଲୋକମାନେ ସାହେବ ମହୋଦୟଙ୍କର ଦର୍ଶନ କରିବା ସକାଶେ ଅଗ୍ରସର ହେଲେ । ରେଳ ସଡ଼କର ଅବ୍ୟବହିତ ପରେ ରାଜପୁରୁଷ ଏବଂ ଡିଷ୍ଟ୍ରିକ୍ଟ କାଉନ୍‍ସିଲ୍‍ ଓ ଲୋକାଲ୍‍ ବୋର୍ଡ ମେମ୍ବର ଦୁଇଶ୍ରେଣୀରେ ଦଣ୍ଡାୟମାନ ହେଲେ । ମନୋହର ପୋଷାକ ପରିହିତ ସୈନିକ ଓ ତତ୍‍ପରେ ସମ୍ବଲପୁରର ଅଧିବାସୀମାନେ ସଡ଼କର ଉଭୟପାର୍ଶ୍ୱରେ ଦଣ୍ଡାୟମାନ ଥିଲେ ।
ଷ୍ଟେସନଠାରୁ ସାହେବଙ୍କର ନିର୍ଦ୍ଦିଷ୍ଟ ନିବାସ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ପତାକାଯୁକ୍ତ ତୋରଣ ଗ୍ରଥିତ ହୋଇଥିଲା । ତତ୍‍ପାର୍ଶ୍ୱରେ କନଷ୍ଟେବଲ୍‍ ସମୂହ ଦଣ୍ଡାୟମାନ ଥିଲେ । ଗାଡ଼ିର ଘର୍ଘର ଶବ୍ଦ ଶ୍ରୁତିଗୋଚର ହେବାକୁ ଲାଗିଲା । ଏବଂ ଅବିଳମ୍ବେ ଗାଡ଼ି ଲେଭେଲ୍‍ କ୍ରସିଂଠାରେ ଦଣ୍ଡାୟମାନ ହେଲା । ଏଣେ ଆତସବାଜି ସବୁ ଗୁଡ଼ୁମ୍‍ ଗୁଡ଼ୁମ୍‍ ଶବ୍ଦକରି ଉତ୍‍ଥିତ ହେଲା । ଚିଫ୍‍ କମିଶନର୍‍ ସାହେବ ଗାଡ଼ିରୁ ଅବତରଣ କରି ସମସ୍ତଙ୍କର ଅଭିବାଦନ ଗ୍ରହଣ କଲେ । ଏଣେ ବିଗୁଲ୍‍ ବାଜି ଉଠିଲା । ତତ୍‍ପରେ ଉପସ୍ଥିତ ସଭ୍ୟ ଏବଂ ଅମଲାମାନଙ୍କ ପରିଚୟ ପ୍ରାପ୍ତ ହୋଇ ଚିଫ୍‍ କମିଶନର୍‍ ସାହେବ ବସାକୁ ପ୍ରସ୍ଥାନ କରିବାକୁ ଲାଗିଲେ । ଓଡ଼ିଆମାନେ ସେହି ସମୟରେ ଉଚ୍ଚସ୍ୱରରେ କହିଲେ ଯେ, "ଚିଫ୍‍ କମିଶନର୍‍ ସାହେବଙ୍କର ଜୟହେଉ, ସମ୍ବଲପୁର ଓଡ଼ିଆ ହେଉ ।" ସାହେବ ସଲାମ ପ୍ରତ୍ୟର୍ପଣ କରିକରି ଓଡ଼ିଆମାନଙ୍କର ହର୍ଷ ଓ ବିଷାଦ ରୋଳ ମଧ୍ୟରେ ସାର୍କିଟ୍‍ ହାଉସ୍‍ ଅଭିମୁଖେ ଅଗ୍ରସର ହେଲେ ।
ଓଡ଼ିଆ ଭାଷାର ବିଲୋପ ସାଧନ ଜନିତ ଦୁଃଖ ସମସ୍ତଙ୍କୁ ବ୍ୟାକୁଳିତ କରିଥିଲା । ସମସ୍ତଙ୍କର ହୃଦୟ ଯେପରି ଦୁଃଖରେ ଭାରାକ୍ରାନ୍ତ ଥିଲା । ବନ୍ୟାଜଳରେ ବ୍ୟାକୁଳ ପୁଷ୍କରିଣୀ ଯେପରି ସ୍ୱୀୟ ବକ୍ଷରେ ଛିଦ୍ର ଅନ୍ୱେଷଣ କରୁଥାଏ, ତଦ୍ରୂପ ମାତୃଭାଷା ବିତାଡ଼ନ ଜନିତ ଦୁଃଖରେ ଭାରାକ୍ରାନ୍ତ ଓଡ଼ିଆ ସହୃଦୟ ବନ୍ଧୁ ଖୋଜୁଥିଲା । ସହରର ଚତୁର୍ଦ୍ଦିଗରେ ଘରେଘରେ, ବାଟରେ, ହାଟରେ, ଦୋକାନରେ, ଧନୀ ଦରିଦ୍ର ବାଳକ, ବୃଦ୍ଧ, ସଦ୍‍ବଂଶଜ ଚଣ୍ଡାଳ ଓଡ଼ିଆ ନିମନ୍ତେ ମର୍ମାନ୍ତିକ ଦୁଃଖ ପ୍ରକାଶ କରୁଥିଲେ । ଦିବସର ସକାଳ ସମୟରେ, ରାତ୍ରିର ଅଧିକାଂଶ ସମୟରେ ଦଳଦଳ ଓଡ଼ିଆ ଚିଫ୍‍ କମିଶନର୍‍ ସାହେବଙ୍କୁ ଅପେକ୍ଷାକରି ଦଣ୍ଡାୟମାନ ଥିଲେ । ଗ୍ରାମବାସୀମାନଙ୍କର ଦୁଃଖ ତରଙ୍ଗର ସ୍ରୋତ କୌଣସି ପ୍ରକାର ନ୍ୟୂନ ନଥିଲା ।
ଚିଫ୍‍ କମିଶନ୍‍ର ସାହେବ ଅନୁସନ୍ଧାନ ଆରମ୍ଭ କଲେ । ସହରର ଅନେକ ବ୍ୟକ୍ତି ନିମନ୍ତ୍ରିତ ହେଲେ ଓ ସେମାନଙ୍କୁ ଚିଫ୍‍ କମିଶନର୍‍ ସାହେବ ଭାଷା ସଂକ୍ରାନ୍ତରେ ଅନେକ ପଶ୍ନ ଜିଜ୍ଞାସା କଲେ । ତତ୍‍ପରେ ସାହେବ ଅନୁସନ୍ଧାନ ନିମନ୍ତେ ଭ୍ରମଣ କରିବାକୁ ଲାଗିଲେ । କେବେ ମଫସଲରେ, କେବେ ସହରରେ, କେବେ ଅଶ୍ୱପୃଷ୍ଠରେ ତ କେବେ ଗାଡ଼ିରେ, କେବ ପ୍ରାତଃକାଳରେ, କେବେ

୨୬୪ ଆମ ମଧୁସୂଦନ