ପୃଷ୍ଠା:Aama Madhusudan.pdf/୨୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସନ୍ଧ୍ୟା ସମୟରେ, କେବେ ସୁକୋମଳ କ୍ରୋଡ଼ରେ ବର୍ଦ୍ଧିତ ଧନୀ ବ୍ୟକ୍ତିମାନଙ୍କଠାରୁ, କେବେ ଦାରିଦ୍ର୍ୟର ନିଷ୍ପେଷଣରେ ନିଷ୍ପେଷିତ ଜୀର୍ଣ୍ଣ ବସ୍ତ୍ର ପରିହିତ ଦରିଦ୍ରଙ୍କଠାରୁ, କେବେ ଆଧୁନିକ ଶିକ୍ଷାପ୍ରାପ୍ତ ଉପାଧିଧାରୀ ଯୁବକଙ୍କଠାରୁ, କେବେ ପ୍ରାଚୀନ ଧର୍ମରେ ଶିକ୍ଷିତ ରକ୍ଷଣଶୀଳ ପଣ୍ଡିତଙ୍କଠାରୁ, କେବେ ପ୍ରତାରଣାରେ ଆପାତ ମଧୁର ବଚନରେ ମୋହିତ ସରଳମନା କୃଷକଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ଲାଗିଲେ । ଚିଫ୍‍ କମିଶନ୍‍ର ସାହେବ କେତେବେଳେ କି ଉଦ୍ଦେଶ୍ୟରେ ବହିର୍ଗତ ହେଉଥିଲେ ତାହା ତାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଅଗୋଚର ଥିଲା ।
ମାନନୀୟ ଫ୍ରେଜର ସାହେବ ମହୋଦୟ ଯହିଁ ଯହିଁ ଗଲେ ସେଠାରେ ଓଡ଼ିଆମାନଙ୍କର ହୃଦୟ ନିହିତ ମର୍ମାନ୍ତିକ ବେଦନାଜନିତ ଆର୍ତ୍ତନାଦ ଶ୍ରବଣ କଲେ । ଓଡ଼ିଆମାନଙ୍କ ଦୁଃଖରେ ତାଙ୍କ ହୃଦୟ ବିଗଳିତ ହେଲା । ତତ୍‍କ୍ଷଣାତ୍‍ ବୁଝିପାରିଲେ ଯେ ଓଡ଼ିଆମାନଙ୍କ ଦୁଃଖ କାଳ୍ପନିକ ନୁହେଁ । ତାଙ୍କ ଦେବୋଚିତ ନିରପେକ୍ଷତା ବ୍ୟତୀତ ସମ୍ବଲପୁରରେ ଓଡ଼ିଆ ଭାଷାର ଅସ୍ତିତ୍ୱ ଓ ଓଡ଼ିଆ ଜାତିର ଜାତୀୟତା ଲୋପ ପାଇଯାଇଥାନ୍ତା । ଓଡ଼ିଆମାନେ କେତେବେଳେ ଅବନତିର ପିଚ୍ଛିଳ ସୋପାନରେ ଅଧଃପତିତ ହୋଇଥାନ୍ତେ ତା ଈଶ୍ୱରଙ୍କୁ ଜଣା । ଫ୍ରେଜର ସାହେବଙ୍କ ନାମ ସମ୍ବଲପୁର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ସମ୍ବଲପୁରର ସନ୍ତାନମାନେ ସହୃଦୟ ଚିଫ୍‍ କମିଶନରଙ୍କ ସାକ୍ଷାତ ଲାଭ କରି ସ୍ୱୀୟ ଦୁଃଖ ଜଣାଇବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ । ପ୍ରଥମ ଦିନ ସେମାନଙ୍କର ଉଦ୍ଦେଶ୍ୟ ବିଫଳ ହେଲା । ଏବଂ ପରେ ଚିଫ୍‍ କମିଶନର୍‍ ସାହେବ ସମ୍ବଲପୁରର ଭଦ୍ରଲୋକଙ୍କୁ ନିମନ୍ତ୍ରଣ କଲେ । ସମସ୍ତେ ଉପସ୍ଥିତ ହେବାରୁ ସେମାନଙ୍କର ବ୍ୟକ୍ତବ୍ୟ କ'ଣ ତାହା ଜିଜ୍ଞାସା କଲେ । ସାହେବ ମହୋଦୟ ଭ୍ରମଣ କରିକରି ଯେଉଁ ଆର୍ତ୍ତନାଦ ଶ୍ରବଣ କରିଥିଲେ ଏଠାରେ ତାହା ହିଁ ଶ୍ରବଣ କଲେ । ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି କହିଲେ, "ଆମେ ଆପଣଙ୍କ ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କର ଭାଷା ପରିବର୍ତ୍ତନଜନିତ କଷ୍ଟର ବିଷୟ ଅନୁସନ୍ଧାନ କଲୁ, ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରିଅଛନ୍ତି । ଏବଂ ଏତଦ୍‍ ଦୃଷ୍ଟିରୁ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃ ପ୍ରଚଳନ କରିବା ନିମନ୍ତେ ଗଭର୍ଣ୍ଣର ଜେନେରାଲଙ୍କ ନିକଟକୁ ଲେଖିଅଛୁ । ସମ୍ବଲପୁର ବାସିନ୍ଦା ଦୁଃଖରେ ଏପରି ଅଭିଭୂତ ହୋଇଥିଲେ ଯେ, ସାହେବଙ୍କର ଅମୃତବାଣୀ ଶ୍ରବଣ କରି ସୁଦ୍ଧା ଟିକିଏ ଅଧୀରତା ପ୍ରକାଶକଲେନାହିଁ । ଚିଫ୍‍ କମିଶନର ସାହେବ ସେମାନଙ୍କୁ ସମ୍ବୋଧନ କରି ପୁନଶ୍ଚ କହିଲେ, "ଏଥିରେ କିଛି ସନ୍ଦେହ ନାହିଁ, ଆପଣମାନେ ମନେକରନ୍ତୁ ଯେ, ଓଡ଼ିଆ ଆଜି ସମ୍ବଲପୁରରେ ଅଦାଲତ ଭାଷା ହେଲା । ଆଗାମୀ ଜାନୁଆରି ମାସର ପ୍ରଥମ ତାରିଖରୁ କାଗଜ ପତ୍ର ଓଡ଼ିଆରେ ଲିଖିତ ହେବା ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।" ତତ୍‍ପରେ ଓଡ଼ିଆମାନେ ସହୃଦୟ ଚିଫ୍‍ କମିଶନରଙ୍କୁ ଧନ୍ୟବାଦ ପ୍ରଦାନ କରି ବିଦାୟ ଗ୍ରହଣ କଲେ ।
ଚିଫ୍‍ କମିଶନର ସାହେବ ତିରିଶି ତାରିଖ ମଧ୍ୟାହ୍ନରେ ପ୍ରସ୍ଥାନ କରିବା ମାର୍ଗରେ ହାଇସ୍କୁଲ୍‍ ପରିଦର୍ଶନ କଲେ । ହାଇସ୍କୁଲ୍‍ର ମେମ୍ବର ଦେଶ ହିତୈଷୀବାବୁ, ବ୍ରଜମୋହନ ପଟ୍ଟନାୟକ, ଚିଫ୍‍

ଆମ ମଧୁସୂଦନ ୨୬୫