ପୃଷ୍ଠା:Aama Madhusudan.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଯାଉଥିଲା ଗୋଟା ଜାତିଟା ଭାସି

ଓଡ଼ିଆ ଜାତୀୟ ଜୀବନର ଅନ୍ୟତମ ବ୍ୟାଖ୍ୟାକାର ତଥା ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଅର୍ଘ୍ୟଦାନରେ ମଧୁସୂଦନ ଏହିପରି ସମ୍ବୋଧିତ ହୋଇଛନ୍ତି -
"ମଧୁସୂଦନ କେବଳ ଓଡ଼ିଶାର ନୁହନ୍ତି, ତାଙ୍କର ପରିସ୍ଥିତି ଓ ପୃଷ୍ଠଭୂମିରେ ଭାରତୀୟ ଜାଗରଣର ଅନ୍ୟତମ ଆଦ୍ୟସ୍ୱର- ଜାତୀୟ ଗୌରବ ।"
ତାଙ୍କ କାର୍ଯ୍ୟଧାରାର ପରିସୀମା ଓ ପ୍ରଖର ଚେତନାର ବ୍ୟାପ୍ତି ପ୍ରଦେଶର ସୀମା ଅତିକ୍ରମ କରି ସମଗ୍ର ଦେଶର ବହୁ କ୍ଷେତ୍ରକୁ ବିଚ୍ଛୁରିତ ହୋଇଥିଲା । ମଧୁସୂଦନଙ୍କ ନାମ ସହିତ ଉତ୍କଳଗୌରବ ପଦର ସଂପୃକ୍ତି ତାହାଙ୍କର ପରିବ୍ୟାପକ, ପ୍ରତିଭାଦୀପ୍ତ, ମହନୀୟ ବ୍ୟକ୍ତିତ୍ୱକୁ ଏହି ପ୍ରଦେଶର ପରିଧି ମଧ୍ୟରେ ସୀମିତ କରାଯାଇଛି । କେଉଁ ମୁହୂର୍ତ୍ତରେ ଦେଶର ମହନୀୟ ବ୍ୟକ୍ତିତ୍ୱ ଗୋପବଂଧୁଙ୍କୁ ଜଣେ ପଡେ଼ାଶୀ ପ୍ରଦେଶର ଜନନାୟକ ଉତ୍କଳମଣି ବୋଲି ଆଖ୍ୟାୟିତ କରିଥିଲେ ବୋଲି ତାହାରି ଅନୁସରଣରେ ଓଡ଼ିଶାର ବହୁ ପ୍ରତିଭାଧର ପୁରୁଷମାନେ ନାମିତ ହୋଇଛନ୍ତି- ଉତ୍କଳଗୌରବ, ଉତ୍କଳଜ୍ୟୋତି ଓ ଉତ୍କଳକେଶରୀ ରୂପେ ଅଥଚ ପଡେ଼ାଶୀ ରାଜ୍ୟର ନେତୃପୁରୁଷମାନେ ଆଖ୍ୟାୟିତ ହୋଇଛନ୍ତି ଦେଶବଂଧୁ, ବିଦ୍ୟାସାଗର,ବିଦ୍ୟାବାରିଧି ଆଉ ବିଶ୍ୱକବି ଭାବରେ; ମାତ୍ର ସଂସ୍କୃତିପ୍ରେମୀ ବିଚ୍ଛନ୍ଦ ମଧୁବାବୁଙ୍କୁ ଉତ୍କଳମାର୍ତ୍ତଣ୍ଡ ବୋଲି ସମ୍ବୋଧିତ କରିଥିଲେ । ହେଲେ ସୁରେନ୍ଦ୍ର ମହାନ୍ତି ମଧୁସୂଦନଙ୍କର ବହୁଧା ପ୍ରସାରିତ ଜ୍ୱଳନ୍ତ ଦୀପ୍ତିରେ ସ୍ତବ୍ଧ ଆଉ ସମ୍ମୋହିତ ହୋଇ ଏହାଙ୍କୁ ଆବାହନ କରିଥିଲେ ଶତାବ୍ଦୀର ସୂର୍ଯ୍ୟ ରୂପରେ ।
ସଂଗ୍ରାମର ପ୍ରଥମ ପର୍ଯ୍ୟାୟରେ ମଧୁସୂଦନ ବିହାର ଓଡ଼ିଶାର ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ବିଭାଗର ମଂତ୍ରୀ ରୂପେ ପ୍ରଣୟନ କରିଥିଲେ ଏକ ପ୍ରଗତିଶୀଳ ସ୍ୱାୟତ୍ତଶାସନ ବିଲ୍‍, ଯହିଁରେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ପ୍ରାଣସତ୍ତାକୁ ଅଭିମଂତ୍ରିତ କରି, ଜନଗଣଙ୍କର ବିଶ୍ୱାସ ହରାଇଥିବା ନିର୍ବାଚିତ ପ୍ରତିନିଧିଙ୍କର ପ୍ରତ୍ୟାହାରର ବ୍ୟବସ୍ଥା ସନ୍ନିବେଶିତ କରାଯାଇଥିଲା । ଏହା ଥିଲା ସେ ଯୁଗରେ ଅଚିନ୍ତନୀୟ, ଆଉ ଓ ବର୍ଷ ପରେ ଏହିପରି ଏକ କ୍ରାନ୍ତିକାରୀ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାର ସାହସ ସଂଗ୍ରହ କରିପାରିନାହିଁ ଏ ଯୁଗର ଶାସନ ବ୍ୟବସ୍ଥା ।