ପୃଷ୍ଠା:Aama Madhusudan.pdf/୨୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରମ ବିପ୍ଳବିଣୀ ରାଣୀ ସୂର୍ଯ୍ୟମଣି
ପାଟମହାଦେଈ


ଓଡ଼ିଶାରେ ସମଗ୍ର ଊନବିଂଶ ଶତାବ୍ଦୀକୁ ଆବରିତ କରି ବିଂଶ ଶତାବ୍ଦୀର ପ୍ରଥମ ଭାଗ ପର୍ଯ୍ୟନ୍ତ, ଯେଉଁ ପ୍ରଚଣ୍ଡ ବୀର୍ଯ୍ୟଶାଳିନୀ ମହିୟସୀ ନାରୀ, ପ୍ରାୟ ଏକ ଶତାବ୍ଦୀ ଧରି ଓଡ଼ିଶାର ରାଜନୈତିକ, ସାମାଜିକ, ସାଂସ୍କୃତିକ ତଥା ଧର୍ମୀୟ ଆକାଶକୁ ଉଦ୍‍ଭାସିତ କରି ରଖିଥିଲେ, ସେ ହେଉଛନ୍ତି ପରମ ବିପ୍ଳବିଣୀ ରାଣୀ ସୂର୍ଯ୍ୟମଣି ପାଟମହାଦେଈ । ବୋଧହୁଏ ଓଡ଼ିଶାର ସମଗ୍ର ଇତିହାସରେ, ସେ ହେଉଛନ୍ତି ଅତ୍ୟନ୍ତ ଅଦ୍‍ଭୁତଭାବେ ସ୍ଫୂର୍ତ୍ତିିଶାଳିନୀ, ଅମୀତ ତେଜସ୍ୱିନୀ, ପ୍ରଖର ଦ୍ୟୁତିମୟୀ ନାରୀ, ଯାହାଙ୍କ ସମକକ୍ଷ ଅନ୍ୟ କୌଣସି ନାରୀ ନେତ୍ରୀ ଅବତୀର୍ଣ୍ଣା ହୋଇ ନାହାନ୍ତି । ଗଜପତି ବଂଶର ସାମ୍ରାଜ୍ଞୀ ରୂପରେ,ସେ କେବଳ ଓଡିଶାର ଅଧିଶ୍ୱରୀ ନ ଥିଲେ, ଓଡ଼ିଆ ଜାତିର ସ୍ନାୟୁକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ଲାଗି ପରମ ବିକ୍ରମର ସହିତ ସଂଗ୍ରାମରେ ସେ ଅତ୍ୟନ୍ତ ନିପୁଣତାର ସହିତ ଅବତୀର୍ଣ୍ଣା ହୋଇଥିଲେ । ଅଥଚ ସେ ଆଜି ଓଡ଼ିଶାର ଇତିହାସ ପୃଷ୍ଠାରୁ ବିସ୍ମୃତା ଓ ନିର୍ବାସିତା । ଏହି ଜାତି କିଭଳି ଅକୃତଜ୍ଞ ଓ ସ୍ୱାର୍ଥସର୍ବସ୍ୱ ତାହାର କଳନା କରାଯାଇପାରେ ନାହିଁ । ସୂର୍ଯ୍ୟମଣି ପାଟମହାଦେଈ ୧୮୧୮ ମସିହାରେ ଜନ୍ମଲାଭ କରି ୧୮୩୦ ମସିହାରେ ପୁରୀ ଗଜପତି ବଂଶର ପୁତ୍ରବଧୂ ରୂପେ ଶ୍ରୀକ୍ଷେତ୍ରକୁ ଆସିଥିଲେ । ତାହାଙ୍କର ମହାପ୍ରୟାଣ ଘଟିଥିଲା ୧୯୨୬ ମସିହା ନଭେମ୍ବର ୨୪ ତାରିଖରେ । ମଧ୍ୟବର୍ତ୍ତୀ ସମୟଟି ଥିଲା ଓଡ଼ିଶା ଇତିହାସର ଏକ ଦୁଃଖଦପୂର୍ଣ୍ଣ ଯୁଗ, ଯେଉଁଥିରେ କି ସେ ତିଳତିଳ କରି ନିଜର ଜୀବନକୁ ଜାତୀୟତାର ହୋମାଗ୍ନିରେ ନିଃଶେଷ କରିଦେଇଥିଲେ ।
ରାଣୀ ସୂର୍ଯ୍ୟମଣି ସୋନପୁର ରାଜବଂଶର ଦୈତାରୀ ସିଂହଙ୍କ କନ୍ୟାରୂପେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ଅଶ୍ୱାରୋହଣ ସହିତ ଖଡ଼୍‍ଗ, ବର୍ଚ୍ଛା ଓ ବନ୍ଧୁକ ଚାଳନାରେ କେବଳ ନୁହେଁ, ଯୁଦ୍ଧବିଦ୍ୟାର ସମସ୍ତ କ୍ଷେତ୍ରରେ ସେ ଅସାଧାରଣ ନିପୁଣତା ଲାଭ କରିଥିଲେ । ଏଣୁ

ଆମ ମଧୁସୂଦନ ୨୭୧