ପୃଷ୍ଠା:Aama Madhusudan.pdf/୨୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୀରା, 'ଓଡ଼ିଆ ବାଳିକା' ନାମରେ ପରିଚିତା ହୋଇ ଅଶେଷ ଖ୍ୟାତି ଅର୍ଜନ କରିଥିଲେ । ସେ ମଧ୍ୟ ଅପୂର୍ବ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ । ତେଣୁ ପୁରୀ ଗଜପତି ବଂଶର ରାଜା ରାମଚନ୍ଦ୍ର ଦେବ (ତୃତୀୟ)ଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ । ପରିଣାମରେ, ସୂର୍ଯ୍ୟମଣି ପୁରୀ ଗଜପତି ବଂଶର ପୁତ୍ରବଧୂ ତଥା ଯୁବରାଣୀ ରୂପେ ବରିତା ହୋଇଥିଲେ । ଏହା ବୋଧହୁଏ ବିଧି ନିର୍ଦ୍ଦିଷ୍ଟ ଥିଲା, ଯାହା ପରବର୍ତ୍ତୀ କାଳରେ ଓଡ଼ିଶା ଇତିହାସର ଗତିପଥକୁ ବଦଳାଇ ଦେଇଥିଲା ।
ହଁ, ରାଜବଧୂ ରୂପେ ନିର୍ବାଚିତ ହେବା ପରେ କୁମାରୀ ସୂର୍ଯ୍ୟମଣି, ପିତା ଦୈତାରୀ ସିଂହଙ୍କ ସହିତ ସେ ବେଳର ପରମ୍ପରା ଅନୁସାରେ ୧୮୩୦ ମସିହାରେ ଦ୍ୱାଦଶ ବର୍ଷ ବୟସରେ ପୁରୀକୁ ଆସିଲେ । ପଥ ଅତି ଦୁର୍ଗମ ଓ ବିପଦ ସଂକୁଳ ଥିଲା । ପଥ ମଧ୍ୟରେ ନଦୀତୀରରେ ତମ୍ବୁ ପକାଇ ବିଶ୍ରାମ ନେବାକୁ ପଡ଼ିଲା । ନିଶାର୍ଦ୍ଧରେ ସମସ୍ତେ ନିଦ୍ରା ଯାଇଥିଲେ , ମାତ୍ର ସୂର୍ଯ୍ୟମଣି ଅନିଦ୍ରା ରହି ତମ୍ବୁକୁ ଜଗି ବସିଥିଲେ । ରାତିର ଘନ ଅନ୍ଧକାରରେ ନଦୀ ଗର୍ଭରୁ ଏକ ଭୟଙ୍କର କୁମ୍ଭୀର ତମ୍ବୁ ନିକଟକୁ ଆସି ଆକ୍ରମଣପାଇଁ ଉଦ୍ୟତ ରହିଥିଲା । ମାତ୍ର ସୂର୍ଯ୍ୟମଣି ବନ୍ଧୁକ ଖଡ଼୍‍ଗରେ ତାକୁ କାଟି ପକାଇଥିଲେ । ସମସ୍ତ ଅଞ୍ଚଳଟି ରକ୍ତରଂଜିତ ହୋଇଯାଇଥିଲା । ନିଦ୍ରାରୁ ଉଠି ସମସ୍ତେ ହତ ଚକିତ ହୋଇଯାଇଥିଲେ ।
ପୁରୀରେ ପହଞ୍ଚିବା ପରେ, ପାରମ୍ପରିକ ପ୍ରଥା ଅନୁସାରେ ଗଜପତି ବଂଶର ଯୁବରାଜ, ରାଜା ରାମଚନ୍ଦ୍ରଦେବ (ତୃତୀୟ)ଙ୍କର ପୁତ୍ର ବୀରକିଶୋର ଦେବଙ୍କ ସହିତ ସୂର୍ଯ୍ୟମଣିଙ୍କର ଶୁଭ ପରିଣୟ ଜଗନ୍ନାଥ ବଲ୍ଲଭ ମଠରେ ସମାହିତ ହୋଇଥିଲା । ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜଗୁରୁ କାଶୀ ମିଶ୍ରଙ୍କର ବଂଶଧର ପଣ୍ଡିତ ଗଂଗାଧର ପାଟ୍ଟଯୋଷୀ ବାଚସ୍ପତି ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଗୃହଲକ୍ଷ୍ମୀ ରୂପେ ସୂର୍ଯ୍ୟମଣି ପାଟମହାଦେଈ ଆସିବା ପରେ ନାନା ଶୁଭଚିହ୍ନ ଦେଖାଯାଇଥିଲା । ପୁରୀରୁ ନିଷ୍ଠୁର ଯାତ୍ରୀକର ଉଠାଇ ଦିଆଗଲା । ଇଂରେଜ ସରକାର ବାହାଦୂର ରାଜା ରାମଚନ୍ଦ୍ର ଦେବଙ୍କୁ ମନ୍ଦିର ପରିଚାଳନାର ଭାର ଅର୍ପଣ କରି ବାର୍ଷିକ ୫୩ ହଜାର ଟଙ୍କା ପ୍ରଦାନ କରିବାକୁ ସ୍ଥିର କଲେ । ବିବାଦୀୟ ୨୭ ହଜାର ମାଇଲ ରାଜାଙ୍କର ଅଧୀନକୁ ଆସିଲା । ବାଲି ସାହି ନଅର ପରିତ୍ୟକ୍ତ ହୋଇଥିବାରୁ ବଡ଼ଦାଣ୍ଡରେ ଉଆସ ଓ ନଗର ନିର୍ମିିତ ହେଲା । ସୂର୍ଯ୍ୟମଣି ପାଟମହାଦେଈ ନୂତନ ଉଆସରେ ପ୍ରବେଶ କେବଳ କଲେ ନାହିଁ, ବହୁ କାଳ ଧରି ଓଡ଼ିଆ ଜାତିର ଅଧିଶ୍ୱରୀ ରୂପେ ଅଧିଷ୍ଠିତା ହୋଇଥିଲେ । ମାତ୍ର ଏହା ପରେ ବିଧିର ବିଧାନ ଅନ୍ୟଥା ଥିଲା । ବିଷାଦ ଓ ବିପଦର ଘନଘଟା ଶ୍ରୀମନ୍ଦିରକୁ ଗ୍ରାସ କରିବାକୁ ବସିଥିଲା । ୧୮୮୭ ବେଳକୁ ଶ୍ରୀମନ୍ଦିର ଅଧିକାର କରିବାପାଇଁ ବ୍ରିଟିଶ ଉପନିବେଶବାଦର ପ୍ରତାରଣାମୂଳକ ଚକ୍ରାନ୍ତ ଉଗ୍ର ରୂପରେ ସଂଯୋଜିତ ହୋଇଥିଲା । ଯାହାକୁ ବୀରଦର୍ପରେ ସମ୍ମୁଖୀନ ହୋଇଥିଲେ ଶ୍ରୀମନ୍ଦିର ତତ୍ତ୍ୱାବଧାରିକା ବିଧବା ରାଣୀ ସୂର୍ଯ୍ୟମଣି ।
୧୮୮୬ ଡିସେମ୍ବର ମାସର ମଧ୍ୟଭାଗ । ପୁରୀର କଲେକ୍ଟର ମିଷ୍ଟର ସାଭାଜ ୧୫.୧୦.୧୮୮୬ରେ କଟକର ଜିଲ୍ଲା ଜଜ୍‍ ମିଷ୍ଟର ଡ୍ରାଗନ୍‍ଙ୍କ କୋର୍ଟରେ ଶ୍ରୀମନ୍ଦିର ପରିଚାଳନାର ଅଧିକାର ଗଜପତି ବଂଶରୁ ଉଚ୍ଛେଦ କରି ଏକ କମିଟି ହସ୍ତରେ ନ୍ୟସ୍ତ କରିବାପାଇଁ ଚକ୍ରାନ୍ତମୂଳକ

୨୭୨ ଆମ ମଧୁସୂଦନ