ମୋକଦ୍ଦମା ଦାଏର୍ କରି ଶ୍ରୀମନ୍ଦିରର କିଛି ଭାଗକୁ ଜଉମୁଦ କରିଥିଲେ । ଏହି ଚରମ ଦୁର୍ଦ୍ଦିନରେ
ରାଣୀ ସୂର୍ଯ୍ୟମଣି ପାଟମହାଦେଈ, କଟକର ପ୍ରଖ୍ୟାତ ଓକିଲ ମଧୁସୂଦନ ଦାସଙ୍କୁ ଆହ୍ୱାନ କରିଥିଲେ ।
ପର୍ଦ୍ଦା ଆଢ଼ୁଆଳରେ ରହି ରାଣୀ, ସମସ୍ତ ତଥ୍ୟ ମଧୁସୂଦନଙ୍କୁ କହିସାରିବା ପରେ, ଏକ ଭାବବିହ୍ୱଳ
ଅଥଚ ଦୃପ୍ତ କଣ୍ଠରେ କହିଥିଲେ, "ହେ ପୁତ୍ର ! ତୁମେ ସବୁକଥା ଅବଗତ ହେଲ । କଲିକିତା
ହାଇକୋର୍ଟରେ ଅପିଲ ଦାଖଲ କର । ଏହି ସମସ୍ତ ବିରୁଦ୍ଧରେ ମୋର ଏକମାତ୍ର ଉତ୍ତର ଅଛି ।
ଏହି କ୍ଷେତ୍ରରେ ଯଦି ମୋର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଯାଏ, ତାହାହେଲେ ବର୍ତ୍ତମାନଠାରୁ ଏହି
କଥାକୁ ମଧ୍ୟ ସ୍ମରଣ ରଖିଥାଅ, ମୁଁ ଜଣେ କ୍ଷତ୍ରିୟା ରମଣୀ, ଅଶ୍ୱାରୋହଣରେ ପାରଦର୍ଶୀ । ଅତିକ୍ରାନ୍ତ
ବୟସ ସତ୍ତ୍ୱେ ମୋର ଅବସନ୍ନ ହାତ ଦୁଇଟି ମଧ୍ୟ ଖଡ୍ଗ ପରିଚାଳନାରେ ସୁଦକ୍ଷ ଅଛନ୍ତି । ବଂଶର
ପବିତ୍ର ପରଂପରାସିଦ୍ଧ ଅଧିକାରକୁ ରକ୍ଷା କରିବାପାଇଁ ମୁଁ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣା ହୋଇ ଖଡ୍ଗ
ପରିଚାଳନାକରି ଚରମ ମୃତ୍ୟୁବରଣ କରିବାକୁ ପ୍ରସ୍ତୁତ ଅଛି ।"
ସେତେବେଳେ ଚାରିଆଡେ଼ ଛାଇଯାଇଥିଲା ସ୍ତବ୍ଧ ନୀରବତା । ହତଚକିତ ମଧୁସୂଦନ ନିର୍ବାକ୍ ଆଉ ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ମାତ୍ର କ୍ଷଣକ ମଧ୍ୟରେ ସେ ଜାଗ୍ରତ ହୋଇ ପାଟମହାଦେଈଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଏବଂ କଲିକତାର ସମସ୍ତ ପ୍ରଖ୍ୟାତ ଆଇନଜୀବୀଙ୍କର ନାସ୍ତିବଚନ ଓ ବାରଣ ସତ୍ତ୍ୱେ ମଧୁସୂଦନ କଲିକତା ହାଇକୋର୍ଟରେ ରାଣୀଙ୍କ ପକ୍ଷରୁ ରିଟ୍ ଆବେଦନ ଦାଖଲ କରିଥିଲେ । କେବଳ ଏହି ଗୋଟିଏ ଘଟଣା ନୁହେଁ, ୧୮୦୩ ସାଲରୁ ୧୯୨୬ ସାଲ ପର୍ଯ୍ୟନ୍ତ ପ୍ରାୟ ଏକ ଶତାବ୍ଦୀ ଧରି ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କ ଜୀବନ ବୃତ୍ତାନ୍ତ ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ସହିତ ଅଂଗାଗୀଭାବେ ଜଡ଼ିତ ହୋଇ ରହିଥିଲା । ରାଜମହଲର ପର୍ଦ୍ଦା
ଆଢ଼ୁଆଳରେ ସେ ପ୍ରକୃତରେ ଖଡ଼୍ଗହସ୍ତା ହୋଇ ମନ୍ଦିର ତଥା ଓଡ଼ିଆ ଜାତୀୟତାର ରକ୍ଷାଲାଗି
ନିଜର ଜୀବନକୁ କେବଳ ସମର୍ପିତ କରିନଥିଲେ, ଦାରୁଣ ନିର୍ଯ୍ୟାତନା ଓ ଲାଞ୍ଛନା ମଧ୍ୟରେ ନିଜ
ଜୀବନକୁ ଜାତୀୟତାର ଯଜ୍ଞବେଦୀରେ ନିଃଶେଷ କରିଦେଇଥିଲେ । ଅନ୍ୟ ଅର୍ଥରେ ଏକ ଶତାବ୍ଦୀ
ଧରି ସେ ଥିଲେ ଓଡ଼ିଶାର ତଥା ଗଜପତି ବଂଶର ସିଂହାସନରେ ଆରୂଢ଼ା ତଥା ଅପରାଜେୟା
ଚକ୍ରବର୍ତ୍ତିିନୀ । ସେ ବ୍ରିଟିଶ ଶାସନର କୂଟ ଚକ୍ରାନ୍ତକୁ ପ୍ରତିହତ କରିବାପାଇଁ କ୍ରମାଗତ ଭାବେ ଅମୋଘ
ବଜ୍ର ତୁଲ୍ୟ ଯେଉଁ ପ୍ରତିବାଦ ପତ୍ରମାନ ପ୍ରେରଣ କରିଥିଲେ, ତାହାର ସଂକଳନ ପ୍ରାୟ ଏକ ହଜାର
ପୃଷ୍ଠାରୁ ଅଧିକ ହେବ । ତାର ଇତିହାସ ଏହାର ଚରମ ସାକ୍ଷ୍ୟ ବହନ କରେ ।
ହେ ପାଠକ ବର୍ଗ ! ଆମେ ପୁଣି ୧୮୫୪ ମସିହାର ଘଟଣା ପ୍ରବାହ ମଧ୍ୟକୁ ଫେରିଆସିବା ।
୧୮୫୪ ମସିହାରେ ରାଜା ରାମଚନ୍ଦ୍ର ଦେବ (ତୃତୀୟ)ଙ୍କ ପରଲୋକହେଲା । ଗଜପତି ବଂଶର
ସୁବର୍ଣ୍ଣ ଯୁଗର ପରିସମାପ୍ତି ଘଟିଲା । ରାମଚନ୍ଦ୍ର ଦେବଙ୍କ ପରଲୋକ ପରେ, ସେତେବେଳକୁ
ଅତୀବ ରୁଗ୍ଣ ହୋଇଯାଇଥିବା ବୀରକିଶୋର ଦେବ ସିଂହାସନ ଆରୋହଣ କଲେ । ରାଣୀ
ପାଟମହାଦେଈଙ୍କର ଅକ୍ଲାନ୍ତ ସେବା ସତ୍ତ୍ୱେ ବୀରକିଶୋର ଦେବ ୧୨.୧୨.୧୮୫୯ରେ
ପରଲୋକ ଗମନ କଲେ । ମାତ୍ର ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ରାଣୀ ସୂର୍ଯ୍ୟମଣିଙ୍କର ସୁଚିନ୍ତିତ
ପରାମର୍ଶ କ୍ରମେ, ରାଜା ବୀରକିଶୋର ବଡ଼ଖେମୁଣ୍ଡିର ଦ୍ୱିତୀୟ ରାଜପୁତ୍ର ଦିବ୍ୟସିଂହ ଦେବଙ୍କୁ
ପୃଷ୍ଠା:Aama Madhusudan.pdf/୨୭୨
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୨୭୩