ପୃଷ୍ଠା:Aama Madhusudan.pdf/୨୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧିକାରକୁ ଅଧିକ ସୁଦୃଢ଼ କରିବାକୁ ଯାଇ, ୧୮୮୨ ସାଲରେ ଜଗନ୍ନାଥ ଜେନାମଣିଙ୍କୁ "ରାଜା ମୁକୁନ୍ଦଦେବ' ପଦବୀରେ ରାଣୀ ସୂର୍ଯ୍ୟମଣି ଅଭିଷିକ୍ତ କରିଥିଲେ । କଳାପାଣିରେ ଗାଦିଚ୍ୟୁତ ରାଜା ଜୀବିତ ଥିବାରୁ ସରକାର ଏହି ପଦବୀକୁ ସ୍ୱୀକୃତି ପ୍ରଦାନ କରିନଥିଲେ । ମାତ୍ର ଅଦ୍‍ଭୁତ ପାରଦର୍ଶିତା ଏବଂ ବିଚକ୍ଷଣତା ସହ ମଧୁସୂଦନ ଦାସଙ୍କ ଦ୍ୱାରା ଲିଖିତ ତଥା ରାଣୀଙ୍କ ଦ୍ୱାରା ପ୍ରଦତ୍ତ ଏହି ଦରଖାସ୍ତକୁ ବିଚାରକୁ ନେଇ ବ୍ରିଟିଶ ସରକାର କେବଳ ସ୍ୱୀକୃତି ପ୍ରଦାନ କରିନଥିଲେ, ୧୮୮୫ ସାଲ ନଭେମ୍ବର ମାସରେ କଟକରେ ବଙ୍ଗର ଗଭର୍ଣ୍ଣର ରିଉସ୍‍ ଥମ୍ପସନ୍‍ଙ୍କର ଆୟୋଜିତ ଏକ ଦରବାରରେ ମୁକୁନ୍ଦଦେବଙ୍କୁ ସ୍ୱତନ୍ତ୍ର ମାନ୍ୟତାପୂର୍ଣ୍ଣ ସନନ୍ଦ ପ୍ରଦାନ କରିଥିଲେ । ମାତ୍ର ଉକ୍ତ ସମ୍ମାନନୀୟ ଦରବାରରେ ଗଭର୍ଣ୍ଣରଙ୍କ ଅପେକ୍ଷା, ଠାକୁର ରାଜା ମୁକୁନ୍ଦଦେବଙ୍କ ପ୍ରତି ଜନତାର ବିହ୍ୱଳିତ ତଥା ଅକୁଣ୍ଠ ଶ୍ରଦ୍ଧା ନିବେଦନରେ ଗଭର୍ଣ୍ଣର ଅପମାନିତ ବୋଧ କରି ଶ୍ରୀମନ୍ଦିରର ପରିଚାଳନାକୁ ସ୍ୱହସ୍ତକୁ ନେବାପାଇଁ ଉଦ୍ୟମ ଅବ୍ୟାହତ ରଖିଥିଲେ । ଏହି ଉଦ୍ୟମର ଏକ ଅଂଶସ୍ୱରୂପ ୧୮୮୬ ସାଲ ଡିସେମ୍ବର ମାସରେ କଟକ ଜିଲ୍ଲାକୋର୍ଟରୁ ଆଦେଶ ଆଣି ଦେଉଳର କିଛି ଅଂଶକୁ ଜଉମୁଦ କରିଥିଲେ ।
ସମସ୍ତ ପ୍ରଖ୍ୟାତ ଓକିଲଙ୍କ ନାସ୍ତିବଚନ ସତ୍ତ୍ୱେ ମଧୁସୂଦନ ଦିନେ ପ୍ରଭାତରେ ସ୍ନାନ ଓ ପ୍ରାତରାଶ ସମାପ୍ତ କରି ସମାହିତ ଚିତ୍ତରେ ସମସ୍ତ ବିଷୟର ଆଇନଗତ ବ୍ୟାଖ୍ୟାନ ଓ ତର୍ଜମା ସହିତ ଗୋଟିଏ ସ୍ୱତନ୍ତ୍ର ନୋଟ୍‍ ମୁଦ୍ରଣ କରିଥିଲେ, ଯାହାକୁ ଆଧାର କରି ବାରିଷ୍ଟରଗଣ, ଜନ୍‍ ଉଡ଼୍‍ରଫ୍‍, ଇଭାନସ୍‍ ଓ ସାଣ୍ଡେଲ କଲିକତା ହାଇକୋର୍ଟରେ ଲଢ଼ିଥିଲେ । ଏହି ଅପିଲ କେଶ ମାର୍ଚ୍ଚ ୧୮୮୭ରେ ଦାଖଲ ହୋଇଥିଲା ।
ଏହି ଅପିଲ୍‍ କେସ୍‍ର ଜବାବ ସୁଆଲପାଇଁ ତିନିଦିନ ଧାର୍ଯ୍ୟ ହୋଇଥିଲା । ଏହା ଥିଲା ସମଗ୍ର ଭାରତରେ ଏକ ବହୁଚର୍ଚ୍ଚିତ କେସ୍‍, ଯାହା ଉପରେ ଜନତାର ଦୃଷ୍ଟି ନିବଦ୍ଧ ରହିଥିଲା । ଏହାର ବିବରଣୀ ଶୁଣିବାପାଇଁ କୋର୍ଟ ପରିସର ଲୋକାରଣ୍ୟ ହୋଇଯାଇଥିଲା । ଦୂରଦୂରାନ୍ତରରୁ ଆଇନଜୀବୀମାନେ ଆସି ଉପସ୍ଥିତ ଥିଲେ । ମାତ୍ର ମଧୁସୂଦନ ଦାସଙ୍କର ପ୍ରସ୍ତୁତ ତଥ୍ୟାବଳୀ ଏଭଳି ଯୁକ୍ତିନିଷ୍ଠ ଓ ଶାଣିତ ଥିଲା ଯେ, ତାହାକୁ ଆଧାରକରି ବିଦ୍‍ବତ୍ତାସମ୍ପନ୍ନ ପ୍ରଖ୍ୟାତ ବାରିଷ୍ଟରଗଣ ତିନିଘଣ୍ଟା ମଧ୍ୟରେ ତାଙ୍କର ଉପସ୍ଥାପନା ସାରି ଦେଇଥିଲେ । ରାଣୀ ସୂର୍ଯ୍ୟମଣି ପାଟମହାଦେଈ ବିଜୟୀ ଘୋଷିତ ହେଲେ । ଏହି ବିଜୟ ଲାଗି ବାରିଷ୍ଟର ବର୍ଗ ସମସ୍ତ କୃତିତ୍ୱ ମଧୁସୂଦନ ଦାସଙ୍କୁ ସମର୍ପି ଥିଲେ । ମଧୁସୂଦନ ଦାସ ସମସ୍ତଙ୍କର ଦୃଷ୍ଟିର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଥିଲେ । ଏକ ନୈଶ ଭୋଜିସଭାରେ ମଧୁସୂଦନ ଦାସଙ୍କୁ ବଂଗର ନବନିଯୁକ୍ତ ଗଭର୍ଣ୍ଣର ସାର୍‍ ଷ୍ଟୁଆର୍ଟ ବେଲି ସମ୍ଭ୍ରମର ସହ ରାଜଭବନକୁ ନିମନ୍ତ୍ରଣ କରି ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ ଗଜପତି ବଂଶର ଅଧିକାରକୁ ସ୍ୱୀକୃତି ପ୍ରଦାନ କରିଥିଲେ । ସୂର୍ଯ୍ୟମଣି ପାଟମହାଦେଈଙ୍କ ପକ୍ଷରୁ ମଧୁସୂଦନ ଦାସ ରାଜିନାମାରେ ଦସ୍ତଖତ କରିଥିଲେ ।
ବିଜୟ ପ୍ରତ୍ୟାବର୍ତ୍ତନର ମହୋତ୍ସବ ଅକଳ୍ପନୀୟ ଥିଲା । ହାଇକୋର୍ଟର ଆଦେଶନାମାକୁ ସଂଗରେ ଧରି ମଧୁସୂଦନ ଦାସ ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କୁ ଭେଟିବା ପାଇଁ ପାଲିଙ୍କିରେ କଟକରୁ ଯାତ୍ରା କରିଥିଲେ ।

ଆମ ମଧୁସୂଦନ ୨୭୫