ପୃଷ୍ଠା:Aama Madhusudan.pdf/୨୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜଣେ ଓଡ଼ିଆ ଅଥବା An Uriya । ଏହା ନିଶ୍ଚିତରେ ଜଣେ ବ୍ୟକ୍ତିତ୍ୱର ପରିଚିତି । ଏହି ପରିଚୟଲାଗି ଏକ ଦୂରନ୍ତ ଅଭିଳାଷ ଆଉ କାହାର ବା ଥିଲା ? ଓଡ଼ିଆ ଜାତିର ଅନ୍ତରତମ ପ୍ରଦେଶରେ ଥିବା ନିର୍ବାପନମୁଖୀ ପ୍ରାଣସତ୍ତାକୁ ସ୍ପର୍ଶ କରି ତା'ର ଅସ୍ତିତ୍ୱକୁ ଯିଏ ଉଦ୍ଦୀପିତ କରିଥିଲେ; ଏହା ତାଙ୍କର ଥିଲା ଏକାନ୍ତ ଗୌରବଦୀପ୍ତ ପରିଚୟ । 'ଏନ୍‍ ଓରିଆ' ବା ଜଣେ ଓଡ଼ିଆ ଥିଲା, ୧୮୮୫ ସାଲରୁ କ୍ରମାନ୍ୱୟରେ ଇଂରାଜୀରେ ଉତ୍କଳ ଦୀପିକାରେ ପ୍ରକାଶିତ ମଧୁସୂଦନ ଦାସଙ୍କର ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ରଚନାରେ ଲେଖକୀୟ ନାମ । ଏହି ନାମ ମଧ୍ୟ ଥିଲା ସ୍ୱୟଂ ତାଙ୍କର ଏକ ସ୍ୱତଃସିଦ୍ଧ ଘୋଷଣାନାମା ।
ତିରୋଧାନର ଦୁଇଦିନ ପୂର୍ବରୁ ଅପେକ୍ଷାରତ ନୀଳକଣ୍ଠ ଦାସଙ୍କ ସମକ୍ଷରେ, ଏକ ଛାତ୍ର ଗୋଷ୍ଠୀର ପରିଦର୍ଶନ ବେଳେ ମଧୁସୂଦନଙ୍କର ବଜ୍ର ନିର୍ଘୋଷ କଣ୍ଠରେ ଘୋଷଣାନାମା ଥିଲା- "ହଁ ମନେରଖିଥିବ ଏହିପରି ଜଣେ ଓଡ଼ିଆ ଥିଲା, ଯେ ଶାସନର ଶକ୍ତିକୁ ଆଦୌ ଭୟ କରିନଥିଲା, ଆଉ କୌଣସି ପ୍ରଲୋଭନର ବଶବର୍ତ୍ତୀ ନହୋଇ ନିଜର ବିବେକାନୁମୋଦିତ ମାର୍ଗରୁ ତିଳେମାତ୍ର ଘୁଞ୍ଚି ନଥିଲା ।" ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଏକମାତ୍ର ପରିଚୟ ଥିଲା ଓଡ଼ିଆ ଆଉ ଓଡ଼ିଆ । ସେ ଥିଲେ ସର୍ବକାଳର ସର୍ବଶ୍ରେଷ୍ଠ ଓଡ଼ିଆ । ଓଡ଼ିଆ ଇତିହାସରେ ଯେଉଁ ଗୌରବଦୀପ୍ତ ପୁରୁଷମାନେ ସ୍ଥାନ ପାଇଛନ୍ତି, ମଧୁସୂଦନଙ୍କ ସୃଷ୍ଟ ଓଡ଼ିଶା ଥିବାରୁ ହିଁ ସେମାନଙ୍କର ଖ୍ୟାତି ଆଜି ଉଦ୍‍ଘୋଷିତ । ହଁ, ମଧୁସୂଦନୀୟ ଯବକାଚର ପୃଷ୍ଠଭୂିମିରେ ସେହିମାନଙ୍କର ଗରିମାମୟ ଚିତ୍ରପଟ ଆଜି ଉତ୍ତୋଳିତ । ଅଥଚ ସ୍ୱୟଂ ମଧୁସୂଦନ ଆଉ ତାଙ୍କର ଗୌରବଦୀପ୍ତ ସ୍ମୃତିପୀଠ ଆଜି ମହିଳା କଲେଜର ପରିସରରେ କାରାରୁଦ୍ଧ, ବିଡ଼ମ୍ବିତ ଆଉ ବିପର୍ଯ୍ୟସ୍ତ । ଏହି ଚରମ କୃତଜ୍ଞତା ଭରା ପ୍ରବଞ୍ଚନାର ଆଉ ତୁଳନା ନାହିଁ ।
ସହରୀୟ ପୃଷ୍ଠଭୂମିରେ ଅସଂଖ୍ୟ ନେତୃପୁରୁଷ ଜନ୍ମଗ୍ରହଣ କରିଥିଲେ । ମାତ୍ର ମଧୁସୂଦନ ଏକାନ୍ତ ଭାବେ ଓଡ଼ିଶାର ପଲ୍ଲୀ ଅର୍ଥନୀତିର ପଟ୍ଟଭୂମିରେ କେବଳ ଜନ୍ମଗ୍ରହଣ କରିନଥିଲେ, ତାଙ୍କର

ଆମ ମଧୁସୂଦନ ୨୭୯