ପ୍ରତ୍ୟୁତ୍ପନ୍ନମତିତାର ପ୍ରଖର ଦୃଷ୍ଟିଭଂଗୀପୂର୍ଣ୍ଣ ଅନୁସନ୍ଧିତ୍ସା ଘେନି ସେ ବାଲ୍ୟକାଳରୁ ଓଡ଼ିଶୀ କୃଷି ଓ
ଗ୍ରାମ୍ୟଶିଳ୍ପର ଉତ୍ପାଦନ ପ୍ରକ୍ରିୟା ସହ ଘନିଷ୍ଠ ଭାବେ ନିବନ୍ଧିତ ଥିଲେ । ଏହାହିଁ ତାଙ୍କୁ
ମହାତ୍ମାଗାନ୍ଧୀଙ୍କର ଅନ୍ୟତମ ମାର୍ଗଦର୍ଶକ ରୂପେ ଉପସ୍ଥାପିତ କରିଥିଲା । କେବଳ ସେତିକି ନୁହେଁ
ମଧୁସୂଦନ ଶୈଶବ ଅବସ୍ଥାରୁ ଓଡ଼ିଆ ଜାତିର ଅନ୍ତସ୍ଥଳୀର ଆଦ୍ୟ ଉତ୍ସରୁ ପ୍ରବାହିତ ନିବିଡ଼ ପ୍ରାଣ
ନିର୍ଯ୍ୟାସକୁ ପାନ କରି ଋଦ୍ଧିମନ୍ତ ହୋଇଥିଲେ । ସେହି ସଂପର୍କରେ ତାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ
ଥିଲା -
"ପିଲାଦିନେ କୋଇଲି ଗୋପୀଭାଷା ପଢ଼ିଥିଲି । ମୋର ମାଆଙ୍କୁ ଖୁସି କରାଇବାପାଇଁ ବଳରାମ ଦାସଙ୍କ ରାମାୟଣ, ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ପୋଥିରୁ
ପଢ଼ି ଶୁଣାଉଥିଲି । ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାସ, ଲାବଣ୍ୟବତୀ, ଅଭିମନୁ୍ୟ ସାମନ୍ତ
ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି, ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ ଉପର ଠାଉରିଆ ଭାବେ
ପଢ଼ିଥିଲି ।" ପ୍ରକୃତରେ ମଧୁସୂଦନ ଏହି ସବୁ ଗ୍ରନ୍ଥ ଅତ୍ୟନ୍ତ ପ୍ରଗାଢ଼ ମନୋନିବେଶ ସହିତ ଏପରି
ଅଧ୍ୟୟନ କରିଥିଲେ ଯେ ବହୁ ଛାନ୍ଦ ତାଙ୍କର କଣ୍ଠସ୍ଥ ଥିଲା । ଏ ସଂପର୍କରେ ଭାଷାବିତ୍ ଗୋପାଳ
ଚନ୍ଦ୍ର ପ୍ରହରାଜଙ୍କ ଗଭୀର ଅନୁସନ୍ଧିତ୍ସା ଥିଲା - "ହେ ମଧୁସୂଦନ ! ତୁମେ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ
ଆଦିଙ୍କର ବଡ଼ବଡ଼ ଛାନ୍ଦମାନ ମୁହଁରେ ନଝୁଣ୍ଟି ଆବୃତ୍ତି କରିଥିବା ଯେ ଶୁଣିଛନ୍ତି, କବିସୂର୍ଯ୍ୟ,
ବନମାଳୀ ଆଦିଙ୍କର ସଂଗୀତ ବୋଲିବାର ଯେ ଶୁଣିଛନ୍ତି, ତୁମ ବକ୍ତୃତା ଯେ ଶୁଣିଅଛି ସେ ଜାଣେ
ଯେ, ତୁମେ ଉଚ୍ଚଶ୍ରେଣୀର ସାହିତ୍ୟାନୁରାଗୀ ଓ ସାହିତ୍ୟସେବୀ ଥିଲ ।" ମଧୁସୂଦନଙ୍କର ଓଡ଼ିଆ
ପଲ୍ଲୀଗୀତ ଆଉ ଲୋକବାଣୀରେ ଅଗାଧ ପାରଦର୍ଶିତା ରହିଥିଲା । ଏଣୁ ସେ ଓଡ଼ିଆ ସଂସ୍କୃତିର
ଆଦି ଉତ୍ସ ଏବଂ ଗହନ ପ୍ରାଣତଂତ୍ରୀଠାରୁ ସତତ ଅନୁପ୍ରେରଣା ଲାଭ କରୁଥିଲେ ।
ସେହି ମହିମାବନ୍ତ କାର୍ଯ୍ୟଧାରାର ଉତ୍ପ୍ରେକ୍ଷା ଏହିପରି ଥିଲା । ଯେତେବେଳେ ୧୮୮୫ ସାଲରେ ଉପେନ୍ଦ୍ର ଭଞ୍ଜଙ୍କର କିଛି କାବ୍ୟ ଆଉ ବିଶ୍ୱନାଥ ଖୁଣ୍ଟିଆଙ୍କର 'ବିଚିତ୍ର ରାମାୟଣ' ପ୍ରକାଶନ ପରେ ତାହାରି ପରିପ୍ରସାର ବିରୁଦ୍ଧରେ ତୁମୁଳ ବାଧା ଆଉ ପ୍ରତିରୋଧ ସୃଷ୍ଟି ହୋଇଥିଲା, ତେବେଳେ ଓଡ଼ିଶାର ସାହିତ୍ୟାକାଶ ଧୂଳି ପଟଳରେ ଆଚ୍ଛାଦିତ ଥିଲା । ସେହି ସମୟରେ ଏହା ବିରୋଧରେ ତୀବ୍ର ଆଉ ଶାଣିତ ପ୍ରତିବାଦ କରି ୧୫.୮.୧୮୮୫ରେ ଉତ୍କଳ ଦୀପିକାରେ ମଧୁସୂଦନ ଇଂରାଜୀରେ ଯେଉଁ ପତ୍ରଟି ପ୍ରକାଶ କରିଥିଲେ, ତହିଁରେ ତାଙ୍କର ଲେଖକୀୟ ନାମ
'ଏନ୍ ଓରିଆ' ବୋଲି ସୂଚିତ କରିଥିଲେ । ଏହାପରେ 'ଏନ୍ ଓରିଆ'ର ପ୍ରବାହ ଉତ୍ତାଳ ସ୍ରୋତ
ଘେନି ପ୍ରବାହିତ ହୋଇଥିଲା ।
ସମ୍ବଲପୁରରେ ଓଡ଼ିଆ ଭାଷା ଉଚ୍ଛେଦର ଘୋଷଣାନାମା ପରେ ମଧୁସୂଦନ ୧୮୯୫ ର ଫେବ୍ରୁଆରିରୁ ମଇମାସ ମଧ୍ୟରେ ପ୍ରାୟ ପ୍ରତିପକ୍ଷରେ 'ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷାର ନିର୍ବାସନ' ଶୀର୍ଷକ ଆଠଗୋଟି ଭାଷାତାତ୍ତ୍ୱିକ ନିବନ୍ଧ ଇଂରାଜୀ ଭାଷାରେ 'ଏନ୍ ଓରିଆ' ଲେଖକୀୟ ନାମରେ ଉତ୍କଳଦୀପିକାରେ ପ୍ରକାଶ କରି ବ୍ରିଟିଶ ପ୍ରସାଶନର ଦୃଷ୍ଟି ଆକର୍ଷଣ କରିବା ସହିତ ଅବଶେଷରେ
ଲେଖିଥିଲେ, 'ମାତୃଭାଷାର କଣ୍ଠରୋଧ କରିବା ଭଳି ଜଘନ୍ୟ ଅପରାଧ ବର୍ବରତମ ପ୍ରଶାସନରେ
ପୃଷ୍ଠା:Aama Madhusudan.pdf/୨୭୯
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୮୦ ଆମ ମଧୁସୂଦନ