ପୃଷ୍ଠା:Aama Madhusudan.pdf/୨୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟ ଦୃଷ୍ଟିଗୋଚର ହୁଏ ନାହିଁ ।' 'ଏନ୍‍ ଓରିଆ'ର ଲେଖକୀୟ ନାମରେ 'ଅଭିନୀତ ନାଟକର ପର୍ଯ୍ୟାଲୋଚନା' 'ୟୁରୋପ ଭ୍ରମଣ ଡାଏରୀ' (ଉଦାତ୍ତ ପର୍ଯ୍ୟଟନ ସାହିତ୍ୟ), 'କର୍ଜନଙ୍କର ଓଡ଼ିଶା ପରିଦର୍ଶନ', 'ଚାଷୀର କଷଣ ଶିଳ୍ପୀର ଦୈନ୍ୟ', ଉତ୍କଳ ସମ୍ମିଳନୀ ଓଡ଼ିଶାର ଅନ୍ତର୍ନିହିତ ସ୍ୱାର୍ଥ ତଥା ପ୍ରଶାସନର ଅତ୍ୟାଚାର ସଂପର୍କରେ ପ୍ରକାଶିତ କରିବା ସହ ଅନ୍ୟକ୍ଷେତ୍ରରେ ଓଡ଼ିଶାର ଔଦାର୍ଯ୍ୟ ଆଉ ଗରିମାମୟ ମହତ୍ତ୍ୱକୁ ମଧ୍ୟ ସଦର୍ପେ ଉଦ୍‍ଘୋଷିତ କରିଥିଲେ ।
ମଧୁସୂଦନ ୧୯୦୩ ସାଲରେ ଉତ୍କଳ ସମ୍ମିଳନୀ ଅଧିବେଶନରେ ଗୃହୀତ ପ୍ରସ୍ତାବବଳୀ ସର୍ବ ପ୍ରଥମେ ଓଡ଼ିଆ ଭାଷାରେ ଗ୍ରହଣ କରି ବଙ୍ଗ ଆଦି ଭାରତର ବହୁ ପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ମଧୁସୂଦନ ପ୍ରଗାଢ଼ ଦେଶବତ୍ସଳତାର ଆଧାରରେ ଯେଉଁ ତୋଜୋଦୀପ୍ତ ଅସଂଖ୍ୟ ଲେଖା, ନିବନ୍ଧ, ବକ୍ତୃତା ଏବଂ ଉଦ୍ଦୀପିତ କବିତାମାନ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି, ତାହା ପ୍ରକୃତରେ ଥିଲା ଉତ୍ତୁଙ୍ଗ ଓଡ଼ିଆ ଜାତୀୟତାର ନିଜସ୍ୱ ସଂପତ୍ତି ।
ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ସ୍ଥାପନା କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ବ୍ୟତୀତ ଭାରତର ସମସ୍ତ ରାଜନୈତିକ ଦଳ ଆଉ ତୁଙ୍ଗ ନେତୃବର୍ଗ ଏହାର ତୀବ୍ର ବିରୋଧ କରିଚାଲିଥିଲେ । ୨୦.୮.୧୯୨୫ର ପ୍ରାତଃକାଳରେ କଟକରେ ମଧୁସୂଦନଙ୍କ ପ୍ରଦତ୍ତ ଅଭ୍ୟର୍ଥନାର ଉତ୍ତର ଦେଇ ମହାତ୍ମାଗାନ୍ଧୀ ଓଜସ୍ୱୀ କଣ୍ଠରେ କହିଥିଲେ, 'ଜଣେ ବ୍ୟକ୍ତି ମାତୃଭାଷାକୁ ପରିତ୍ୟାଗ କରି ଯଦି ଅନ୍ୟ ଏକ ଭାଷାକୁ ଗ୍ରହଣ କରେ, ସେ ନିଶ୍ଚିତରେ ତାହାର ସମାଜ ଆଉ ସଂସ୍କୃତି ପ୍ରତି ବୈର ଭାବଯୋଗୁଁ ଏହା କରିଥାଏ ଆଉ ପରିଣାମରେ ହୋଇଥାଏ ସମାଜରୁ ବିଚ୍ଛିନ୍ନ । ସମାଜରୁ ବିଚ୍ଛିନ୍ନ ହେବା ଏକ ଭାବଗତ ବିରୋଧୀ କାର୍ଯ୍ୟ । ଏଣୁ ଅନ୍ୟ ଅର୍ଥରେ ମାତୃଭାଷାର ନିର୍ବାସନ ପ୍ରକୃତରେ ଏକ ଭାବଗତ ଦ୍ରୋହୀ କାର୍ଯ୍ୟକ୍ରମ ଅଟେ ।"(ଅଭିଲେଖାରୁ ପ୍ରାପ୍ତ) ବୋଧହୁଏ, ଏହାଥିଲା ସର୍ବୋତ୍ତମ ପରିପ୍ରକାଶ ।
ଆଜି ମଧୁସୂଦନଙ୍କର ତିରୋଧାନର ଦୀର୍ଘ ବ୍ୟବଧାନ ପରେ ତାଙ୍କ ଗରିମାମୟ କାର୍ଯ୍ୟଧାରାର ନିରପେକ୍ଷ ମୂଲ୍ୟାୟନ କଲେ ଗର୍ବରେ ଆମର ମଥା ଉନ୍ନତ ହୋଇଯାଏ ।

ଆମ ମଧୁସୂଦନ ୨୮୧