ପୃଷ୍ଠା:Aama Madhusudan.pdf/୨୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ସ୍ୱର୍ଗତଃ ମଧୁସୂଦନ କେବଳ ଓଡ଼ିଶାର ନୁହଁନ୍ତି, ସମଗ୍ର ଭାରତର ମହାନ ଜନନାୟକ ଥିଲେ । ଜଣେ ପ୍ରଖ୍ୟାତ ଦୂରଦୃଷ୍ଟିସମ୍ପନ୍ନ ନେତୃପୁରୁଷ ଭାବରେ, ଭାରତର ଆର୍ଥିକ ଓ ସାମାଜିକ ଅବସ୍ଥାର ଉନ୍ନତି କଳ୍ପେ, ବହୁ ଉଦାର ପ୍ରକଳ୍ପମାନ ସେ ପ୍ରତିଷ୍ଠା କରିଯାଇଛନ୍ତି । ସେହି ପ୍ରକଳ୍ପଗୁଡ଼ିକ ଦେଶର ନିର୍ଦ୍ଦିଷ୍ଟ ଅଂଚଳରେ ସ୍ଥାପନକରି, ଦେଶର ଅନ୍ୟ ଅଂଚଳ ପ୍ରତି ଏକ ଦୁର୍ବାର ଆହ୍ୱାନ ପ୍ରଦାନ କରିଛନ୍ତି, ଯେ ସେହିପରି ଉନ୍ନୟନଭିତ୍ତିକ ପ୍ରକଳ୍ପମାନ ସ୍ଥାପନ କରାଯାଉ, ଅନ୍ୟ ଅଂଚଳମାନଙ୍କର ମଧ୍ୟ ଉନ୍ନତି ବିଧାନ ହେଉ । ତାଙ୍କର ନାମ ମୁଁ ବିଗତ ପଚାଶ ବର୍ଷ ଧରି ଶୁଣି ଆସୁଛି । ସେ ମୋର ପିତାଙ୍କର ଜଣେ ନିବିଡ଼ ଆଉ ଅନ୍ତରଂଗ ବଂଧୁ ଥିଲେ । ଯେତେବେଳେ ଓଡ଼ିଶା ସଂପର୍କରେ କିଛି ଆଲୋଚନା ହୁଏ, ମଧୁସୂଦନଙ୍କର ମହାନ ନାମ ସହିତ, ତାଙ୍କଠାରେ ସନ୍ନିବେଶିତ ପ୍ରଖର ଉଦାତ୍ତ ଗୁଣାବଳୀ ସମୂହ ସ୍ୱତଃ ସ୍ମରଣରେ ଆସିଥାଏ ।
"ନାରୀମାନେ ସମାଜ ଅଗ୍ରଗତିର ଅଭିନ୍ନ ଅଂଗ ଅଟନ୍ତି । ମଧୁସୂଦନ ସର୍ବାଗ୍ରେ ଏହି ମହିଳା କଲେଜ ସ୍ଥାପନ କରି ଓଡ଼ିଶାର ନାରୀ ଜାଗରଣକୁ ଆଗେଇ ନେଇଛନ୍ତି । ମଧୁସୂଦନଙ୍କ ବାସଭବନ ସହିତ ସଂଲଗ୍ନ ଏହି ମହିଳା କଲେଜ, ମଧୁସୂଦନଙ୍କର ଅବିସ୍ମରଣୀୟ ସ୍ମୃତି ପ୍ରତି ନିବେଦିତ ସର୍ବଶ୍ରେଷ୍ଠ ସ୍ମାରକୀ ।"
ଭାଷଣ ସମାପ୍ତି ପରେ ପଣ୍ଡିତ ନେହେରୁ ସଭାମଂଚରୁ ଅବତରଣ କଲେ । ଏହିଠାରେ କଥାବସ୍ତୁର ଅଗ୍ରଗତିକୁ ସ୍ଥଗିତ ରଖି ଯିବା ପ୍ରଖ୍ୟାତ ସ୍ଥପତି ବିପ୍ରଚରଣ ମହାନ୍ତିଙ୍କ ସ୍ମୃତିଚାରଣ ପାଖକୁ । "ମଧୁସୂଦନଙ୍କର ଦୟନୀୟ ଆର୍ଥିକ ଅବସ୍ଥା ସତ୍ତ୍ୱେ ସେ ପ୍ରାୟ ୧୯୩୧ ସାଲ ସମୟରେ ପାଶ୍ଚାତ୍ୟ ଗ୍ରୀକ୍‍ ଆଉ ରୋମାନ ମୂର୍ତ୍ତିିକଳା ଆଧାରରେ 'ପ୍ଲାଷ୍ଟର ଅଫ୍‍ ପ୍ୟାରିସର' ଅପୂର୍ବ କଳା ନୈପୁଣ୍ୟର ସଜୀବ ବିନ୍ୟାସ ମଧ୍ୟରେ ମଧୁସ୍ମୃତିରେ ବଂଗାଳୀ ସୁଦକ୍ଷ ସ୍ଥପତିଙ୍କର ନିୟୋଗରେ ଏକ ଶିଳ୍ପଶାଳା ଖୋଲିଥିଲେ । ସେହି ଶିଳ୍ପାଗାରରେ ବାଳକ ବିପ୍ରଚରଣ ଏହି ଅନନ୍ୟ ରୀତିର ଶିଳ୍ପକଳା ଅଧ୍ୟୟନ କରିଥିଲେ । ପରେ କଲିକତା ଆର୍ଟ କଲେଜରେ ସ୍ନାତକ ଡିଗ୍ରୀ ହାସଲ ପରେ କଲିକତାରେ ନିଜସ୍ୱ ଶିଳ୍ପାଗାର ଖୋଲିଥିଲେ ।"
ପାଳିତା କନ୍ୟା ଶୈଳବାଳା, ମଧୁସୂଦନଙ୍କର ବାସଭବନ 'ମଧୁସ୍ମୃତି'କୁ ଓଡ଼ିଶା ସରକାରଙ୍କୁ ଦାନପତ୍ର ଜରିଆରେ ହସ୍ତାନ୍ତର କରିବା ସମୟରେ ୧୯୫୨ ସାଲରେ ଏହି ସର୍ତ୍ତ ରଖିଥିଲେ ଯେ, ସ୍ମୃତିରେ ମଧୁସୂଦନଙ୍କର ପୂର୍ଣ୍ଣାଙ୍ଗ ମାର୍ବଲ କିମ୍ବା ବ୍ରୋଞ୍ଜମୂର୍ତ୍ତି ସ୍ଥାପିତ ହେବ ଆଉ ମହିଳା କଲେଜର ଅଧିକ ଅଭିବୃଦ୍ଧି ଘଟିଲେ, ସେହି କଲେଜକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସମସ୍ତ ମଧୁସ୍ମୃତି ମଧୁସ୍ମାରକୀ ଏବଂ ସଂଗ୍ରହାଳୟରେ ପରିଣତ ହେବ । ମଧୁସୂଦନ ବାସ କରୁଥିବା ଉପର ତାଲାର ଦୁଇଟି କକ୍ଷ ସେ ଜୀବିତ ଅବସ୍ଥାରେ ଯେଉଁପରି ଭାବରେ ଚଳପ୍ରଚଳ କରୁଥିଲେ, ସେହିପରି ଭାବରେ ଚିରକାଳ ଲାଗି ସଜ୍ଜିତ ହୋଇ ରହିବ । ଏହି ନିର୍ଦ୍ଧାରିତ ସ୍ଥପତି ବିପ୍ରଚରଣ ମହାନ୍ତି ଡକ୍ଟର ମହତାବଙ୍କର ମାର୍ମିକ ଅନୁରୋଧରେ ରାଜସ୍ଥାନରୁ ମାର୍ବଲ ଫଳକ ଆଣି ଏହି ଅତୁଳନୀୟ ଆଉ ଅନନ୍ୟ ପ୍ରଥମ ପ୍ରତିମୂର୍ତ୍ତିିଟି ନିର୍ମାଣ କରିଥିଲେ ।

ଆମ ମଧୁସୂଦନ ୨୮୩