ପୃଷ୍ଠା:Aama Madhusudan.pdf/୨୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁଣି ଫେରିଆସିବା ମୂଳ କଥାବସ୍ତୁକୁ । ମଧୁସୂଦନଙ୍କର ପ୍ରତିମୂର୍ତ୍ତିି ଉନ୍ମୋଚନ ପରେ ପଣ୍ଡିତ ଜବାହରଲାଲ୍‍ ନେହେରୁ ଫେରୁଥାନ୍ତି ମଧୁସ୍ମୃତିର ସୁରମ୍ୟ କୋଠିକୁ ଧୀର ପଦପାତରେ । ସାଙ୍ଗରେ ଥାଆନ୍ତି ଶୈଳବାଳା, ବିପ୍ର ଚରଣ ମହାନ୍ତି ଓ ଅନ୍ୟମାନେ । ଅତ୍ୟନ୍ତ ହାଲ୍‍କା ମୁହୂର୍ତ୍ତରେ ମୃଦୁ ବାକ୍ୟାଳାପ ମଧ୍ୟରେ ପଣ୍ଡିତ ନେହେରୁ ବଖାଣି ଚାଲିଥାନ୍ତି ବାଲ୍ୟକାଳରେ ସ୍ମୃତିପଟ୍ଟରେ ଗଭୀର, ନିବିଡ଼ ଭାବରେ ଉତ୍‍କୀର୍ଣ୍ଣ ଏବଂ ରେଖାଙ୍କିତ ହୋଇଥିବା ଦୀପ୍ତ ପ୍ରତିଛବିକୁ ଏହିପରି ଭାବରେ-
"ହଁ, ମୁଁ ବାଲ୍ୟକାଳରେ ମଧୁସୂଦନ ଦାସଙ୍କୁ ବହୁବାର ଦୂରରୁ ଦେଖିଛି । ସେ ଆମ ଘରର ଅତିଥିଶାଳାରେ ପିତାଙ୍କ ସହିତ ବାର୍ତ୍ତାଳାପରେ ନିବିଷ୍ଟ ରହିଥିବା ଅବସ୍ଥାରେ ମୁଁ ତାଙ୍କୁ ବହୁବାର ଆବିଷ୍କାର କରିଛି । ସେହି କଥୋପକଥନ ଅତ୍ୟନ୍ତ ଗମ୍ଭୀର ଆଉ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା, ଯହିଁରେ ଦେଶର ମୁକ୍ତି ସଂଗ୍ରାମ ସଂପର୍କରେ ବୋଧହୁଏ ଆଲୋଚନା ହେଉଥିଲା । ଏହି ମାର୍ମିକ ଅନ୍ତରଂଗ ଆଲୋଚନାକୁ ମୁଁ ଅତିଥିଶାଳା କକ୍ଷରେ ଦୂରରେ ରହି ନିରୀକ୍ଷଣ କରୁଥାଏ । ଯେତେବେଳେ ପିତା ଅତିଥିଶାଳାରୁ ସାମାନ୍ୟ ବିରତି ନେଇ ବାହାରକୁ ଯାଆନ୍ତି, ମଧୁସୂଦନ ସେତେବେଳେ ଅତ୍ୟନ୍ତ ବ୍ୟଗ୍ରତାର ସହିତ ମୋତେ ଧରିବାପାଇଁ ମୋ ପାଖକୁ ଦ୍ରୁତ ପଦପାତରେ ଆସନ୍ତି । ମୁଁ ଧରା ଦେଉଦେଉ ଖସି ଚାଲିଯାଉଥାଏ । କାରଣ ତାଙ୍କର ସ୍ପର୍ଦ୍ଧିତ ପ୍ରଲମ୍ବିତ ନିଶ ଦୁଇପଟ ମୋତେ ଯେତିକି ଆକର୍ଷିତ କରୁଥିଲା, ସେତିକି ରୋମାଞ୍ଚଭରା ଉନ୍ମାଦନାରେ ବିସ୍ମିତ କରୁଥିଲା । ଏହି ସମ୍ମୋହନର ବିସ୍ମୟାବୃତ ଦ୍ୱନ୍ଦ୍ୱ ମଧ୍ୟରେ ମୁଁ ଧରା ଦେଉଦେଉ ଖସି ଚାଲିଯାଉଥାଏ ।" ଏହା ଥିଲା ବିପ୍ରଚରଣଙ୍କର ସ୍ମୃତିଚାରଣରେ ପଣ୍ଡିତ ନେହେରୁଙ୍କ ବକ୍ତବ୍ୟ ।
ପଣ୍ଡିତ ଜବାହରଲାଲ୍‍ ନେହେରୁଙ୍କର ମଧୁସୂଦନଙ୍କ ପ୍ରତି ଆଗ୍ରହ ଆଉ ଆକର୍ଷଣ ଥିଲା ଅପରିସୀମ । ଭାରତର କେନ୍ଦ୍ର ସ୍ଥଳରେ ଆହ୍ଲାବାଦ ଅବସ୍ଥିତ ଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଆହ୍ଳାବାଦରେ ଅନୁଷ୍ଠିତ ହେଉଥିଲା, ଯହିଁରେ ମଧୁସୂଦନଙ୍କର ଯୋଗଦାନ ଥିଲା ଅନିବାର୍ଯ୍ୟ । ମଧୁସୂଦନ କଲିକତା ଓ ପାଟଣା ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଥିବା ସମୟରେ ପରାମର୍ଶ, ସହାୟତା ଆଉ ଆଲୋଚନାପାଇଁ ଆହ୍ଲାବାଦ ହାଇକୋର୍ଟକୁ ଯାଉଥିଲେ । ଏବଂ ମଧୁସୂଦନ ଦ୍ୱୈତଶାସନର ପ୍ରଥମ ପର୍ଯ୍ୟାୟରେ ମନ୍ତ୍ରୀପଦରେ ପାଟଣାରେ ଅଧିଷ୍ଠିତ ଥିବାବେଳେ ଅଶେଷ ଖ୍ୟାତିର ଅଧିକାରୀ ହୋଇଥିଲେ । ସେ ମଧ୍ୟ ପଣ୍ଡିତ ମୋତିଲାଲ୍‍ ନେହେରୁ ଓ ଚିତ୍ତରଂଜନ ଦାସଙ୍କର ସମ୍ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ସ୍ୱରାଜ୍ୟ ଦଳର ଅଂତରଂଗ ସମର୍ଥକ ଥିଲେ । ଏହି କାଳରେ ମଧୁସୂଦନ ବିହାରର ସ୍ୱରାଜ୍ୟ ଦଳର ପ୍ରାର୍ଥୀମାନଙ୍କୁ ଅକୁଣ୍ଠ ସମର୍ଥନ ପ୍ରଦାନ କରି ନିର୍ବାଚିତ କରାଇ ପାରିଥିଲେ । ଏହି ଦୃଷ୍ଟିରୁ ମଧୁସୂଦନଙ୍କର ଆହ୍ଲାବାଦ ଆଉ ନେହେରୁ ପରିବାର ସହିତ ନିବିଡ଼ ଓ ଅଚ୍ଛେଦ୍ୟ ସଂପର୍କ ଗଢ଼ିଉଠିଥିଲା । ଏହା ସହିତ ମଧୁସୂଦନ ୧୯୧୨ ସାଲର ପାଟଣା ଅଧିବେଶନରେ ଜାତୀୟ କଂଗ୍ରେସର ଅଭ୍ୟର୍ଥନା ସମିତିର ଉପ-ସଭାପତି ଏବଂ ୧୯୧୬ରେ ଲକ୍ଷ୍ନୌ କଂଗ୍ରେସର କାର୍ଯ୍ୟକାରିଣୀର ସଭ୍ୟରୂପେ ନିର୍ବାଚିତ ହୋଇ ତାଙ୍କର ପ୍ରଚଣ୍ଡ ଭାବମୂର୍ତ୍ତିି ପ୍ରକାଶରେ ଅଜସ୍ର ଗୌରବର ଅଧିକାରୀ ହୋଇଥିଲେ । ଏହାଛଡ଼ା ୧୯୧୩ରୁ ୧୯୧୬ ସାଲ ମଧ୍ୟରେ କେନ୍ଦ୍ରୀୟ ଇମ୍ପେରିଆଲ୍‍ କାଉନ୍‍ସିଲର ସଦସ୍ୟ ରୂପେ ତାଙ୍କର ଜ୍ୱାଳାମୁଖୀ ଉଦ୍ଦୀପ୍ତ

୨୮୪ ଆମ ମଧୁସୂଦନ