ପୃଷ୍ଠା:Aama Madhusudan.pdf/୨୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବକ୍ତବ୍ୟ ମାଧ୍ୟମରେ ପ୍ରତିପକ୍ଷକୁ ଭୂଲୁଣ୍ଠିତ କରୁଥିଲେ, ଯେଉଁ ଆସ୍ପର୍ଦ୍ଧାର ସୀମା କୌଣସି ଓଡି଼ଆ ନେତୃପୁରୁଷ ଏ ପର୍ଯ୍ୟନ୍ତ ସ୍ପର୍ଶ କରିପାରି ନାହାନ୍ତି । ଏହିପରି ତାଙ୍କର ପ୍ରଚଣ୍ଡ ପ୍ରତିଭାର ଉନ୍ମୀଳନରେ ସେ ସର୍ବଭାରତୀୟ ଖ୍ୟାତି ଅର୍ଜନ କରିଥିଲେ ।
ମଧୁସ୍ମୃତିରେ ମଧୁସୂଦନଙ୍କର ପ୍ରତିମୂର୍ତ୍ତିି ଉନ୍ମୋଚନର କିଛି ବର୍ଷ ପରର ଘଟଣା ପ୍ରବାହ । ସେତେବେଳକୁ ଶୈଳବାଳା ରାଜ୍ୟ ସଭାର ସଦସ୍ୟ ରୂପେ ନିର୍ବାଚିତା ହୋଇଥାନ୍ତି । ସାହିତ୍ୟ ଓ ସଂସ୍କୃତିଭିତ୍ତିକ ପ୍ରଖ୍ୟାତ ସର୍ବଭାରତୀୟ ଅନୁଷ୍ଠାନ ପି.ଇ.ଏନ୍‍.ର ସ୍ମାରକୀ ଉତ୍ସବ ଭୁବନେଶ୍ୱରରେ ପାଳନପାଇଁ ପ୍ରଧାନମଂତ୍ରୀ ପଣ୍ଡିତ ନେହେରୁ ଏବଂ ଉପ-ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍‍ ଭୁବନେଶ୍ୱର ଆସିଥାନ୍ତି । ଏହି ଉପଲକ୍ଷେ ଶୈଳବାଳା ପଣ୍ଡିତ ନେହେରୁଙ୍କୁ ପୁନର୍ବାର ମଧୁସ୍ମୃତି ପରିଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି, ଯାହାକୁ ପଣ୍ଡିତ ନେହେରୁ ଅତ୍ୟନ୍ତ ଆବେଗ ମଧ୍ୟରେ ଗ୍ରହଣ କରିଥାନ୍ତି । ଏହି ସମୟରେ ପଣ୍ଡିତ ନେହେରୁ ଓଡ଼ିଶାର ଅନବଦ୍ୟ କାରୁକଳା, ଭାସ୍କର୍ଯ୍ୟର ଗନ୍ତାଘର କୋଣାର୍କକୁ ରାଧାକ୍ରିଷ୍ଣନ୍‍ଙ୍କ ଗହଣରେ ପରିଦର୍ଶନ କରିଥିଲେ । ଉପ-ରାଷ୍ଟ୍ରପତି ଭାରତୀୟ ଶିଳ୍ପଶାସ୍ତ୍ରର ସାଙ୍କେତିକ ବିଧି ଅନୁସାରେ କୋଣାର୍କର କଳା ନୈପୁଣ୍ୟ ଓ ନିର୍ମାଣ ଶୈଳୀ ସଂପର୍କରେ ଏକ ବିଲକ୍ଷଣ ପର୍ଯ୍ୟାଲୋଚନା କରିଥିଲେ ।
ନିର୍ଦ୍ଧାରିତ ଅପରାହ୍‍ଣରେ ପଣ୍ଡିତ ନେହେରୁ 'ମଧୁସ୍ମୃତି'ରେ ଆସି ପହଞ୍ଚିଥିଲେ । ପ୍ରଥମେ ମଧୁସୂଦନଙ୍କର ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ କରି ଅତୀବ ସମ୍ମୋହିତ ଓ ରସାଣିତ କଣ୍ଠରେ ଭାଷଣ ଆରମ୍ଭ କଲେ, ଯହିଁରେ ମଧୁସୂଦନଙ୍କ ପ୍ରତି ତାଙ୍କର ଉଦ୍ଦୀପକ ଭାବ ନିବେଦନ ସମସ୍ତ ହାର୍ଦ୍ଦିକ ଉଦ୍‍ବେଳନର ଉତ୍ତୁଙ୍ଗ ସୀମା ଛୁଇଁଥିଲା । ସେହି ସମୟରେ କର୍ତ୍ତବ୍ୟର ଅନୁରୋଧରେ ପ୍ରଧାନମଂତ୍ରୀଙ୍କ ସହ ଅନୁଗମନ କରିଥିବା ପ୍ରଖ୍ୟାତ ଆଇ.ପି.ଏସ୍‍. ଅଧିକାରୀ (ବର୍ତ୍ତମାନ ଅବସର ପ୍ରାପ୍ତ) ଗୋବିନ୍ଦ ଚନ୍ଦ୍ର ସେନାପତି ଉପସ୍ଥିତ ଥିଲେ । ତାଙ୍କର ସ୍ମୃତି ଗହଳରୁ ପଣ୍ଡିତ ନେହେରୁଙ୍କ ବକ୍ତବ୍ୟ--
"ସମ୍ମାନନୀୟ ମଧୁସୂଦନ ଦାସ ମୋର ପୂଜ୍ୟ ପିତୃଦେବ ମୋତିଲାଲ ନେହେରୁଙ୍କର ଅତ୍ୟନ୍ତ ନିବିଡ଼ ଆଉ ଅନ୍ତରଂଗ ବଂଧୁ ଥିଲେ । ଉଭୟଙ୍କ ମଧ୍ୟରେ ଥିବା ପ୍ରଗାଢ଼ ବନ୍ଧୁତ୍ୱର ପରିସୀମା ଅନ୍ତରର ଗଭୀର ଭାବ ଉଚ୍ଛ୍ୱାସକୁ ସ୍ପର୍ଶ କରୁଥିଲା । ମଧୁସୂଦନ ମୋର ପିତାଙ୍କଠାରୁ କେବଳ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ଅଗ୍ରଜ ଆଉ ବରିଷ୍ଠ ନଥିଲେ, ବୁଦ୍ଧିମତ୍ତାର ପରିପ୍ରକାଶ ମଧ୍ୟରେ ଅତୀବ ପାରଦର୍ଶୀ ଆଉ ପ୍ରବୀଣ ଥିଲେ । ଏଣୁ ମୋର ପିତା ମଧୁସୂଦନଙ୍କ ପ୍ରତି ଯେଉଁପରି ଭାବରେ ହୃଦୟର ଆବେଗ ସହିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରି ଚାଲିଥିଲେ, ତାହା ସଂଦର୍ଶନ କରି ମୁଁ ଏକାଗ୍ର ଭାବେ ବିହ୍ୱଳିତ ଆଉ ଅଭିଭୂତ ହୋଇ ଯାଇଥିଲି । "
"ମଧୁସୂଦନ ତାଙ୍କର ପ୍ରଖର ଔଜଲ୍ୟ, ବିଦ୍‍ବତ୍ତା ଆଉ ଔଦାର୍ଯ୍ୟ ମଧ୍ୟରେ ସାରା ଭାରତର ନେତୃବର୍ଗଙ୍କ ମଧ୍ୟରେ ଅଲିଭା ଛାପ ଆଙ୍କି ପାରିଥିଲେ । ତେଣୁ ବହୁ ସମୟରେ ତାଙ୍କୁ ଜାତୀୟ କଂଗ୍ରେସର ସଭାପତି ପଦ ଅଳଂକୃତ କରିବାପାଇଁ ସୁଚିନ୍ତିତ ପ୍ରସ୍ତାବମାନ ଆସିଥିଲା । ମାତ୍ର ଏହା ପ୍ରତି ସେ ନିସ୍ପୃହ ଥିଲେ ।"

ଆମ ମଧୁସୂଦନ ୨୮୫