ପୃଷ୍ଠା:Aama Madhusudan.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯୁଗରେ ଏହି ନିଶ୍ଚିତ ସଂଭାବନାର ବାଣୀ ମଧୁସୂଦନଙ୍କ ଦୃଢ଼ କଣ୍ଠରେ ଉଦ୍‍ଘୋଷିତ ହୋଇଥିଲା -What Odisha thinks today, rest of India thinks tomorrow. ବୋଲି ଏକ ବାକ୍ୟ ମଧ୍ୟରେ । କେବଳ ଭାଷା ସୂତ୍ରରେ ନୁହେଁ ଭାରତର ବହୁ କ୍ଷେତ୍ରରେ ମଧୁସୂଦନ ହିଁ ଛାଡ଼ିଯାଇଛନ୍ତି ଆଦ୍ୟ ସ୍ୱାକ୍ଷର, ନୂତନ ପରିବର୍ତ୍ତିତଧାରାର ଅୟମାରଂଭ କରି ।
ମଧୁସୂଦନଙ୍କ ଗୃହରେ ରହି ସୁଧାଂଶୁବାଳା ହାଜରା ୧୯୨୧ ସାଲରେ ହାସଲ କରିଥିଲେ ଆଇନରେ ଡିଗ୍ରୀ । ମାତ୍ର ଆଇନକୁ ବୃତ୍ତି ଭାବରେ ଗ୍ରହଣ କରିବା ଲାଗି ସେତେବେଳେ ମହିଳାମାନଙ୍କର ଅଧିକାର ନ ଥିଲା । ଏହା ବିରୁଦ୍ଧରେ ମଧୁବାବୁଙ୍କ ସଂଗ୍ରାମ ଫଳରେ ନାରୀମାନେ ପାଇଲେ ଯୁଗାନ୍ତକାରୀ ଅଧିକାର । ଏହା ଥିଲା ମଧୁସୂଦନଙ୍କର ନାରୀମୁକ୍ତିପାଇଁ ଏକ ଦୁର୍ବାର ଅଭିଯାନ ।
ମଧୁସୂଦନ ନିରବଚ୍ଛିନ୍ନ ଭାବରେ ୧୮୯୬ରୁ ୧୯୨୪ ପର୍ଯ୍ୟନ୍ତ ବଂଗ, ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଥିଲେ । ଏହା ଛଡ଼ା ମାଲବ୍ୟ, ଗୋଖଲେ, ସୁରେନ୍ଦ୍ର ବାନାର୍ଜି, ଜିନ୍ନାଙ୍କ ସହିତ ସେ ସଦସ୍ୟ ଥିଲେ ଇମ୍ପାରିଆଲ୍‍ କାଉନ୍‍ସିଲ୍‍ରେ । ସୁଦୀର୍ଘ କାଳର ବ୍ୟବସ୍ଥାପକ ଜୀବନରେ ସମଗ୍ର ଦେଶରେ ରାଜନୈତିକ ପରିପ୍ରକାଶ, ଅର୍ଥନୈତିକ ବିକାଶ ସହିତ ଦେଶବାସୀ ତଥା ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ସେ ଥିଲେ ବି୍ରଟିଶ୍‍ ପ୍ରଶାସନର ଜଣେ ଦୁର୍ବାର ଆଉ ଅନମନୀୟ ସମାଲୋଚକ । ଦଳିତ ଜାତି ତଥା କୃଷିଜୀବୀଙ୍କର ଉନ୍ନତିଠାରୁ ଆରମ୍ଭକରି ରେଳବାଇ ପ୍ରସାର, ଦେଶୀୟ ଚିକିତ୍ସା ବ୍ୟବସ୍ଥା, ଶିଳ୍ପ ଲବଣକରର ସମାପ୍ତି, ପ୍ରଜାଙ୍କର ସ୍ୱତ୍ତ୍ୱ ରକ୍ଷା, ନ୍ୟାୟ ବ୍ୟବସ୍ଥାରୁ ପ୍ରଶାସନର ପୃଥକ୍କରଣ ବ୍ୟବସ୍ଥା ଥିଲା ତାହାଙ୍କ ବକ୍ତବ୍ୟର ବିଷୟବସ୍ତୁ । ତାହାଙ୍କ ପ୍ରଖର ବାଗ୍ମିତା ଆଉ ଯୁକ୍ତିସମ୍ବଳିତ ବିତର୍କ ବ୍ୟବସ୍ଥାପକ ସଭାରେ ସୃଷ୍ଟି କରୁଥିଲା ଉତ୍ତେଜନାର ଝଡ଼ । ତାହା ସହିତ ମଧ୍ୟେ ମଧ୍ୟେ ଉର୍ଦ୍ଦୁ ଆଉ ପାରସ୍ୟ ସାୟରୀରୁ ଶାଣିତ ଆବୃତ୍ତି ଏହି ବିତର୍କକୁ କରୁଥିଲା ଆହୁରି ପ୍ରଖର ଓ ଚମକପ୍ରଦ । ଏହା ଉପଭୋଗ୍ୟ ହେଉଥିଲେ ମଧ୍ୟ ଥିଲା ଜ୍ୱଳନଶୀଳ ଆଉ ଉଦ୍‍ଗୀରଣପ୍ରବଣ । ଏଣୁ ବଂଗର ଗଭର୍ଣ୍ଣର ବୋଡର଼୍ଲିନ୍‍ ମଧୁସୂଦନଙ୍କୁ ବଂଗ ବ୍ୟବସ୍ଥାପକ ସଭାର "କେଟୋ' ବୋଲି ଆଖ୍ୟାୟିତ କରିଥିଲେ । "କେଟୋ' ଥିଲେ ପ୍ରାଚୀନ ରୋମର ପ୍ରସିଦ୍ଧ ସମାଲୋଚକ ସିନେଟର, ଯିଏକି ଅବହେଳିତ ଆଉ ପରାଜିତ ବିଷୟବସ୍ତୁକୁ ଅଗ୍ରାଧିକାର ଭିତ୍ତିରେ ଆଲୋଚନାର ପରିସରକୁ ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରୁଥିଲେ । ମଧୁସୂଦନ ତାଙ୍କର ପ୍ରତ୍ୟୁପùନ୍ନମତିସଂପନ୍ନ ଚିନ୍ତାଧାରା ଓ ତୀକ୍ଷ୍ମ ବିଚକ୍ଷଣତାଯୋଗୁଁ ୧୯୧୬ରୁ ୧୯୧୮ ସାଲ ପର୍ଯ୍ୟନ୍ତ ସର୍ବଭାରତୀୟ ଖ୍ରୀଷ୍ଟିଆନ ଏସୋସିଏସନ୍‍ର ଅଧ୍ୟକ୍ଷ ପଦ ଅଳଂକୃତ କରିଥିଲେ । ଏହା ସତ୍ତ୍ୱେ ସେ ଇଂରାଜୀ ପ୍ରଶାସନର ସ୍ତାବକ ନ ଥିଲେ । ଅତର ପାଟଣାର ୟୁରୋପୀୟ କ୍ଲବ୍‍ର ଜଣେ ତୁଙ୍ଗ ଅଫିସର୍‍ ମଧୁସୂଦନଙ୍କୁ କହିଲେ- ମିଃ ଦାସ ! ଆପଣ ଜାଣନ୍ତି କି ନାହିଁ ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ ଅସ୍ତ ଯାଆନ୍ତି ନାହିଁ । ଏହି ଆକ୍ଷେପ ବିରୋଧରେ ମଧୁବାବୁଙ୍କର ଶାଣିତ ଉତ୍ତର ଥିଲା- ହଁ ଜାଣେ, କାରଣ ଅନ୍ଧକାରରେ ସୂର୍ଯ୍ୟଦେବ ଇଂରେଜମାନଙ୍କୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ ।

୩୦ * ଆମ ମଧୁସୂଦନ