Jump to content

ପୃଷ୍ଠା:Aama Madhusudan.pdf/୨୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଥିରେ କୃଷିଜୀବୀ, ଶ୍ରମଜୀବୀ, କାରିଗର, ଶିଳ୍ପୀ, ବିଦ୍ୱାନ, ନେତୃବର୍ଗ ତଥା ଜମିଦାର ଏବଂ ରାଜାମାନଙ୍କର ସଂଯୁକ୍ତି ରହିଥିଲା । ଆଉ ଏହା ସହିତ ଜାତି, ଧର୍ମ ନିର୍ବିଶେଷରେ ସାର୍ବଜନୀନ ସୌହାର୍ଦ୍ଦ୍ୟ ସ୍ଥାପିତ ହୋଇଥିଲା । ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଯେପରି ସମଷ୍ଟିଗତ ଭାବରେ ସାର୍ବଜନୀନ ପ୍ରୀତି, ମୈତ୍ରୀ ପ୍ରତିଷ୍ଠିତ ଆଉ ପରିସ୍ଫୁଟ ହୋଇଥିଲା, ତାହା ଏକାନ୍ତ ଭାବେ ଅକଳ୍ପନୀୟ ଥିଲା । ଏହିଭଳି ଗୋଷ୍ଠୀବଦ୍ଧତା ଓଡ଼ିଆମାନଙ୍କ ଜାତୀୟ ଜୀବନରେ ପ୍ରଥମ ବାର ହିଁ ପ୍ରକଟିତ ହୋଇଥିଲା ।
ବିଖଣ୍ଡିତ ଜର୍ମାନୀ ଭାଷୀ ଅଂଚଳର ଅଧିବାସୀ ତଥା ବିଶ୍ୱ ରାଜନୀତିର ଏକ ଅଭ୍ରାନ୍ତ ଦିଗ୍‍ଦର୍ଶକ କାଲମାର୍କ୍ସଙ୍କୁ ଯେତେବେଳେ ପ୍ରଶ୍ନ ପଚରାଗଲା, "ବିଭାଜିତ ଜର୍ମାନୀ ଭାଷୀ ଅଂଚଳର ମିଶ୍ରଣ କିପରି ହେବ ?" ଏଥିରେ ଅଭିଜାତ ଆଉ ବୁର୍ଜୁଆମାନେ ଅଗ୍ରଣୀ ଭୂମିକାରେ ଅଂଶଗ୍ରହଣ କରିବେ, ଯହିଁରେ ସାଧାରଣ ଜନତାଙ୍କ ସ୍ୱତଃସ୍ଫୂର୍ତ୍ତ ସହଯୋଗ ରହିବ । ଅଭିଜାତ ଏବଂ ବୁର୍ଜୁଆ ଶ୍ରେଣୀ ଉଭୟ କାର୍ଯ୍ୟରେ ସଫଳକାମ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କ୍ଷମତା ଆନ୍ଦୋଳନରତ ସାଧାରଣ ଜନତାଙ୍କୁ ହସ୍ତାନ୍ତରିତ ହେବ । କାର୍ଲମାକ୍ସଙ୍କର ଉତ୍ତର ଏହିପରି ଥିଲା, ଯାହା ଅନେକ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଥିଲା ।
ଉତ୍କଳ ସମ୍ମିଳନୀର ସଂଚାଳନ କାଳରେ ମଧୁସୂଦନ ସାଧାରଣ ପ୍ରଜା, କୃଷିଜୀବୀ ଆଉ ଶ୍ରମଜୀବୀଙ୍କ ସହିତ ଜମିଦାର ଓ ରାଜାମାନଙ୍କର ସହଯୋଗ ନେଇଥିଲେ ଯଦିଓ ସେ ଜମିଦାରି ପ୍ରଥାର ଉଗ୍ର ବିରୋଧୀ ଥିଲେ ଏବଂ ଜମିଦାରି ପ୍ରଥା ବିନା କ୍ଷତିପୂରଣରେ ତୁରନ୍ତ ଉଚ୍ଛେଦ ପାଇଁ ବିଧାନ ସଭାରେ ଶାଣିତ ଯୁକ୍ତି ଉପସ୍ଥାପନ କରିଥିଲେ । ଏପରିକି ୧୯୦୯ ସାଲରେ ଉତ୍ତର ଓଡ଼ିଶାର ତିନିଗୋଟି ଜିଲ୍ଲାରେ ଜମିଦାର, ସାହୁକାର, ତଥା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ସଂପୂର୍ଣ୍ଣ ଅଲଗା ରଖି ମଧୁସୂଦନ ନିଚ୍ଛକ ପ୍ରଜା ଆଉ ଭୂମିହୀନ କୃଷକଙ୍କୁ ନେଇ ପ୍ରଜା ପରିଷଦ କେବଳ ଗଢ଼ି ନଥିଲେ ଏହିମାନଙ୍କୁ ନେଇ ସମାନ୍ତରାଳ ନିର୍ବାଚନ ମଣ୍ଡଳୀ ସୃଷ୍ଟିକରି ୧୯୧୨ରେ ଯେଉଁ ପ୍ରଜାପ୍ରତିନିଧି ସଭା ସ୍ଥାପନ କରିଥିଲେ, ତାହା ଥିଲା ସମଗ୍ର ଭାରତରେ ଆଦ୍ୟ ସମାଜବାଦୀ ପ୍ରତିଷ୍ଠାନ, ଯାହା ଅଜସ୍ର ଖ୍ୟାତିର ଅଧିକାରୀ ହୋଇପାରିଥିଲା । ଏଥିରେ ମଧୁସୂଦନ ତାଙ୍କର ଘନିଷ୍ଠ ବଂଧୁ ଗୌରୀଶଙ୍କର ରାୟଙ୍କ ସଶ୍ରଦ୍ଧ ଆବେଦନ ସତ୍ତ୍ୱେ ତାଙ୍କୁ ଅନ୍ତର୍ଭୁକ୍ତ କରିନଥିଲେ । ଏ ସମସ୍ତ ବୈପ୍ଳବିକ, କ୍ରାନ୍ତିକାରୀ, କାର୍ଯ୍ୟକ୍ରମ ସତ୍ତ୍ୱେ ମଧୁସୂଦନଙ୍କୁ ଓଡ଼ିଶା ପ୍ରଦେଶର ସ୍ଥାପନା କ୍ଷେତ୍ରରେ ଜମିଦାର ଆଉ ରାଜାଙ୍କର ସହଯୋଗ ନେବାକୁ ପଡ଼ିଥିଲା, କାରଣ ଏହା ବହୁ ଦୃଷ୍ଟିକୋଣରୁ ଅପରିହାର୍ଯ୍ୟ ଥିଲା ।
ଏହି ଯୁଗାନ୍ତକାରୀ ଦେଶ ମିଶ୍ରଣ ସଂଗ୍ରାମରେ ସାଧାରଣ ବର୍ଗରୁ ଯେଉଁମାନେ ଏକାନ୍ତ ଭାବେ ମଧୁସୂଦନଙ୍କ ସହିତ ରହିଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି; ଗୌରୀଶଙ୍କର ରାୟ, ବ୍ରଜ ସୁନ୍ଦର ଦାସ, ଭୁବନାନନ୍ଦ ଦାସ, ରାମଶଙ୍କର ରାୟ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ବ୍ରଜବଂଧୁ ଦାସ, ଲେଖକ ଗୋଷ୍ଠୀରୁ ରାଧାନାଥ ରାୟ, ଫକୀରମୋହନ, ମଧୁସୂଦନ ରାଓ, ନନ୍ଦକିଶୋର ବଳ, ଗଂଗାଧର ମେହେର, ବିଚ୍ଛନ୍ଦ ପଟ୍ଟନାୟକ, ଆର୍ତ୍ତବଲ୍ଲଭ ମହାନ୍ତି, ପଶ୍ଚିମ ଓଡ଼ିଶାରୁ ଧରଣୀଧର

୨୯୨ ଆମ ମଧୁସୂଦନ