ପୃଷ୍ଠା:Aama Madhusudan.pdf/୨୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ମଦନ ବିହାରୀ ଦାସ, ଶ୍ରୀପତି ମିଶ୍ର ପ୍ରମୁଖ, ଖରସୁଆଁରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାରୁ ଶଶିଭୂଷଣ ରଥ, ନରସିଂହ ଦାସ, ନିରଞ୍ଜନ ପଟ୍ଟନାୟକ, ହରିହର ପଣ୍ଡା, ଆଉ ସତ୍ୟବାଦୀ ଗୋଷ୍ଠୀରୁ ଗୋପବଂଧୁ ଦାସ, ନୀଳକଣ୍ଠ ଦାସ ଆଉ ଗୋଦାବରୀଶ ମିଶ୍ର ପ୍ରମୁଖ ।
ଏହି ବିବରଣୀ କିଞ୍ଚିତ୍‍ ଛାୟାପାତ ମାତ୍ର । ଏହି ସମୟର ବହୁ ସମର୍ପିତ ବ୍ୟକ୍ତି ତାଙ୍କ ସହିତ ଛାୟାପରି ରହିଥିଲେ । ଜଣେ ଅତ୍ୟନ୍ତ ପୁରୋଦୃଷ୍ଟି ସମ୍ପନ୍ନ, ପ୍ରଖର ବୁଦ୍ଧିମତ୍ତାଯୁକ୍ତ ପ୍ରତିଭାଶାଳୀ ଅଧିନାୟକ ରୂପରେ ମଧୁସୂଦନ ଊନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ପୂର୍ବଭାଗରେ ତତ୍‍କାଳୀନ ତରଳ ରାଜନୈତିକ ପରିସ୍ଥିତି ମଧ୍ୟରେ ସଂଗ୍ରାମରେ କିଭଳି କୌଶଳ ଅବଲମ୍ବନ କରିଥିଲେ, ତାହା ଅକଳ୍ପନୀୟ ଆଉ ଅଚିନ୍ତନୀୟ ଥିଲା । ଆଜିର ଏହି ଏକବିଂଶ ଶତାବ୍ଦୀର ମାନସିକତାରେ ଏହାର ଯଥାର୍ଥ ମୂଲ୍ୟାୟନ କିଭଳି ବା କରାଯାଇପାରିବ ?
ମଧସୂଦନଙ୍କର ୧୮୮୨ ସାଲରେ ଉତ୍କଳ ସଭା, (ଓଡ଼ିଶା ଏସୋସିଏସନ୍‍)ର ସ୍ଥାପନା ପଶ୍ଚାତରେ ଲକ୍ଷ୍ୟ ଥିଲା ଓଡ଼ିଆଭାଷୀ ଅଂଚଳର ସମ୍ମିଶ୍ରଣରେ ଓଡ଼ିଶା ପ୍ରଦେଶ ଗଠନ । ପର୍ଯ୍ୟାୟକ୍ରମେ ସୁନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ ସହିତ, ପ୍ରଥମ ସଂଗ୍ରାମ ସମ୍ବଲପୁର ଜିଲ୍ଲାରେ ହିନ୍ଦୀଭାଷାର ଆକ୍ରମଣରୁ ଓଡ଼ିଆ ଭାଷାର ରକ୍ଷା ପାଇଁ ସଂଚାଳିତ ହୋଇଥିଲା ସମ୍ବଲପୁରବାସୀଙ୍କର ସ୍ୱତଃସ୍ଫୂର୍ତ୍ତ ଆନ୍ଦୋଳନ ସହିତ ମଧୁସୂଦନ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ଏଥିରେ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବହୁ ପ୍ରାଦେଶିକ ସୀମାର ପରିବର୍ତ୍ତନ ପାଇଁ ବଡ଼ଲାଟ ଲର୍ଡ କର୍ଜନ ଯେଉଁ ପରିକଳ୍ପନା କରୁଥିଲେ, ମଧୁସୂଦନଙ୍କ ପ୍ରଦତ୍ତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣପ୍ରସ୍ତାବ ତାହାକୁ ବଳିଷ୍ଠ ଭିତ୍ତିଭୂମି ଯୋଗାଇଥିଲା । ଏହି ପରିପ୍ରେକ୍ଷୀରେ କର୍ଜନ-ରିସ୍‍ଲେ ସାର୍କୁଲାରର ପ୍ରକାଶନ ପାଇଁ ମଧୁସୂଦନ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।
ମାତ୍ର ଏହା ମଧ୍ୟରେ ଯେଉଁ ସ୍ପର୍ଶକାତର ବିଷୟ ଥିଲା, ତାହା ହେଉଛି ୨୮.୧୧.୧୯୦୫ରେ ଆସନ୍ନ ବିଦାୟ ନେଉଥିବା ଲର୍ଡ କର୍ଜନ ବିଚ୍ଛିନ୍ନ ଓଡ଼ିଆ ଭାଷୀ ଅଂଚଳର ମିଶ୍ରଣ ପାଇଁ ଏଭଳି ପ୍ରତିଶ୍ରୁତିବଦ୍ଧ ଥିଲେ ଯେ ୧୬.୧୦.୧୯୦୫ରେ ଏହାକୁ ରୂପାୟିତ କରିବା ସହିତ ନିଜ ଜିଦ୍‍ରେ ଅଟଳ ରହି ସେହିଦିନ ବଂଗଭଂଗ କରିଥିଲେ ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶେଷ ସଂଗ୍ରାମ ଇଂଲଣ୍ଡର ଥେମସ୍‍ ନଦୀ କୂଳବର୍ତ୍ତୀ ଲଣ୍ଡନରେ ସଂଚାଳିତ ହୋଇଥିଲା । ଏଥିରେ ପ୍ରତିପକ୍ଷ ରୂପେ ଆନ୍ଧ୍ରଭାଷୀଙ୍କ ପକ୍ଷରୁ ବୋବଲିର ରାଜା ରାମଚନ୍ଦ୍ର ରାଓଙ୍କ ସହିତ କ୍ଷମତାଶାଳୀ ଧନାଢ଼୍ୟ ଜମିଦାରି ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଏଣୁ ମଧୁସୂଦନଙ୍କୁ ଏହି ଶେଷ ସଂଗ୍ରାମରେ ଯୋଗଦେବାପାଇଁ ପାରଳା ମହାରାଜା ୧୯୩୩ ସାଲରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବୈଠକରୁ ଫେରି ଖରସୁଆଁର କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଲେଖିଥିଲେ ଯେ, ମଧୁସୂଦନଙ୍କ ପ୍ରଚେଷ୍ଟାରେ କର୍ଜନ ଯେଉଁ ରିସ୍‍ଲେ ସର୍କୁଲାର ପ୍ରସାରିତ କରିଥିଲେ, ତାହାହିଁ ଅନ୍ତିମ କାଳରେ ଓଡ଼ିଶା ପ୍ରଦେଶର ଗଠନପାଇଁ ନିଧାର୍ଯ୍ୟ ଆଉ ଐକାନ୍ତିକ ଭାବେ ସହାୟକ ହୋଇଥିଲା ।

ଆମ ମଧୁସୂଦନ ୨୯୩