Jump to content

ପୃଷ୍ଠା:Aama Madhusudan.pdf/୨୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ୱତନ୍ତ୍ର ଓଡ଼ିଶା ସ୍ଥାପନାର ଶେଷ ପର୍ଯ୍ୟାୟରେ ପ୍ରାୟ ଦଶହଜାର ବର୍ଗମାଇଲ୍‍ରୁ ଊର୍ଦ୍ଧ୍ୱ ଆୟତନ ବିଶିଷ୍ଟ ଜୟପୁର ଜମିଦାରି, ପରବର୍ତ୍ତୀ କାଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମିଶ୍ରଣ ଓଡ଼ିଶା ପ୍ରଦେଶ ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ପାରଳା ମହାରାଜା ୧୬.୧.୧୯୩୧ରେ ପ୍ରଥମ ଗୋଲଟେବୁଲ୍‍ ବୈଠକରେ ଯୋଗଦାନ ପରେ ପ୍ରସ୍ତାବିତ ଓଡ଼ିଶାର ସୀମା ନିର୍ଦ୍ଧାରଣ 'ଓଡନେଲ୍‍' କମିଟି ଯେଉଁ ରିପୋର୍ଟ ୧୯.୪.୧୯୩୨ରେ ବି୍ରଟିଶ ସରକାରଙ୍କ ନିକଟରେ ପେଶ କରିଥିଲେ, ତହିଁରେ ବ୍ରିଟିଶ ଓଡ଼ିଶା (ଗଡ଼ଜାତକୁ ବାଦ ଦେଇ)ର ଆୟତନ ୩୩୦୦ ବର୍ଗ ମାଇଲ ବୋଲି ସୂଚିତ ହୋଇଥିଲା । ଏହି ରିପୋର୍ଟରେ ଜୟପୁର ଜମିଦାରି ସଂଯୁକ୍ତ ହୋଇଥିଲେ ମଧ୍ୟ ପାରଳାଖେମୁଣ୍ଡି ଜମିଦାରିକୁ ବାଦ ଦିଆଯାଇଥିଲା । ତୃତୀୟ ଗୋଲ୍‍ଟେବୁଲ୍‍ ବୈଠକର ସିଦ୍ଧାନ୍ତ ଘେନି ସର୍ବଶେଷ ଶ୍ୱେତପତ୍ର ୧୮.୩.୧୯୩୩ରେ ଯେତେବେଳେ ପ୍ରଚାରିତ ହେଲା, ସେତେବେଳେ ଉଭୟ ଜୟପୁର ଓ ପାରଳାଖେମୁଣ୍ଡି ଜମିଦାରିକୁ ବାଦ ଦିଆଯିବା ପରେ ବ୍ରିଟିଶ ଓଡ଼ିଶା (ଗଡ଼ଜାତକୁ ବାଦ୍‍ ଦେଇ)ର ପ୍ରସ୍ତାବିତ ଆୟତନ ମାତ୍ର୨୧,୫୪୫ ବର୍ଗ ମାଇଲ୍‍କୁ ହ୍ରାସ ପାଇଥିଲା । ଏହା ଓଡ଼ିଶା ପାଇଁ ବଜ୍ରପାତ ସଦୃଶ ଥିଲା । ଏହାକୁ ପ୍ରତିହତ କରିବାପାଇଁ ମଧୁସୂଦନ ପାରଳା ମହାରାଜାଙ୍କୁ ଆହ୍ୱାନ କରି ତାଙ୍କ ଅଧିନାୟକତ୍ୱରେ ଏକ ବଳିଷ୍ଠ ପ୍ରତିନିଧି ଦଳ ପ୍ରେରଣ କରିଥିଲେ, ଯହିଁରେ ଭୁବନାନନ୍ଦ ଦାସ, ଖଲ୍ଲିକୋଟ ରାଜା ସାହେବ ଓ ଲିଂଗରାଜ ପାଣିଗ୍ରାହୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହି ଦଳ ଓଡ଼ିଶା ପକ୍ଷରୁ ୩.୭.୧୯୩୩ରେ ଲଣ୍ଡନଠାରେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଆଗରେ ସାକ୍ଷ୍ୟ ପ୍ରଦାନ ପରେ ଆନ୍ଧ୍ରଭାଷୀ ପ୍ରତିନିଧି ଦଳ ସେହି କମିଟି ଆଗରେ ୧୦.୭.୧୯୩୩ରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ସଂଗ୍ରାମ କିଭଳି ତୀବ୍ର, ଶାଣିତ ଆଉ ପ୍ରତିଦ୍ୱନ୍ଦିତାମୂଳକ ଥିଲା, ତାହା ବର୍ତ୍ତମାନ ମଧ୍ୟ ରୋମାଞ୍ଚ ସୃଷ୍ଟିକରେ । ଏହାପରେ ସମସ୍ତ ଜୟପୁର ଜମିଦାରି ଓ ପାରଳାଖେମୁଣ୍ଡି ଜମିଦାରିର ଏକ ତୃତୀୟାଂଶ ମିଶିବା ପରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ଆୟତନ ପୁନରାୟ ୩୨୬୯୫ ବର୍ଗ ମାଇଲ୍‍କୁ ବୃଦ୍ଧି ପାଇଲା । ଏହି ପ୍ରାୟ ଦଶ ହଜାର ବର୍ଗ ମାଇଲ୍‍ର ଜୟପୁର ଓ ପାରଳା ଜମିଦାରି ଅତୀବ ଐଶ୍ଚର୍ଯ୍ୟଶାଳୀ ବିପୁଳ ପ୍ରାକୃତିକ ଆଉ ଖଣିଜ ବିଭବ ସହିତ ଅକଳ୍ପନୀୟ ଜଳ ଆଉ ଅରଣ୍ୟ ସଂପଦରେ ଭରପୂର ହୋଇ ରହିଛି ।
ଏହା ଓଡ଼ିଶାର ଗୌରବୋଜ୍ଜ୍ୱଳ ଇତିହାସର କାଞ୍ଚି ବିଜୟଠାରୁ ଅଧିକ ମହିମାନ୍ୱିତ ଆଉ ଐଶ୍ଚର୍ଯ୍ୟଶାଳୀ । କାଞ୍ଚି ବିଜୟର ପ୍ରାୟ ୫୦ ବର୍ଷର ଅନ୍ତରାଳରେ ସେହି ଭୂଖଣ୍ଡ ଓଡ଼ିଶା ସାମ୍ରାଜ୍ୟରୁ ଅବଲୁପ୍ତ ହୋଇଯାଇଥିଲା । ମାତ୍ର ପ୍ରାକୃତିକ ପ୍ରାଚୁର୍ଯ୍ୟ ପରିପୂର୍ଣ୍ଣ ଅବିଭକ୍ତ କୋରାପୁଟ ଜିଲ୍ଲା ଓଡ଼ିଶାକୁ ବିପୁଳ ସମୃଦ୍ଧି ଆଉ ଗରିମାରେ ପରିପୂର୍ଣ୍ଣ କରି ଚିରକାଳ ରହିଥିବ ।
ମଧୁସୂଦନଙ୍କର ଅନେକ ସହଯୋଗୀ ଏଥିଲାଗି ସହଯୋଗର ହସ୍ତ ପ୍ରସାରିତ କରିଥିଲେ । ବ୍ରିଟିଶ ସରକାରଙ୍କର ସଂଶିତ ବେଳର ଭାରତ ସଚିବ ସାର୍‍ ସାମୁଏଲ୍‍ ହେଭ୍‍ ଓଡ଼ିଶା ଉପକୂଳରେ ରେଲବାଇ ସ୍ଥାପନାକାଳରେ ୧୮୮୯୫ରୁ ୧୯୦୦ ସାଲ ମଧ୍ୟରେ ରେଳବାଇ ଅଧିକାରୀ ଥିଲେ ଓ କଟକରେ ଅବସ୍ଥାନ କାଳରେ ମଧୁବାବୁଙ୍କର ବାସଭବନରେ ଟେନିସ୍‍ ଖେଳୁଥିଲେ ।

୨୯୪ ଆମ ମଧୁସୂଦନ