ପୃଷ୍ଠା:Aama Madhusudan.pdf/୨୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଡ଼ଜାତ ଦୁଇଟି ମଧ୍ୟ ଓଡ଼ିଶା ଡିଭିଜନ ସହିତ ସାମିଲ୍‍ ହେଲା । ଏହିଦିନ ମଧ୍ୟ ବଂଗଭଂଗ ନୀତି କାର୍ଯ୍ୟକାରୀ ହେଲା । ସେ ଯାହାହେଉ ଏହିପରି ସାତଗୋଟି ଗଡ଼ଜାତ ସାମିଲ ହେଲା ପରେ ଓଡ଼ିଶା ଡିଭିଜନର ଗଡ଼ଜାତ ସଂଖ୍ୟା ୨୪କୁ ବୃଦ୍ଧିପାଇଲା । ମଧୁସୂଦନଙ୍କର ବଟଲାର୍‍ କମିଟିକୁ ୧୫.୪.୧୯୨୮ରେ ଆବେଦନ ପରେ, ଲୋଥିଆନ କମିଟିର ଅନୁମୋଦନ କ୍ରମେ ପ୍ରାୟ ୧୯୩୩ ବେଳକୁ ଷଢେ଼ଇକଳା ଓ ଖରସୁଆଁ ଗଡ଼ଜାତ ଦ୍ୱୟ ଓଡ଼ିଶା ଡିଭିଜନରେ ମିଶିଲେ । ଏଣୁ ୧.୪.୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲାବେଳେ ଏହାର ଶାସକୀୟ ପରିଧି ମଧ୍ୟରେ ୨୬ ଟି ଗଡ଼ଜାତ ଥିଲା, ଯାହା ୧.୪.୧୯୪୮ରେ (ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀ ପର୍ଯ୍ୟାୟରେ) ଓଡ଼ିଶା ପ୍ରଦେଶ ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ବା ଜିଲ୍ଲା ଆକାରରେ ମିଶିଥିଲେ । ମାତ୍ର ସବୁଠାରୁ ନୈରାଶ୍ୟଜନକ ତଥା ବିଷାଦଗ୍ରସ୍ତ ବିଷୟ ହେଲା ଯେ ୧୮.୫.୧୯୪୮ରେ ଷଢେ଼ଇକଳା ଓ ଖରସୁଆଁ ପୁନରାୟ ବିହାର ପ୍ରଦେଶକୁ ସ୍ଥାନାନ୍ତରିତ ହେଲା ।
ମଧୁବାବୁଙ୍କ ମହାର୍ଘଦାନ:ଦେଶପାଇଁ ନିଃସ୍ୱ ଆଉ କପର୍ଦକ ଶୂନ୍ୟ ହୋଇ ପରଲୋକ ଗମନ କରିଥିବା ମଧୁସୂଦନ ସମଗ୍ର ଓଡ଼ିଶାର ଭୂମିରୂପୀ ସଂପତ୍ତିକୁ ପ୍ରତିଶ୍ରୁତିବଦ୍ଧତାର ଦାନ (trust property) ରୂପେ ପ୍ରଦାନ କରିଯାଇଛନ୍ତି । ଫକୀରମୋହନଙ୍କର ମହତ୍ତର ମୂଲ୍ୟାୟନରେ ମଧୁସୂଦନ ଏହିଭଳି ଏକ ଗରିମାମୟ ଉର୍ଜ୍ଜ୍ୱସ୍ୱଳ ବ୍ୟକ୍ତିତ୍ୱ ରୂପେ ଚିହ୍ନିତ ହୋଇଛନ୍ତି ଯାହାର ପଟ୍ଟାନ୍ତର ନାହିଁ ।

"କେତେ କୋଟିପତି କେତେ ଭୂପତି
କେତେ ଧନ ରଖି ଯାଇ ଅଛନ୍ତି
ତୁମେ ଚାଲିଗଲେ ତୁମରି ଧନ
ବାଣ୍ଟିବୁଣ୍ଟି ନେବେ କୋଟିଏ ଜନ
ତୁମ୍ଭ ଧନବଣ୍ଟା ରୀତି ଦେଖିଛି
ପ୍ରତିଲୋକ ଭାଗେ ପଡ଼ିବ କିଛି ।" -(ଅବସର ବାସରେ)ଲ


ସ୍ୱତନ୍ତ୍ର ଓଡ଼ିଶାର ପ୍ରତିଷ୍ଠାତା ରୂପେ ସମଗ୍ର ଓଡ଼ିଶାର ଭୂଖଣ୍ଡ ହେଉଛି ମଧୁସୂଦନଙ୍କର ଓଡ଼ିଆ ଜାତି ପ୍ରତି ପ୍ରତିଶ୍ରୁତିବଦ୍ଧତାର ଦାନ । ମାତ୍ର ଯେଉଁ ଭୂଖଣ୍ଡମାନ ଦେଶ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶା ଡିଭିଜନ ସହିତ ସେ ସନ୍ନିବେଶିତ କରିଥିଲେ, ସେହି ଅଂଚଳର ସଂପଦ ଆକଳନ କରିବା । ତାହା ହେଉଛି ଓଡ଼ିଶାର ସମଗ୍ର ଅବିଭକ୍ତ ତେରଗୋଟି ଜିଲ୍ଲାରୁ ସାତଗୋଟି ଅବିଭକ୍ତ ଜିଲ୍ଲା ।
ସେସବୁ ହେଉଛି ୧.୪.୧୯୩୬ରେ ମିଶିଥିବା ଦକ୍ଷିଣ ଓଡ଼ିଶାର ତିନିଗୋଟି ଅବିଭକ୍ତ ଜିଲ୍ଲା । ଯଥା: ୧. ଅବିଭକ୍ତ କୋରାପୁଟ, (ରାୟଗଡ଼ା, ନବରଂଗପୁର, ମାଲକାନଗିରି ସମନ୍ୱିତ ଜିଲ୍ଲା)୨. ଅବିଭକ୍ତ ଗଂଜାମ (ଗଜପତି ସମନ୍ୱିତ) ଜିଲ୍ଲା । ୩. କନ୍ଧମାଳ ଜିଲ୍ଲା । ସେହିପରି ୧୬.୧୦.୧୯୦୫ରେ ମିଶିଥିବା (୪) ସୁନ୍ଦରଗଡ଼ (ପୂର୍ବତନ ଗାଂଗପୁର ଓ ବଣେଇ ଗଡ଼ଜାତ)

ଜିଲ୍ଲା (୫) ଅବିଭକ୍ତ ସଂବଲପୁର (ଦେବଗଡ଼, ବରଗଡ଼, ଝାରସୁଗୁଡ଼ା ସମନ୍ୱିତ ) (୬) ଅବିଭକ୍ତ ବଲାଙ୍ଗିର (ସୋନପୁର ସମନ୍ୱିତ) ଜିଲ୍ଲା (୭) ଅବିଭକ୍ତ କଳାହାଣ୍ଡି (ନୂଆପଡ଼ା ସମନ୍ୱିତ) ଜିଲ୍ଲା ।

୨୯୬ ଆମ ମଧୁସୂଦନ