ପୃଷ୍ଠା:Aama Madhusudan.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଇପଦ କଥା


ଏହି ପୁସ୍ତକର ପ୍ରାରମ୍ଭରେ ସ୍ଥାନିତ ମଧୁସୂଦନ ଦାସଙ୍କ "ମାତୃ ଆରାଧନାରେ ଜନ୍ମଭୂମିର ଆବାହନ" ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ପ୍ରେରଣାଦାୟକ । ସର୍ବାଗ୍ରେ ମଧୁସୂଦନ ହେଉଛନ୍ତି ନବସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠାତା । ଓଡ଼ିଶାର ସ୍ୱାଧୀନତାର ରବି ୧୫୬୮ ସାଲରେ ଅସ୍ତମିତ ହେବା ପରେ ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ସତ୍ତାର ପରିଚୟ ଓ ସ୍ୱୀକୃତି ମିଳିଥିଲା ୧୯୩୬ ସାଲରେ ଏବଂ ଓଡ଼ିଶା ସମଗ୍ର ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଥିଲା । ଏହି ପରିପ୍ରେକ୍ଷୀରେ ମଧୁସୂଦନ ଦାସଙ୍କ ଜୀବନୀ ଓ କାର୍ଯ୍ୟାବଳୀର ପର୍ଯ୍ୟାଲୋଚନା ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ । ଏହି କ୍ଷେତ୍ରରେ ନବକିଶୋର ଦାସଙ୍କ 'ଉତ୍କଳ ଗୌରବ ମଧୁସୂଦନ' (୧୯୫୧), ଓଡ଼ିଆ ଜାତିର ମହାକାବ୍ୟ ରୂପେ ସୁରେନ୍ଦ୍ର ମହାନ୍ତିଙ୍କ 'ଶତାବ୍ଦୀର ସୂର୍ଯ୍ୟ' (୧୯୭୦) ଓ 'କୁଳବୃଦ୍ଧ' (୧୯୭୮), ସୂର୍ଯ୍ୟନାରାୟଣ ଦାସଙ୍କ 'ଦେଶପ୍ରାଣ ମଧୁସୂଦନ' (୧୯୭୧) ଓ ରାଉରକେଲା ପ୍ରଗତି ଉତ୍କଳ ସଂଘର ବିଭିନ୍ନ ପ୍ରକାଶନ ପ୍ରଣିଧାନଯୋଗ୍ୟ ।

ମଧୁସୂଦନ ଦାସଙ୍କର ଶତବାର୍ଷିକୀ ସମାରୋହ ୧୯୪୮ ସାଲରେ ପାଳନ କରିବାକୁ ଓଡ଼ିଆ ଜାତି ଭୁଲି ଯାଇଥିଲା । ତେଣୁ ତାଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ୧୯୯୮-୯୯ ସାଲରେ ପାଳନ କରିବାକୁ ତ‌ତ୍ପରତା ପ୍ରକାଶ ପାଇଲା । ସେତେବେଳକୁ ୧୯୧୩-୧୬ ସାଲ ମଧ୍ୟରେ କେନ୍ଦ୍ରୀୟ ଇମ୍ପେରିଆଲ କାଉନ୍‍ସିଲରେ, ଭାରତରେ ୟୁରୋପୀୟ ଉପନିବେଶବାଦ ବିରୋଧରେ ମଧୁସୂଦନ ଦେଇଥିବା ପ୍ରଚଣ୍ଡ ଓ ଅଗ୍ନିଗର୍ଭ ଭାଷଣ ପ୍ରକାଶ ପାଇସାରିଥିଲା । ପୁଣି ମହାତ୍ମାଗାନ୍ଧୀ ଯେପରି ମଧୁବାବୁଙ୍କୁ ତାଙ୍କର ଅନ୍ୟତମ ମାର୍ଗଦର୍ଶକ ରୂପେ ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ, ଗାନ୍ଧୀ ରଚନାବଳୀର ସଂକଳନ ଫଳରେ ତାହା ମଧୁସୂଦନଙ୍କୁ ନୂତନ ଆଙ୍ଗିକ ବିଭବରେ ଉଦ୍‍ଭାସିତ କରିଥିଲା । ଏହା ମଧ୍ୟ ସ୍ମରଣୀୟ ଯେ ମହାତ୍ମାଗାନ୍ଧୀ ହେଉଛନ୍ତି ସମଗ୍ର ଭାରତର ଏକମାତ୍ର ନେତୃପୁରୁଷ- ଯେ ପରାଧୀନ ଭାରତରେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସ୍ଥାପନାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ପୁଣି ମଧୁସୂଦନ ଯେଉଁ ସାମ୍ବିଧାନିକ ମାର୍ଗ ଓ ପନ୍ଥାରେ ୧୯୨୮ ସାଲରୁ ଓଡ଼ିଶା ପ୍ରଦେଶ ସ୍ଥାପନା ପାଇଁ ସଂଗ୍ରାମ ସଂଚାଳିତ କରିଥିଲେ, ଭାରତରତ୍ନ ଭୀମରାଓ ଆମ୍ବେଦକର ମଧ୍ୟ ୧୯୨୮ ସାଲରୁ ଦଳିତ ଜାତିର ସଂସ୍ଥାପନା ପାଇଁ ସେହି ସାମ୍ବିଧାନିକ ମାର୍ଗ ଓ ପନ୍ଥା ଗ୍ରହଣ କରିଥିଲେ । ଆମ୍ବେଦକରଙ୍କ ସହିତ ମହାତ୍ମାଗାନ୍ଧୀ ଓ ମଧୁସୂଦନ ଦଳିତ ଜାତିର ଉନ୍ନତି ପାଇଁ ସମର୍ପିତ ଥିଲେ ।