ପୃଷ୍ଠା:Aama Madhusudan.pdf/୩୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଂଚଳରେ ପରିଣତ କରିଛି । ସେହି ଅଂଚଳର ଜନତାର ପ୍ରବଳ ପ୍ରତିବାଦ ଯୋଗୁଁ ଏହି ଅଂଚଳରୁ ବକ୍‍ସାଇଟ୍‍ ଉତ୍ତୋଳନ ପ୍ରକ୍ରିୟା ବନ୍ଦ ରହିଛି ।
କନ୍ଧମାଳ- କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଅଂଚଳରେ ଗ୍ରାଫାଇଟ୍‍ ଖଣି ରହିଛି । ଏହି ଅଂଚଳରେ ରତ୍ନପଥର, ସୁନା ଆଦି ମିଳିବାର ସୂଚନା ମିଳେ । ଏହି ଅଂଚଳ୧.୪.୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶାରେ ମିଶିଥିଲା ।
କଳାହାଣ୍ଡି- ଅବିଭକ୍ତ କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ଗଡ଼ଜାତ ୧୬.୧୦.୧୯୦୫ ଆଉ ଖଡ଼ିଆଳ ଜମିଦାରି ୧.୪.୧୯୩୬ରେ ଓଡ଼ିଶାରେ ମିଶିଥିଲା ।
ଏହି ଅବିଭକ୍ତ ଜିଲ୍ଲାର ଖରିଆର ଅଂଚଳରେ ଗ୍ରାଫାଇଟ୍‍, ଚୂନପଥର, ହୀରା, ସୁନା ମିଳିବାର ସୂଚନା ରହିଛି । ଜୁନାଗଡ଼ ଅଂଚଳର ମଧ୍ୟ ସୁଯୋଗ ରହିଛି ।
ପ୍ରାରମ୍ଭିକ ଅଂଚଳରେ ନିୟମଗିରି ପର୍ବତ ଶ୍ରେଣୀରେ ଡଙ୍ଗରିଆ କନ୍ଧ ଅଧ୍ୟୁଷିତ ବହୁ ଘନ ଜଂଗଲ ଆଉ ଅସଂଖ୍ୟ ଉଚ୍ଛ୍ୱସିତ ରୋମାଞ୍ଚକର ଝରଣା ସେବିତ ଏହି ମନୋଜ୍ଞ ପାହାଡ଼ରେ ପ୍ରଚୁର ବକ୍‍ସାଇଟ୍‍ ଖଣି ରହିଛି । ଏହା ବହୁ ବହିରାଗତ କମ୍ପାନିର ଦୃଷ୍ଟି ଆକର୍ଷଣ କରିଛି ।
ଖଣିଜ ପଦାର୍ଥ ପ୍ରକୃତିର ମହନୀୟ ଦାନ, ଯାହା ପୁନର୍ବାର ଭରଣା କରାଯାଇ ପାରେନାହିଁ । ମଧୁସୂଦନଙ୍କ ଉକ୍ତି ଥିଲା, "ଭୂଖଣ୍ଡର ଗର୍ଭରେ ପ୍ରକୃତିର ଦାନ ସଂଚିତ ଖଣିଜ ପଦାର୍ଥ ହେଉଛି ମଣିଷର ଅନ୍ତରରେ ସଂଚାଳିତ ହେଉଥିବା ହୃଦୟ ପରି ଯାହା ଗୋପନୀୟ ଭାବେ ସଂଚିତ ହୋଇ ରହିଥାଏ । ଏହାର ବିନିଯୋଗ ହେବା ଆବଶ୍ୟକ ମାତ୍ର ସୀମିତ ଭାବେ ଯେପରି ଏହାର ବିନିଯୋଗ ହୃଦୟର ଚାଳନା ପରି ଶକ୍ତିପ୍ରଦାୟୀ, ମାତ୍ର ଦୀର୍ଘକାଳ ବ୍ୟାପୀ ହେବା ଆବଶ୍ୟକ । ଜଗତୀକରଣ ପ୍ରଭାବରେ ଖଣିଜ ଶିଳ୍ପପାଇଁ ଯେଉଁ ପରିବ୍ୟାପ୍ତ ଉତ୍ତେଜନା ପରିଲକ୍ଷିତ ହେଉଛି, ତାହା ପ୍ରଣିଧାନଯୋଗ୍ୟ । ଖଣିଜ ପଦାର୍ଥ ମୁଖ୍ୟତଃ ପାହାଡ଼ିଆ ଅଂଚଳରେ ଆଦିବାସୀ ଅଧ୍ୟୁଷିତ ଭୂଭାଗରେ ରହିଛି, ଯହିଁରେ ବିସ୍ଥାପନର ଜ୍ୱାଳା ସହିତ ପ୍ରଦୂଷଣର ମାତ୍ରା ମଧ୍ୟ ରହିଛି ।
ଏହି ଅଂଚଳର ଅକଳନ ଖଣିଜ ସଂପତ୍ତିର ମୂଲ୍ୟ ଅକଳ୍ପନୀୟ । ମଧୁସୂଦନ ଅନ୍ତିମ ଅବସ୍ଥାରେ ନିଃସ୍ୱ ଆଉ କପର୍ଦ୍ଦକ ଶୂନ୍ୟ ହୋଇ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ବିପୁଳ ଖଣିଜ ସଂଭାରକୁ ପ୍ରତିଶ୍ରୁତିବଦ୍ଧତାର ଦାନ ହିସାବରେ ଓଡ଼ିଆ ଜାତି ହସ୍ତରେ ଅର୍ପଣ କରଛନ୍ତି ।
ମଧୁସୂଦନଙ୍କର ଅବଦାନର ଅନ୍ୟକେତେକ ଦିଗ ପ୍ରତି ଦୃଷ୍ଟି ନିକ୍ଷେପ କରିବା ।
କୃଷି- ମଧୁସୂଦନ କୃଷିକୁ ଓଡ଼ିଶାରେ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲେ । ନିଜେ ଗୋଟିଏ କୃଷି ଫାର୍ମ କରି ଶସ୍ୟ ଉତ୍ପଦନାର ପରୀକ୍ଷା ନିରୀକ୍ଷା କେବଳ କରୁନଥିଲେ, ଉତ୍କଳ ସମ୍ମିଳନୀ ଜରିଆରେ କୃଷକର ଜମିର ମାଟି ପରୀକ୍ଷା କରି, ଉତ୍ପାଦନ ଉପଯୋଗୀ ସାର ପ୍ରୟୋଗର ବ୍ୟବସ୍ଥା କରାଉଥିଲେ । ମଧୁସୂଦନ ବଂଗ ବିଧାନସଭାରେ ୪.୪.୧୮୯୬ରେ ବିଧାୟକ ରୂପେ ପ୍ରଥମ ଭାଷଣ ଦେଇ ପ୍ରାଥମିକ ବିଦ୍ୟାଳୟରେ କୃଷିକୁ ଏକ ବାଧ୍ୟତାମୂଳକ ବିଷୟ ରୂପେ ରଖିବା ସହିତ,

ଆମ ମଧୁସୂଦନ ୩୦୭