ପୃଷ୍ଠା:Aama Madhusudan.pdf/୩୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତି ବିଦ୍ୟାଳୟରେ ୨ ଏକର ଜମି ସଂଲଗ୍ନ କରି ତହିଁରେ କୃଷି ବିଦ୍ୟାର କ୍ଷେତ୍ର ସଂଯୋଜିତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହା ଫଳରେ ଓଡ଼ିଶାର କିଛି ପ୍ରାଥମିକ ବିଦ୍ୟାଳୟରେ କୃଷି ଏକ ଶିକ୍ଷଣୀୟ ବିଷୟ ରୂପେ ଗୃହୀତ ହୋଇଥିଲା । ଗ୍ରାମ୍ୟ ସମବାୟ ସମିତି ମାଧ୍ୟମରେ କୃଷକକୁ ଉନ୍ନତ ପ୍ରଣାଳୀର କୃଷିଶିକ୍ଷା, ଯନ୍ତ୍ରପାତି ଯୋଗାଣ ଆଉ କୃଷି ଋଣ ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସର୍ବୋପରି କୃଷକ ପ୍ରଜାମାନଙ୍କୁ ନେଇ ମଧୁସୂଦନ ଯେଉଁ ପ୍ରଜା ପରିଷଦ ଆଉ ପ୍ରଜା ପ୍ରତିନିଧି ସଭା ଗଠନ କରିଥିଲେ, ତାହା ଥିଲା ପ୍ରଜାର ସ୍ୱତ୍ତ୍ୱ ରକ୍ଷା କ୍ଷେତ୍ରରେ ଦେଶର ପ୍ରଥମ ସାମ୍ୟବାଦୀ ଅନୁଷ୍ଠାନ ।
ଶିଳ୍ପ- ମଧୁସୂଦନଙ୍କର ଶିଳ୍ପ ଚେତନା ଆକାଶ ଭଳି ସର୍ବବ୍ୟାପକ । ସ୍ୱଳ୍ପ ପରିସରରେ ତାହାର ଉପସ୍ଥାପନା ଦୁରୂହ ବ୍ୟାପାର । ମଧୁସୂଦନଙ୍କ ଆହ୍ୱାନ ଥିଲା - ବିଦେଶୀ ବର୍ଜନ ଆଉ ସ୍ୱଦେଶୀ ନିୟୋଜନ । ସେ ସ୍ୱଦେଶୀ ଶିଳ୍ପାୟନର ଆଦର୍ଶରେ ଗଭୀରଭାବେ ଅନୁପ୍ରେରଣା ଲାଭକରି ସମସ୍ତ ଗ୍ରାମ୍ୟଶିଳ୍ପକୁ ଯାନ୍ତ୍ରିକ (ମେକାନିକାଲ୍‍) ବିନ୍ୟାସ ଆଧାରରେ, ଦୁର୍ବହ ଶ୍ରମ ନିୟୋଜନକୁ ହ୍ରାସ କରି ବ୍ୟାପକ ପରିବର୍ତ୍ତନ ସଂଘଟିତ କରିଥିଲେ । ଏହାର ଅକଳ୍ପନୀୟ ବିବରଣୀ, ଗୌରୀଶଙ୍କର ରାୟଙ୍କର ଉପସ୍ଥାପନାରେ, ଆମକୁ ହତଚକିତ କରେ । ମହାତ୍ମାଗାନ୍ଧୀ ୧୯୧୫ ସାଲ ସୁଦ୍ଧା ଚରଖାଟିଏ ସନ୍ଦର୍ଶନ କରି ନଥିଲେ ମଧ୍ୟ ମଧୁସୂଦନ ୧୯୦୦ ସାଲ ବେଳକୁ ଉନ୍ନତ ଚରଖା ଉତ୍ପାଦନ କରି ତାହାରି ମାଧ୍ୟମରେ ସୂତା କାଟି ସ୍ୱଦେଶୀ ବସ୍ତ୍ର ଉତ୍ପାଦନ କରି ନିଜେ ପରିଧାନ କରୁଥିଲେ । ମଧୁସୂଦନ ଓଡ଼ିଶାରେ ସର୍ବପ୍ରଥମେ 'ଫ୍ଲାଇ ସଟଲ୍‍ ଲୁମ୍‍'ର ବୟନଶିଳ୍ପ ପ୍ରକ୍ରିୟାକୁ ବିନିଯୋଗ କରି ୧୯୦୫ ବେଳକୁ ବସ୍ତ୍ର ବୁଣାକୁ କ୍ଷିପ୍ରତର ତଥା ଲାଭଦାୟକ କରିବା ସହିତ ଏହାର ବିନିଯୋଗ ପାଇଁ ନିଜ ଖର୍ଚ୍ଚରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା କରିଥିଲେ ।
ମଧୁସୂଦନଙ୍କର ସମବାୟଭିତ୍ତିକ ଉତ୍କଳ ଟ୍ୟାନେରି ଥିଲା ସର୍ବାଧୁନିକ ଚମଡ଼ା କଷେଇ କାରଖାନା, ଯହିଁରେ ଯନ୍ତ୍ରସବୁ ବିଦ୍ୟୁତ୍‍ ଆଉ ଗ୍ୟାସ୍‍ ଚାଳିତ ଥିଲା । ଏହାର ବହୁ ଯନ୍ତ୍ରପାତି ମଧୁସୂଦନ ଜର୍ମାନୀରୁ ଆମଦାନି କରିଥିଲେ । ମହାତ୍ମାଗାନ୍ଧୀ ଉତ୍କଳ ଟ୍ୟାନେରି ପରିଦର୍ଶନ ପରେ ଏହିପରି କଳକବ୍‍ଜା ଆମଦାନିକୁ ସ୍ୱଦେଶୀ ବୋଲି ଆଖ୍ୟାୟିତ କରିଥିଲେ, କାରଣ ଏହା ଦ୍ୱାରା ଚମଡ଼ା ରପ୍ତାନି ରୋକାଯାଇ, ଦେଶରେ ଏହି କଳକବ୍‍ଜା ଆମଦାନି ହୋଇ ଚମଡ଼ା କଷେଇ ହେବାଦ୍ୱାରା ବହୁ ଦଳିତ ତଥା ପଛୁଆ ବର୍ଗର ଲୋକ, ଜୋତା ଆଦି ବସ୍ତୁ ତିଆରି କରି ବର୍ଷସାରା କର୍ମସଂସ୍ଥାନ ପାଇପାରିବେ । ଏ ସମସ୍ତ କ୍ଷେତ୍ରରେ ମଧୁସୂଦନ ହିଁ ମହାତ୍ମାଗାନ୍ଧୀଙ୍କର ମାର୍ଗଦର୍ଶକ ଥିଲେ ।
ସାକ୍ଷରତା: ମଧୁସୂଦନ ୧୮୮୭ ସାଲରୁ କଟକ ଜିଲ୍ଲା ବୋର୍ଡର ଭାଇସ୍‍ ପ୍ରେସିଡେଣ୍ଟ ରୂପେ କଲେକ୍ଟରଙ୍କ ତରଫରୁ କ୍ଷମତା ପ୍ରାପ୍ତହୋଇ ପ୍ରେସିଡେଣ୍ଟର କାର୍ଯ୍ୟ ସଂଚାଳନ କରିବା ସମୟରେ କଟକ ଜିଲ୍ଲାରେ ବହୁ ପ୍ରାଥମିକ ବିଦ୍ୟାଳୟ ଓ ବାଳିକାମାନଙ୍କ ପାଇଁ ସ୍ୱତନ୍ତ୍ର ବାଳିକା ବିଦ୍ୟାଳୟ ଖୋଲି ସାକ୍ଷରତା ହାର ବଢ଼ାଇଥିଲେ । କେବଳ ସେତିକି ନୁହେଁ, ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ଏହି ପ୍ରାଥମିକ ସ୍କୁଲ୍‍ମାନ ଖୋଲିବା ଦିଗରେ ପ୍ରୋତ୍ସାହନ ପ୍ରଦାନ କରି ବହୁ ସ୍କୁଲ୍‍ ଖୋଲିଥିଲେ ।

୩୦୮ ଆମ ମଧୁସୂଦନ