ପୃଷ୍ଠା:Aama Madhusudan.pdf/୩୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କର ପ୍ରବଳ ପ୍ରଚେଷ୍ଟାରେ ଓଡ଼ିଆ ପ୍ରାଥମିକ ସ୍କୁଲ୍‍ର ପ୍ରସାର ଫଳରେ ୧୯୦୦ ସାଲର ଜନଗଣନାରେ ସମଗ୍ର ଭାରତରେ ଓଡ଼ିଶା ଡିଭିଜନର ସାକ୍ଷରତା ହାର ସର୍ବାଧିକ ଥିଲା । ଏହି ଜନଗଣନାରେ ପ୍ରତି ଦଶହଜାର ବ୍ୟକ୍ତିଙ୍କ ମଧ୍ୟରେ ସାକ୍ଷରତା ହାର ବଂଗରେ ୯୩୮, ବିହାରରେ ୫୦୩, ଯୁକ୍ତ ପ୍ରଦେଶରେ୪୨୬, ପଞ୍ଜାବରେ ୫୨୮, ମାନ୍ଦ୍ରାଜରେ ୯୦୯, ବମ୍ବେରେ ୮୩୮ ଥିଲାବେଳେ କଟକ, ପୁରୀ ଆଉ ବାଲେଶ୍ୱର ଜିଲ୍ଲା ବିଶିଷ୍ଟ ଓଡ଼ିଶା ଡିଭିଜନରେ ଏହାର ହାର ଥିଲା ୧୦୧୯ । ଏହା କମ୍‍ ଗୌରବର ବିଷୟ ନୁହେଁ । ନାରୀଶିକ୍ଷା କ୍ଷେତ୍ରରେ ମଧୁସୂଦନ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ ଆଉ ୧୯୦୩ ସାଲର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷାରେ ସମସ୍ତ ପ୍ରସ୍ତାବ ଆଉ ନିର୍ଦ୍ଧାରଣମାନ ଲିପିବଦ୍ଧ କରି ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ।
ଆଦିବାସୀ: ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ ସମୟରେ ୧୯୩୧ ସାଲରେ ଗଂଜାମର ପାର୍ବତ୍ୟ ଅଂଚଳରେ ତଥା ଜୟପୁର ଜମିଦାରିର ଆଦିବାସୀ ଅଧ୍ୟୁଷିତ ମାଳ ଅଂଚଳରେ, ଆର୍ଥିକ ଦୃଷ୍ଟିରୁ ସ୍ୱଳ୍ପ ଆୟକାରୀ ଆଦିବାସୀ ବାସ କରୁଥିବାରୁ ଏହି ଅଂଚଳ ରାଜସ୍ୱ ଆଦାୟ ଦୃଷ୍ଟିରୁ ନିଅଣ୍ଟିଆ ଥିଲା । ଏଣୁ ଏହି ଅଂଚଳର ମିଶ୍ରଣ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶକୁ ନିଅଣ୍ଟିଆ ରାଜ୍ୟରେ ପରିଣତ କରିବ ବୋଲି ସୀମା ନିର୍ଦ୍ଧାରଣ କମିଟି ପକ୍ଷରୁ ଦର୍ଶାଯାଇଥିଲା । ମଧୁସୂଦନଙ୍କର ଅଧିନାୟକତ୍ୱରେ ଦେଶ ମିଶ୍ରଣ ଆନ୍ଦୋଳନ ପକ୍ଷରୁ ଓଡନେଲ କମିଟିକୁ ନିମ୍ନ ଭାବରେ ପ୍ରତିଶ୍ରୁତି ଦିଆଯାଇଥିଲା ।
"ଓଡ଼ିଆମାନଙ୍କର ନିଜସ୍ୱ ପ୍ରତିଭା ଏପରି ସମନ୍ୱୟକାରୀ ଯେ ତାହା ବ୍ରାହ୍ମଣ ଓ ବୌଦ୍ଧ ସଂସ୍କୃତିକୁ ସନ୍ତୁଳିତ ଆଉ ସମନ୍ୱିତ କରିଛି ଓ ଜାତିଭେଦକୁ ବିଲୋପ କରିଛି । ତେଣୁ ପଛୁଆ ଜାତିର ଉନ୍ନତି ପାଇଁ ଓଡ଼ିଆମାନେ ପ୍ରତିଶ୍ରୁତିବଦ୍ଧ । ଶ୍ରୀ ଜଗନ୍ନାଥଙ୍କ ଚେତନାରେ ମାନବବାଦର ମୂଳଲକ୍ଷ୍ୟ ସାମ୍ୟ ଓ ମୈତ୍ରୀ ଭାବ ଏପରି ସଂଯୁକ୍ତ ଆଉ ସମ୍ମିଶ୍ରିତ ହୋଇ ରହିଛି ଯେ ଓଡ଼ିଆମାନେ ସମତା ଓ ମୈତ୍ରୀବୋଧର ଆଂଗିକ ବିଭବକୁ ଘେନି ପଛୁଆ ଶ୍ରେଣୀର ଉନ୍ନତି ବିଧାନର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ ।"
ସ୍ୱାଧୀନତା ପ୍ରାପ୍ତିପରେ ଓଡ଼ିଶା ପ୍ରଶାସନ ଏହି ସମସ୍ତ ପ୍ରତିଶ୍ରୁତିକୁ ସଂପୂର୍ଣ୍ଣ ରୂପେ ବିସ୍ମୃତ ହୋଇଯାଇଛି । ସମଗ୍ର ଭାରତରେ ମଧ୍ୟପ୍ରଦେଶକୁ ବାଦ ଦେଲେ ସର୍ବାଧିକ ଆଦିବାସୀ ଓଡ଼ିଶା ଓ ମହାରାଷ୍ଟ୍ରରେ ବାସ କରୁଥିଲେ ମଧ୍ୟ, ଓଡ଼ିଶା ଆଦିବାସୀଙ୍କ କ୍ଷେତ୍ରରେ ଦରିଦ୍ରତା ଶତକଡ଼ା ୭୦ ଭାଗରୁ ଊର୍ଦ୍ଧ୍ୱ ଆଉ ଅପପୁଷ୍ଟି, ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ଦିଗରେ କ୍ଷେତ୍ରରେ ସର୍ବାଧିକ ସ୍ଥାନରେ ରହିଛି ।
ପରିବେଶ: ଆଜିର ଏକବିଂଶ ଶତାବ୍ଦୀରେ ପ୍ରଦୂଷଣ, ବିସ୍ଥାପନ, ସଂତାପିତ ଜଳବାୟୁ, ଅରଣ୍ୟ ହ୍ରାସ, ଆବର୍ଜନାର ପ୍ରାବଲ୍ୟ, ଧୂମ୍ର ବିକ୍ଷୋଭିତ ବାତାବରଣ ଯୋଗୁଁ ପରିବେଶର ସଚେତନତା ପ୍ରଗାଢ଼ ଭାବରେ ବୃଦ୍ଧିପାଇବାରେ ଲାଗିଛି । ମାତ୍ର ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଜନ୍ମଗ୍ରହଣ କରିଥିବା ମଧୁସୂଦନ କିଭଳି ଦୁର୍ଲ୍ଲଭ ଐକାନ୍ତିକ ପରିବେଶପ୍ରେମୀ ଥିଲେ ଆଉ

ଆମ ମଧୁସୂଦନ ୩୦୯