ପୃଷ୍ଠା:Aama Madhusudan.pdf/୩୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପହୁଞ୍ଚାଇ ଦେଇ ପାରବେ ।" ମଧୁସୂଦନଙ୍କର ଏହି ଅସାଧାରଣ କ୍ଷମତା ରହିଥିଲା, ଯେ'କି ଉପଯୁକ୍ତ ସାମର୍ଥ୍ୟ ଦେଇ ପାରିବା ଭଳି ସହକର୍ମୀଙ୍କୁ ନିର୍ବାଚିତ କରି, ସେହିମାନଙ୍କର ସାହଚର୍ଯ୍ୟରେ ଓଡ଼ିଶା ପ୍ରଦେଶର ସ୍ଥାପନା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଅବଶେଷରେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିଥିଲେ । ସମଗ୍ର ଓଡ଼ିଶାରେ ଭିନ୍ନଭିନ୍ନ ସ୍ଥାନରେ ଓଡ଼ିଆ ଜାତୀୟତାର ଯେଉଁ ସ୍ଫୁଲିଂଗ ସୃଷ୍ଟି ହୋଇଥିଲା ସେହି ସମସ୍ତକୁ ଉତ୍କଳ ସମ୍ମିଳନୀ ମଞ୍ଚରେ, ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐକ୍ୟବଦ୍ଧତା ସୃଷ୍ଟିକରି, ସମଗ୍ର ବିଭେଦ ଆଉ ବିରୋଧାଭାସକୁ ସମାହିତ କରି ମଧୁସୂଦନ ଅଂଗୀକାରବଦ୍ଧତାର ସହ ସଂଗ୍ରାମ କରିଥିଲେ ।
ସେହି ସଂପର୍କିତ ଉତ୍କଳ ସମ୍ମିଳନୀର ଜାତୀୟ ମଂଚରେ ଅନୁଷ୍ଠିତ, ଏକ ବିରଳ ସମ୍ବେଦନଶୀଳ ଘଟଣା ଏହିପରି ଥିଲା । ୧୯୧୮ ସାଲର ଅଧିବେଶନର ଦ୍ୱିତୀୟ ଦିବସରେ ମଧୁସୂଦନ ସହସା ମଂଚରେ ଆବିର୍ଭୂତ ହୋଇ ବାଷ୍ପରୁଦ୍ଧ , ବିହ୍ୱଳିତ ଏବଂ ଲୋତକାପ୍ଳୁତ ନୟନରେ କହିଥିଲେ, 'କାଲି ସଭା ଶେଷରେ ଶୁଣିଲି , କେତେ ଜଣ ଭ୍ରାତା ସଭା ମଣ୍ଡପରୁ ଧୂଳିନେଇ ମୁଣ୍ଡରେ ବୋଳିଛନ୍ତି, ଆଉ ତାହାକୁ ନିଜ ଘରକୁ ବାନ୍ଧି ନେଇଛନ୍ତି । ସେହି ଭ୍ରାତାମାନଙ୍କର ପରିଚୟ ପାଇବାପାଇଁ ଚେଷ୍ଟାକଲି, ମାତ୍ର ପାଇପାରିଲି ନାହିଁ । ସେହିମାନେ ହିଁ ଉତ୍କଳମାତାର ଯୋଗ୍ୟତମ ସନ୍ତାନ । ସେହିମାନଙ୍କ ପଦଧୂଳିରେ ପବିତ୍ର ହୋଇଥିବା ଏହି ପୀଠର ଧୂଳିକୁ ମୁଁ ଉନ୍ମାଦପ୍ରାୟ ମଥାରେ ବୋଳିଛି ଆଉ ପରମ ଆଗ୍ରହରେ ସାଇତି ରଖିଛି ।" ମଧୁସୂଦନଙ୍କର ବିକଳ ନୟନରୁ ଅବିରତ ଗତିରେ ଅଶ୍ରୁର ଧାରା ବହି ଚାଲିଥିଲା, ଯାହା ଶ୍ରୋତୃମଣ୍ଡଳୀକୁ ବିପୁଳ ଲୋତକପାତରେ ବିଗଳିତ ଆଉ ପରିପ୍ଳୁତ କରିଦେଇଥିଲା ।
୧୯୩୩ ସାଲର ପ୍ରାୟ ଅକ୍ଟୋବର ମାସରେ ମଧୁସୂଦନ ତାଙ୍କ ତିରୋଧାନର ଚାରିମାସ ପୂବରୁ, ବ୍ରହ୍ମପୁରରେ ଉପନୀତ ହୋଇ ଶଶିଭୂଷଣ ରଥଙ୍କ ମାଧ୍ୟମରେ ଯେଉଁ ଅନ୍ତିମ ବାର୍ତ୍ତା ଓଡ଼ିଆ ଜାତିକୁ ପ୍ରଦାନ କରିଥିଲେ ତାହାଥିଲା -
'ମୁଁ ଚାହେଁ ନାହିଁ ଯେ ଓଡ଼ିଆମାନେ ଋଷି ଆଉ ମୁନିର ଜୀବନ ଯାପନ କରନ୍ତୁ । ମୁଁ ଚାହେଁ ଯେ ସେମାନେ ନିଜସ୍ୱ ପ୍ରାସାଦମାନଙ୍କରେ କଳାପ୍ରାଣତାର ଜୀବନଯାପନ ମଧ୍ୟରେ ଓଡ଼ିଶାର ଉନ୍ନତିକଳ୍ପେ କୃଷି, ଶିଳ୍ପ, ଚାରୁକଳା, ଆଦି ଭିନ୍ନଭିନ୍ନ ଉଦ୍ୟୋଗରେ ବ୍ରତୀ ହୁଅନ୍ତୁ ।
ଏହିଠାରେ ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ, ୧୯୧୮ ସାଲରେ ମଧୁସୂଦନଙ୍କର ପ୍ରଦତ୍ତ କାଳଜୟୀ ମାତୃ ଆବାହନର କିଛି ମହିମାନ୍ୱିତ ଅଂଶ ଉଦ୍ଧାର କରାଯାଉଛି -
"ଉତ୍କଳବାସୀଙ୍କର ସମ୍ମିଳନୀ-ଜନନୀ ଜନ୍ମଭୂମିଙ୍କର ପୂଜାମଣ୍ଡପ । ପୂଜାକାର୍ଯ୍ୟ ଆରମ୍ଭ ପୂର୍ବରୁ ମାତାଙ୍କର ଆବାହନ ଆବଶ୍ୟକ । ତାହାଙ୍କର ପିତୁଳା ହୃଦୟରେ କିପରି ସ୍ଥାପନ କରାଯାଇପାରେ, ତେବେ କେବଳ ଏହି ଉପରେ ଲେଖା ହୋଇଥିବା 'ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ' ପ୍ରତି ଅଂଗୁଳି ନିର୍ଦ୍ଦେଶ କରିବି । ଦେଖନ୍ତୁ ପ୍ରଥମେ ଜନନୀ, ଦ୍ୱିତୀୟରେ ଜନ୍ମଭୂମି, ତୃତୀୟରେ ସ୍ୱର୍ଗ । ମନୁଷ୍ୟ ଜନ୍ମରେ ପ୍ରତ୍ୟେକ ମନୁଷ୍ୟ ଜୀବନକୁ ଗୋଟିଏ ସ୍ରୋତ ମନେକଲେ ଦେଖିବେ

୩୧୨ ଆମ ମଧୁସୂଦନ