ପୃଷ୍ଠା:Aama Madhusudan.pdf/୩୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କର ପ୍ରତି ପ୍ରଦତ୍ତ ଶ୍ରଦ୍ଧାଞ୍ଜଳିରେ ଅନ୍ୟଏକ ଅକଳ୍ପନୀୟ ପ୍ରଗାଢ଼ ଉଚ୍ଚାରଣ -
"ଏହି ନିଃସ୍ୱ ଜାତିକୁ ତାହାଙ୍କର ଦାନ ଏତେ ଆକାଶସ୍ପର୍ଶୀ ଥିଲା ଯେ ସେଥିପାଇଁ ତାଙ୍କ ପ୍ରତି ପ୍ରଦତ୍ତ କୃତଜ୍ଞତାଭରା କ୍ଷୁଦ୍ର ଭକ୍ତି ଓ ଶ୍ରଦ୍ଧା କେତେ ତୁଚ୍ଛକର ଥିଲା ସତେ! ମଧୁବାବୁ ଥିଲେ ଏ ଜାତିର ଜୀବନ ଦେବତା ଏବଂ ଜାଗ୍ରତ ଅଭୀଷ୍ଟ ଶିବ; ଅମଙ୍ଗଳର ସମସ୍ତ ହଳାହଳକୁ ସେ ପାନକରି ଦେଇଥିଲେ ଆଉ ଓଡ଼ିଆକୁ ନବଜୀବନର ଅମୃତ ପ୍ରବାହରେ ଭସାଇ ଦେଇଥିଲେ ।"(ଦେଶକଥା)
ହଁ, ଓଡ଼ିଶା ପ୍ରଦେଶ ଗଠନର ସମୁଦ୍ର ମନ୍ଥନରୁ ଜାତ ହଳାହଳକୁ ଆକଣ୍ଠ ପାନକରି ସେ ହୋଇଥିଲେ ନୀଳକଣ୍ଠ । ନୀଳକଣ୍ଠଙ୍କ ପରି ସେ ଥିଲେ ସର୍ବସ୍ୱ ତ୍ୟାଗୀ, ଅନିକେତ ଆଉ ଶ୍ମଶାନବାସୀ । ତାଙ୍କର ଜୀବନରେ ଦୁର୍ବିପାକ ଥିଲା ଅଚିନ୍ତନୀୟ । ଦୁଃଖ ଆଉ ଦୈନ୍ୟ ଏପରି ଦୁର୍ବିସହ ଯେ, ତାହା ଥିଲା ମାନବୀୟ ପରିକଳ୍ପନାର ଊର୍ଦ୍ଧ୍ୱରେ । ପରିଣାମରେ ସେ ହୋଇଥିଲେ ନିଃସ୍ୱ ଆଉ କପର୍ଦ୍ଦକ ଶୂନ୍ୟ । ମାତ୍ର ସମୁଦ୍ର ମନ୍ଥନରୁ ଜାତ ସମସ୍ତ ଐଶ୍ଚର୍ଯ୍ୟଶାଳୀ ବିଭବ ପରି ସେ ବିଚ୍ଛିନ୍ନ ଆଉ ବିଭାଜିତ ଅଂଚଳରେ ସ୍ଥିତ ସମଗ୍ର ଓଡ଼ିଶାର ଦୁଇ ତୃତୀୟାଂଶ ଭୂମିଭାଗ କେବଳ ସଂଯୁକ୍ତ କରି ନଥିଲେ, ଏହା ସହିତ ଅକଳ୍ପନୀୟ ପ୍ରାକୃତିକ ବିଭବକୁ ସମନ୍ୱିତ କରି ସେ ଓଡ଼ିଶାକୁ କରିଥିଲେ ବିତ୍ତଶାଳୀ ଓ ଗୌରବାନ୍ୱିତ, ସଂସ୍କୃତିରେ ଔଦାର୍ଯ୍ୟ ବିମଣ୍ଡିତ, ଭାଷା ଆଉ ପ୍ରକାଶଭଂଗୀରେ ପ୍ରାଣବନ୍ତ, ଅଜସ୍ର ମହନୀୟତା ଓ ସର୍ବୋପରି ସମ୍ବେଦନଶୀଳତାରେ ଅଫୁରନ୍ତ କରୁଣାର ପଟାନ୍ତରହୀନ ବ୍ୟାପକତା ।
ଆହାଃ ! ଏହି ଭଳି ସର୍ବଗୁଣ ଆଧାରରେ ମହିମାମଣ୍ଡିତ କିଏ ଅବା ଥିଲା ?
ହଁ, ସେ ହିଁ ଥିଲେ ଏ ଜାତିର ବିପତ୍ତି କାଳରେ 'ବିପତ୍ତୌ ମଧୁସୂଦନଃ !!'
"ଗୋଟିକ ତବ ଜୀବନ କୋଟିକ କୁବେର ଧନ

ତୁଳନେ ନୁହଁ ସମାନ ଗୁଣି ଗଣରତନ ।"

-ଦାମୋଦର ପଟ୍ଟନାୟକ

୩୧୪ ଆମ ମଧୁସୂଦନ