ପୃଷ୍ଠା:Aama Madhusudan.pdf/୩୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୁବନାନନ୍ଦ ଦାସ ସଭାରେ ଅଧ୍ୟକ୍ଷତା କରି, ମଧୁସୂଦନଙ୍କୁ ସ୍ୱାଗତ ଜଣାଇ କହିଥିଲେ, 'ଆମର ପରମ ସୌଭାଗ୍ୟ ଯେ ଦେଶ ମିଶ୍ରଣ ଆନ୍ଦୋଳନର ବହୁ ପ୍ରବୀଣ ନେତୃବର୍ଗ ପରଲୋକଗତ ହୋଇଯାଇଥିଲେ ମଧ୍ୟ , ଏହି ଦୁର୍ଦ୍ଦର୍ଷ ସଂଗ୍ରାମର ଆଦ୍ୟ ପୁରୁଷ ମଧୁସୂଦନ ଦାସ ସତତ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇ ନିରନ୍ତର ମାର୍ଗଦର୍ଶନ ପ୍ରଦାନ କରି ଆସୁଛନ୍ତି । ଏହି ସଂଗ୍ରାମ ଏକ ବିଭ୍ରାନ୍ତି ମଧ୍ୟରେ ଗତି କରୁଅଛି । ତାଙ୍କର ଅନୁପ୍ରେରଣା ଆଜିର ଏକାନ୍ତ ଆବଶ୍ୟକତା ।
ମଧୁସୂଦନ ପହଞ୍ଚିଥିଲେ ସଭାମଞ୍ଚରେ ଏକ ଦୁର୍ନିବାର ଉତ୍ତେଜନାର ବଶବର୍ତ୍ତୀ ହୋଇ । ଏଥିପାଇଁ ତାଙ୍କର ପ୍ରାକ୍‍ ପ୍ରସ୍ତୁତିର କୌଣସି ଆବଶ୍ୟକତା ନଥିଲା । ଯାହାଙ୍କର କପୋଳ ଅସଂଖ୍ୟ ଅନୁଭୂତିର ଜ୍ୱାଳାରେ ରେଖାଙ୍କିତ ଥିଲା, ତାଙ୍କପାଇଁ ପ୍ରସ୍ତୁତି ପର୍ବର କ'ଣ ବା ଥିଲା ପ୍ରୟୋଜନ ? ସେ ସ୍ୱୟଂ ଥିଲେ ଦେଶ ମିଶ୍ରଣ ସଂଗ୍ରାମର ମୂର୍ତ୍ତିମନ୍ତ ଅବତାର । ସେ ନିରବଚ୍ଛିନ୍ନ ଭାବରେ ଦେଢ଼ଘଣ୍ଟାରୁ ଊର୍ଦ୍ଧ୍ୱକାଳ ସ୍ୱତଃସ୍ଫୂର୍ତ୍ତ ଭାବେ ଇଂରାଜୀରେ ବର୍ଜ ନିର୍ଘୋଷ କଣ୍ଠରେ ଭାଷଣ ପ୍ରଦାନ କରି ଚାଲିଥିଲେ-
"ମୁଁ ଯେତେବେଳେ ଏହି ସଂଘର୍ଷପୂର୍ଣ୍ଣ ସଂଗ୍ରାମର ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା କରେ କଅଣ ବା ଦେଖିବାକୁ ପାଏ ? ମୁଁ ଯେତେବେଳେ ଏହି ଆନ୍ଦୋଳନ ଆରମ୍ଭ କଲି ଜାତି (ଓଡ଼ିଆ) ବୋଲି କିଛି ନଥିଲା । ମୁଁ ସେତେବେଳେ ସର୍ବତ୍ର ଶୁଷ୍କ କଙ୍କାଳ ଆଉ ଅସ୍ଥିମାନଙ୍କର ସ୍ତୂପୀକୃତ ପାହାଡ଼ମାନଙ୍କୁ ହିଁ ଦେଖୁଥିଲି, କେବଳ ଅସ୍ଥି, ଅସ୍ଥି, ଅସ୍ଥି, ଆଉ ଅନ୍ୟ କିଛି ନୁହେଁ କେବଳ ହିଁ ଅସ୍ଥି । ମତେ ସେହି ନିର୍ଜୀବ ଶୁଷ୍କ ଅସ୍ଥିକଂକାଳ ମଧ୍ୟରେ ଜୀବନର ସଂଚାର କରିବାକୁ ପଡ଼ିଥିଲା । ଆଉ ସେହି ଅସ୍ଥିସାର କଙ୍କାଳ ମଧ୍ୟରେ ମତେ ମାଂସପେଶୀକୁ ସଂଯୁକ୍ତ କରିବାକୁ ପଡ଼ିଲା । ସେହି ଶୀର୍ଣ୍ଣ ହସ୍ତମାନଙ୍କୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ସହିତ ସେମାନଙ୍କୁ ଘେନି ମୋତେ ଦୁର୍ଦ୍ଦର୍ଷ ସଂଗ୍ରାମରେ ଅବତୀର୍ଣ୍ଣ ହେବାକୁ ପଡ଼ିଲା । ଊର୍ଦ୍ଧ୍ୱରୁ ଭଗବାନଙ୍କର ବ୍ୟତୀତ ଏହି ଦୁରୂହ କାର୍ଯ୍ୟରେ ମତେ ଆଉ କେହି ସାହାଯ୍ୟ ପ୍ରଦାନ କରି ନଥିଲେ ।
ଏହାଥିଲା ୧୯୩୩ ସାଲର ଫେବ୍ରୁଆରି ତେର ତାରିଖ । ସେ କହିଚାଲିଥିଲେ-
"ମୁଁ ଅନେକ ଦିନର ଅନ୍ତରାଳରେ ଏଠାରେ ଦଣ୍ଡାୟମାନ ହୋଇଛି, ଯେତେବେଳେ ମୋର ସୁଦୀର୍ଘ ଦିନର ଅଭିଳଷିତ ଆକାଙ୍‍କ୍ଷା ପରିପୂର୍ଣ୍ଣତା ଲାଭ କରିବାକୁ ଯାଉଛି । ମୁଁ ଏହି ଦୁଃସାଧ୍ୟ ସଂଗ୍ରାମର ଅୟମାରଂଭ କରିବାପରେ, ଆମ୍ଭମାନଙ୍କୁ ବହୁ କ୍ଲେଶଯୁକ୍ତ ସମୟ ମଧ୍ୟଦେଇ ଗତି କରିବାକୁ ପଡ଼ିଛି । ମତେ ବହୁ ଦୁର୍ଦ୍ଦାନ୍ତ ପୁରୁଷଙ୍କ ସମ୍ମୁଖୀନ କରିବାକୁ ପଡ଼ିଥିଲା, ଯେଉଁମାନେ ଅର୍ଥ, ସଂପତ୍ତି ଓ ବୁଦ୍ଧିମତ୍ତାରେ ମୋଠାରୁ ଅଧିକ ପ୍ରମତ୍ତ ଆଉ ଶକ୍ତିଶାଳୀ ଥିଲେ । ଊର୍ଦ୍ଧ୍ୱରେ ଭଗବାନ ଆଉ ଅନ୍ତରରେ ପ୍ରାଜ୍ଞଚେତନାକୁ ସ୍ଥାପିତ କରି ମତେ ଏକାକୀ ହିଁ ଏହି ନିଦାରୁଣ ଯୁଦ୍ଧ ଯୁଝିବାକୁ ପଡ଼ିଥିଲା । ଥରେ ସହସା ମନର ଅନ୍ତରାଳରେ ଏକ ଦୁର୍ଦମନୀୟ ଭାବ ଉଦିତ ହେଲା ଯେ, ମୋତେ ବିଧାତା ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‍ (ସ୍ନାତକ)ର ଗୌରବ ପ୍ରଦାନ କରିବାର ପଶ୍ଚାତରେ କିଛି ମହତ ଉଦ୍ଦେଶ୍ୟ ନିହିତ ଅଛି । ତାହାଥିଲା ବିଭାଜିତ ଓଡ଼ିଆ ଜାତିର ମିଶ୍ରଣ । ମୁଁ ଏହି ବିଷୟରେ ଚିନ୍ତାକଲି ଆଉ ଉପଲବ୍ଧି କଲି ଯେ ଏହି ଜାତିର ଇତିହାସର ପଶ୍ଚାତରେ ଏହି ଯେଉଁ

୩୧୬ ଆମ ମଧୁସୂଦନ