ପୃଷ୍ଠା:Aama Madhusudan.pdf/୩୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଇବାକୁ କୃତସଂକଳ୍ପ । ସେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତିର ଆସନ ଅଳଂକୃତ କରିଥିଲେ । ମାତ୍ର ଗଡ଼ଜାତର ସୁପରିଟେଣ୍ଡେଣ୍ଟ, ଏହି ଗଡ଼ଜାତ ରାଜ୍ୟର ଓଡ଼ିଆ ରାଜାମାନଙ୍କୁ, ଉତ୍କଳ ସମ୍ମିଳନୀର ସଭାରେ ଯୋଗଦେବାପାଇଁ ନିଷିଦ୍ଧ କରିଥିଲେ, ଯେଉଁଠାରେ ଉତ୍କଳୀୟମାନେ ଏକତ୍ରିତ ହୋଇ ନିଜକୁ ଏକତାର ସୂତ୍ରରେ ନିବଦ୍ଧ ରହିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ "ମିଷ୍ଟର ଦାସଙ୍କର ସଭାରେ କେହି ଯୋଗଦାନ କରନାହିଁ ।"
ବହୁଦିନର ଗହଳ ସ୍ମୃତି ମଧ୍ୟରୁ ଉଜାଣି ବହି ଆସୁଥାଏ କିଛି ଯୁଗାନ୍ତକାରୀ ଘଟଣାବଳୀ । ଊନବିଂଶ ଶତାବ୍ଦୀର ଶେଷ ପାଦରେ ୧୮୯୯ ସାଲରେ ଯୋଗ ଦେଇଥାନ୍ତି ଭାରତର ବଡ଼ଲାଟ ଭାବରେ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ଅଭିରୁଚି ରଖିଥିବା ଅଭିଜାତ ପୁରୁଷ ଲର୍ଡ କର୍ଜନ । ସେହି ବଡ଼ଲାଟଙ୍କ ପାଖକୁ ମଧୁସୂଦନ ଲେଖିଥିଲେ ଯୁକ୍ତିରେ ଶାଣିତ କରି ଏକ ଦୀର୍ଘ ଦାବିପତ୍ର, ଓଡ଼ିଆ ଜାତିର ଅସ୍ତିତ୍ୱ ତଥା ମୁକ୍ତି ପାଇଁ । ମଧୁସୂଦନଙ୍କର କଣ୍ଠ ଉଦ୍‍ବେଳିତ ହୋଇଯାଇଥିଲା ସେହି ଘଟଣାର ବର୍ଣ୍ଣନାରେ-
"ମୁଁ ଲର୍ଡ କର୍ଜନଙ୍କୁ ପ୍ରେରିତ ଏକ ପତ୍ରରେ ଲେଖିଥିଲି, "ଆପଣ ଏହି ଚିଠି ପଢ଼ିବାର ସମ୍ଭାବନା ନାହିଁ ତେଣୁ ଏହା ହୁଏତ ଆପଣଙ୍କର ଜୋତା ତଳେ ସ୍ଥାନ ପାଇପାରେ । ଯେ ଏହି ପତ୍ର ପାଠକରୁ, ସେ ଅବଗତ ହେବ, ମୋର ଓଡ଼ିଆ ଜାତିପ୍ରତି କର୍ତ୍ତବ୍ୟ ରହିଛି । ଏ ଜାତିର ଅନ୍ତର୍ଦାହ ଓ ମର୍ମବେଦନା, ମୁଁ ଆପଣଙ୍କୁ ଜଣାଇବାକୁ ଇଚ୍ଛାକରୁଛି ।" ମୁଁ ବଡ଼ଲାଟଙ୍କର ପ୍ରାଇଭେଟ ସେକ୍ରେଟେରୀଙ୍କଠାରୁ ଗୋଟିଏ ପ୍ରତ୍ୟୁତ୍ତର ପାଇଲି । ସେ ମୋର ପ୍ରେରିତ ଚିଠି ବିଷୟରେ ଲେଖିଥିଲେ ଯେ, "ଆପଣ ଜଣେ ଦକ୍ଷ ଆଉ ସଂସ୍କୃତିସମ୍ପନ୍ନ ପୁରୁଷ, ଏଣୁ ଆପଣ ଆସନ୍ତୁ । ବଡ଼ଲାଟ ଏହି ବିଷୟରେ ଆପଣଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି ।" ବଡ଼ଲାଟ ଜଣେ ପୁରଦୃଷ୍ଟିସମ୍ପନ୍ନ ଦୃଢ଼ ବ୍ୟକ୍ତି ଥିଲେ, ମାତ୍ର ତାଙ୍କଠାରେ କିଛି ଯଥେଚ୍ଛାଚାର ଗୁଣ ରହିଥିଲେ ମଧ୍ୟ, ତାଙ୍କର ଏକ ସମ୍ବେଦନଶୀଳ ହୃଦୟ ଥିଲା ।"
"ହୁଏତ ସେ ପ୍ରଥମ ଦେଖାରେ ଭାବିଥିବେ, ମୁଁ ଜଣେ ବୋକା ବ୍ୟକ୍ତି ବୋଲି । ମାତ୍ର ସେ ମୋ'ଠାରେ ଜଣେ ଗଭୀର ଦେଶବତ୍ସଳ ବ୍ୟକ୍ତିତ୍ୱ ଓ ସ୍ୱଜାତି ପ୍ରାଣ ହୃଦୟ ପାଇଥିଲେ । ମୁଁ ଓଡ଼ିଆ ଜାତିର ମର୍ମନ୍ତୁଦ ସ୍ଥିତି ବିଷୟରେ ଯେତେବେଳେ ଉପସ୍ଥାପନା କଲି, ସେତେବେଳେ ମୋର ନୟନଯୁଗଳ ଲୋତକାପ୍ଲୁତ ହୋଇ ଧାରଧାର ଅଶ୍ରୁ ବହି ଯାଇଥିଲା । ଆଉ କଣ୍ଠ ମଧ୍ୟ ଅତୀବ ବିହ୍ୱଳିତ ହୋଇଥିଲା । ମୁଁ କହିଲି, ମୁଁ ସେତେବେଳେ ବଂଗଳାର ଏକମାତ୍ର ଓଡ଼ିଆ ଛାତ୍ର ଥିଲି, ଆଉ ସମସ୍ତ ଲାଞ୍ଛନା, ତାତ୍ସଲ୍ୟ ଆଉ ଉପହାସ ମୋ' ଉପରେ ଆରୋପିତ ହୋଇଥିଲା । ପ୍ରତି ମୁହୂର୍ତ୍ତରେ ମୋତେ 'ମଧୁ ଉଦେ' ବୋଲି ଉପହାସିତ କରି ସେମାନେ ମତେ ଲାଞ୍ଛନାର ତୀବ୍ର ଜ୍ୱାଳାରେ ସର୍ବଦା ମର୍ମାହତ କରି ଚାଲିଥିଲେ । ବଡ଼ଲାଟ ମହୋଦୟ ମିଲିଟାରୀ ସେକ୍ରେଟାରୀଙ୍କୁ ଆହ୍ୱାନ କଲେ ଆଉ ପଚାରିଲେ ଓଡ଼ିଶାରେ ସର୍ବୋଚ୍ଚ ପ୍ରାଶାସନିକ ଅଧିକାରୀ କିଏ ଅଛନ୍ତି ? ଏହାର ଉତ୍ତର ପାଇଲା ପରେ ଲଡର଼୍ କର୍ଜନ କହିଲେ 'ଓଡ଼ିଶାର କମିଶନରଙ୍କୁ ବାର୍ତ୍ତାପ୍ରେରଣ

୩୧୮ ଆମ ମଧୁସୂଦନ