ପୃଷ୍ଠା:Aama Madhusudan.pdf/୩୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ଇଂରେଜୀମାନେ ବ୍ୟବସାୟୀ ଆଉ ବାଣିଜ୍ୟରେ ଆଗ୍ରହ ପ୍ରକାଶ କରୁଥିବା ଗୋଟିଏ ଜାତି । ସେମାନଙ୍କର ମୂଳଲକ୍ଷ୍ୟ ଥିଲା ଅର୍ଥର ଆହରଣ । ତାହାଙ୍କର ଅଧୀନରେ କାର୍ଯ୍ୟରତ ଇଂରେଜୀ ଅଧିକାରୀଗଣଙ୍କର ଭାରତୀୟ ଭାଷା ସଂପର୍କରେ ବିଶେଷ ଜ୍ଞାନ ନଥିଲା । ବଂଗାଳୀମାନେ ମୁସଲମାନ ରାଜତ୍ୱରେ ସରକାରୀ ପରିଚାଳନାର ବିଧିବ୍ୟବସ୍ଥା ଆଉ ପ୍ରାଶାସନିକ କୌଶଳ ପ୍ରୟୋଗର ଚକ୍ରାନ୍ତ ବିଷୟରେ ଅବଗତ ଥିଲେ । ଏହି ସମୟରେ ବ୍ରିଟିଶମାନେ ଏକ ବିପଦଶଙ୍କୁଳ ବ୍ୟବସ୍ଥାର ପ୍ରଚଳନ କଲେ । ସେମାନେ ବଂଗାଳୀମାନଙ୍କୁ ମଧ୍ୟବର୍ତ୍ତୀ ଶାସକ ଗୋଷ୍ଠୀରୂପେ ନିଯୁକ୍ତ କଲେ । ଓଡ଼ିଆମାନଙ୍କର ଅନ୍ତର୍ନିହିତ ସ୍ୱାର୍ଥର ବିରୋଧୀ ଥିଲେ ବଂଗାଳୀମାନେ । ବର୍ତ୍ତମାନ କେତେ ବର୍ଷ ତଳେ ବ୍ରିଟିଶମାନେ ପ୍ରକୃତ ସ୍ଥିତି ସଂପର୍କରେ ଅବଗତ ହେଲେ । ସେମାନେ ଉପଲବ୍‍ଧି କଲେ ଯେ ଏହି ସମସ୍ତ ବ୍ୟବସ୍ଥା ବିଧିବଦ୍ଧ ଡକାୟତି ଛଡ଼ା ଅନ୍ୟ କିଛି ନୁହେଁ । ସେମାନେ ଏକ ଦିଗରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ଅନ୍ୟ ଦିଗରେ ବଂଗାଳୀମାନେ ଇଂରେଜୀମାନଙ୍କ ମାଧ୍ୟମରେ ଆମ୍ଭମାନଙ୍କୁ ଅବନତ କରି ରଖିଥିଲେ । ମୁଁ ଏହି ବ୍ୟବସ୍ଥାର ପରିବର୍ତ୍ତନ ଆଣିବାକୁ ଚେଷ୍ଟାକଲି । ମାତ୍ର ପ୍ରତ୍ୟେକ ପ୍ରାଶାସନିକ ପରିବର୍ତ୍ତନ ଆମ୍ଭମାନଙ୍କୁ ଅସୁବିଧା ଆଡ଼କୁ ଟାଣି ନେଉଥିଲା । ତାହାର ପ୍ରତିବିଧାନ କରିବାପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ସଂଚାଳିତ କରିଥିଲି ।"
"ନ୍ୟାୟ କଅଣ ଦରକାର କରେ ? କର୍ଜନଙ୍କର ନିକଟରେ ଯଥାଯଥ ଆଉ ଧାର୍ଯ୍ୟ ଦାବି ଉପସ୍ଥାପନା କରାଯାଇଥିଲା । ସେହି ସମୟରେ ରେଳପଥ ନଥିଲା । ବର୍ତ୍ତମାନ ବହୁ ଅଂଚଳ ରେଳପଥଦ୍ୱାରା ସଂଯୁକ୍ତ । କିଛି ସମସ୍ୟାର ଦୂରୀକରଣ ସଂପର୍କରେ ଏହା ସଂକ୍ଷିପ୍ତ ବିବରଣୀ । ମୁଁ ଦେଶଲାଗି ମୋର ନ୍ୟାୟୋଚିତ ଦାବିଗୁଡ଼ିକ ଉପସ୍ଥାପନ କରିଥିଲି । ମୋର ଉଦ୍ୟମ ଗୁଡ଼ିକ ଲଡର଼୍ କର୍ଜନଙ୍କର ଦ୍ୱାରା ଫଳବତୀ ହୋଇଥିଲା । ବ୍ରିଟିଶ ଜାତିର ଚେତନାକୁ ଜାଗରିତ କର ଆଉ ଉଦ୍‍ବୁଦ୍ଧ କର । ସେମାନଙ୍କର ଦ୍ୱାରଦେଶରେ ଠୁକ୍‍ଠୁକ୍‍ କରି ଶବ୍ଦକର, କିନ୍ତୁ ଗୋଇଠା ମାରି ଆଘାତ କରନାହିଁ । ସେମାନଙ୍କର ଦ୍ୱାର ନିଶ୍ଚୟ ଖୋଲିବ ।"
ତାହା ଥିଲା ଫେବ୍ରୁଆରି ମାସର ପ୍ରଥମାର୍ଦ୍ଧ । ପ୍ରବଳ ଶୀତର ପ୍ରଚଣ୍ଡ ଆକ୍ରମଣରେ ଶରୀର ପ୍ରକମ୍ପିତ ହୋଇ ଉଠିଥିଲା । ଆଉ କୋହଲା ଉତ୍ତରା ପବନ ବହି ଚାଲିଥିଲା ଅବିରାମ ଗତିରେ ଆନମନା ହୋଇ ତାହା ପ୍ରବେଶ କରିଥିଲା ଅବାରିତ ଗତିରେ ସଭାକକ୍ଷର ସୁଦୃଶ୍ୟ ଅଳିନ୍ଦମାନଙ୍କରେ, ଉତ୍ତଳା ଶୀତର ଶିହରଣରେ ସଭିଙ୍କୁ ଜଡ଼ୀଭୂତ କରି । ମାତ୍ର ମଧୁସୂଦନଙ୍କର ଜ୍ୱାଳାମୟୀ ବକ୍ତବ୍ୟ ଛୁଟିଚାଲିଥିଲା ଅପ୍ରତିହତ ଭାବରେ ।
"ମୁଁ ଏହି ମହାନ ଜାତୀୟ ସମାବେଶରେ ଅଦ୍‍ଭୁତ ବେଶଭୂଷା ପିନ୍ଧି ଦଣ୍ଡାୟମାନ ରହିଛି । ମୁଁ ସମସ୍ତଙ୍କ ମଧ୍ୟରେ ଅତୀବ ବୃଦ୍ଧ । ଶୀତର ପ୍ରକୋପରୁ ରକ୍ଷାପାଇବା ପାଇଁ ମୋତେ ନିଜକୁ ଉଷ୍ମ ରଖିବାକୁ ପଡ଼ୁଛି । ମତେ ଦିନକୁ ତିନିଥର ଇଲେକ୍‍ଟ୍ରିକ୍‍ ଉତ୍ତାପ ନେବାକୁ ପଡ଼ୁଛି । ଅନ୍ୟଥା ଦଣ୍ଡାୟମାନ ହୋଇ ରହିବା ମୋ ପକ୍ଷରେ ସମ୍ଭବପର ହୋଇନଥାନ୍ତା ।"

୩୨୦ ଆମ ମଧୁସୂଦନ