୧୯୨୧ ସାଲ ନଭେମ୍ବର ୨୩ ତାରିଖରେ ବିହାର ଓ ଓଡ଼ିଶା ବ୍ୟବସ୍ଥାପକ କାଉନ୍ସିଲ ମଞ୍ଚରେ ମଧୁସୂଦନ ଏକ ଜ୍ୱାଳାମୟୀ ଭାଷଣ ଦେଇ କହିଥିଲେ-
"ନାରୀତ୍ୱ କୌଣସି ଅକ୍ଷମତା ନୁହେଁ । ଏହା ଏକ ଗୌରବଶାଳୀ ମହିମାଦୀପ୍ତ ସମ୍ମାନର ଅଧିକାରୀ ।" ଏହି ଦୃଷ୍ଟିରୁ ନାରୀ ଜାତିକୁ ଯେଉଁଠାରେ ଅକ୍ଷମତାର ପରିଧି ମଧ୍ୟକୁ ଠେଲିଦେବାପାଇଁ ପ୍ରୟାସ ହୋଇଛି, ସେଠାରେ ମଧୁସୂଦନଙ୍କର ବଦ୍ଧମୁଷ୍ଠି ଉତ୍ତୋଳିତ ହୋଇଛି ସେହି ଅକ୍ଷମତାର କାରାଗାର ମଧ୍ୟରୁ ନାରୀଜାତିକୁ ଉଦ୍ଧାର କରିବାପାଇଁ ।
ଥରେ ପୂର୍ବାହ୍ନରେ ହାଇଦ୍ରାବାଦରେ ପହଞ୍ଚିବାର କିଛିଦିନ ପରେ ଟାଉନବସ୍ରେ ମୁଁ ଯାଉଥାଏ । ଟିକେ ଅନ୍ୟମନସ୍କ ହୋଇପଡ଼ିଥାଏ । ଏହି ସମୟରେ ହଠାତ୍ ଆବିଷ୍କାର କଲି, ବୁର୍ଖା ପରିହିତା କେତେଜଣ ମହିଳା ମୋର ଆଗ ସିଟ୍ରେ ବସିଛନ୍ତି । ସେଦିନ ବସ୍ଟିରେ ପ୍ରବଳ ଭିଡ଼ । କିଛି ସମୟ ପରେ ବସ୍ଷ୍ଟପ୍ରେ ଗାଡ଼ିଟି ଲାଗିଲା । ବସ୍ର ଆଗ ଦରଜା ଦେଇ ସେମାନେ ଓହ୍ଲାଇଗଲେ । ପାର୍ଶ୍ୱରେ ନ୍ୟାୟାଳୟର ସୁବିଶାଳ ସୌଧ । ସେହି ସୌଧର ପରିସରକୁ ପ୍ରବେଶ କଲେ ସେମାନେ । ହଠାତ୍ ଫେରି ବସ୍ ଆଡ଼କୁ ଚାହିଁଲେ । ନାଁ, ଏମାନେ ତ ବୁର୍ଖା ପରିହିତା ମହିଳା ନୁହନ୍ତି, ଅନ୍ୟ କିଏ ? ଏମାନେ ନାରୀ ଜାତିର ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଉଭାହୋଇଥିବା ମହିଳା ଆଇନଜୀବୀଗଣ । ଗୃହର ଅଙ୍ଗନରେ ଆବଦ୍ଧ ବୁର୍ଖା ପରିହିତା ନାରୀଗଣଙ୍କର ଦେହରେ ଆଜି ଆଇନର ସୁରକ୍ଷା ପ୍ରଦାନପାଇଁ ଅବତୀର୍ଣ୍ଣ ହୋଇଥିବା ଆଇନଜୀବୀର ପରିଚ୍ଛଦ- କଳା ଗାଉନ । ମୁଁ ହତଚକିତ ହୋଇଗଲି, ପୁଣି ନିରେଖି ଚାହିଁଲି । ସେହି କଳା ଗାଉନ୍ର ପୃଷ୍ଠ ଉପରେ ଯେପରି ଝଲସି ଉଠୁଛି, କେଉଁ ପ୍ରଚଣ୍ଡ ପ୍ରତିଭାଶାଳୀ ମହାନାୟକଙ୍କର ଛବି- ଜାତୀୟଗୌରବ ମଧୁସୂଦନଙ୍କର । କେବଳ ହାଇଦ୍ରାବାଦ ନୁହେଁ, ଆଜି କାଶ୍ମିରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର ପ୍ରତି କୋଣ-ଅନୁକୋଣରେ ଭାରତୀୟ ନାରୀମାନେ ଭାରତରେ ଆଇନ ଡିଗ୍ରୀ ହାସଲ କରିଥିବା ମହିଳାମାନଙ୍କପାଇଁ ଆଇନଜୀବୀ ବୃତ୍ତିଗ୍ରହଣ ନିଷିଦ୍ଧ ଥିଲା । ଏହା ବିରୋଧରେ
ପୃଷ୍ଠା:Aama Madhusudan.pdf/୩୨
ଏହି ପୃଷ୍ଠାଟି ବୈଧ ହୋଇସାରିଛି