ପୃଷ୍ଠା:Aama Madhusudan.pdf/୩୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧୁସୂଦନଙ୍କର ଲଣ୍ଡନରେ ଅବସ୍ଥାନ କାଳରେ, ଲଣ୍ଡନର ବିଭିନ୍ନ ମଞ୍ଚରେ ଜ୍ୱାଳାମୟୀ ଭାଷଣ, ଯାହା ସେଠାରେ ସମଗ୍ର ସମ୍ବାଦପତ୍ରରେ ପ୍ରକାଶିତ ହୋଇ ଯେଉଁ ଉଦ୍‍ବେଳନ ସୃଷ୍ଟି କରିଥିଲା, ତାହା ଏପର୍ଯ୍ୟନ୍ତ ଓଡ଼ିଆମାନଙ୍କ ପାଇଁ ଦୁଷ୍ପ୍ରାପ୍ୟ ହୋଇ ରହିଛି । ସେହି ଘଟଣାପ୍ରବାହର କିଛି ସ୍ନାୟୁ ଉତ୍ତେଜନାକାରୀ ବିବରଣୀ ମଧୁସୂଦନ ପ୍ରଦାନ କରିଥିଲେ ତାଙ୍କର ଅଗ୍ନିଗର୍ଭ କଣ୍ଠରେ ।
"ମୁଁ ଆଜି କିଛି ବକ୍ତୃତା ଶୁଣିଛି । ଭାରତର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବଳଶାଳୀ ଭୂମିକା ଗ୍ରହଣ କରୁ । ବର୍ତ୍ତମାନ ଆପଣଙ୍କର କାର୍ଯ୍ୟ ଅପେକ୍ଷାକୃତ ସହଜସାଧ୍ୟ ହୋଇଯାଉଛି । ମୁଁ ବ୍ରିଟିଶ ପାର୍ଲାମେଣ୍ଟର ଏକ କକ୍ଷରେ, ହାଉସ୍‍ ଅଫ୍‍ କମନ୍‍ର ୭୦ ଜଣ ସଦସ୍ୟଙ୍କ ସହିତ ଓଡ଼ିଶା ତଥା ଭାରତର ସଚିବ ଲଡର଼୍ ମଲ୍ୱେଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ତାଙ୍କର ପ୍ରାଇଭେଟ ସେକ୍ରେଟେରୀଙ୍କୁ ଭେଟିଲି । ଲର୍ଡ ମଲ୍ୱେ ସର୍ତ୍ତ ରଖିଥିଲେ ଯେ ମଧୁସୂଦନ ଦାସଙ୍କୁ ଓଡ଼ିଆ ଜାତିର ପ୍ରତିନିଧି ଭାବରେ ଭେଟିବାକୁ ଚାହେଁ ନାହିଁ । ମାତ୍ର ମଧୁସୂଦନ ଦାସ ଭାବେ । ସେ ମୋର ସାକ୍ଷାତ କରି ପାରନ୍ତି । ହଁ, ତାହା ହେଲା ,ମୁଁ ଲର୍ଡ ମଲ୍ୱେଙ୍କୁ ପ୍ରଥମ ସାକ୍ଷାତକାରରେ ଭେଟିଲା ପରେ ତାଙ୍କୁ କହିଲି, ଆପଣମାନେ ଯଥେଚ୍ଛାଚାର ରୀତିରେ ଶାସନ କରି ଇଂରେଜୀ ଜାତିର ପ୍ରତିଷ୍ଠିତ ମହାନ ପରମ୍ପରା ଓ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛନ୍ତି । ବିଲାତର ଏହି ଅଧିକାରୀଗଣ ସମ୍ବେଦନଶୀଳ ପ୍ରଶାସନରୀତିରେ ପ୍ରଶିକ୍ଷିତ ହୋଇଥିଲେ ମଧ୍ୟ, ବହୁକ୍ଷେତ୍ରରେ ସ୍ୱେଚ୍ଛାଚାରୀ ଶାସକ ରୂପେ ଭାରତରେ ଅବତୀର୍ଣ୍ଣ ହୋଇ ପ୍ରଶାସନ ଚଳାଉଛନ୍ତି । ରାଣୀ ଭିକ୍ଟୋରିଆଙ୍କୁ ଋଷିଆର ଜାର୍‍ଙ୍କ ସ୍ଥାନରେ ଅବସ୍ଥାପିତ କରନ୍ତୁ । ସେ ନିରର୍ଥକ ଆଉ ଅସଫଳ ହୋଇଯିବେ । ଆଉ ଋଷିଆର ଜାରଙ୍କୁ ଯଦି ବ୍ରିଟିଶ ସିଂହାସନରେ ଅବସ୍ଥାପିତ କରାଯାଏ, ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କର ଶିରଚ୍ଛେଦ ସଂଘଟିତ ହେବ ।"
ଏହାଥିଲା ୧୯୦୭ ସାଲର ମଧୁସୂଦନଙ୍କର ଦ୍ୱିତୀୟବାର ଲଣ୍ଡନ ଯାତ୍ରାର ବିବରଣୀ, ଯାହା ଲଣ୍ଡନରେ ଏକ ଚାଞ୍ଚଲ୍ୟକର ସ୍ଥିତିର ସୂତ୍ରପାତ କରିଥିଲା । ଏହାର ଅବ୍ୟବହିତ ପରେ ଓଡ଼ିଶାରେ ସର୍ବଗ୍ରାସୀ ବନ୍ୟା ସହିତ କରାଳ ଦୁର୍ଭିିକ୍ଷର ଅବସ୍ଥା ସୃଷ୍ଟି ପରେ ବ୍ରିଟିଶ ସାମ୍ବାଦିକ ନାଭିନ୍‍ସନ୍‍ଙ୍କ ସହ ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ । ଦୁର୍ଭିକ୍ଷଗ୍ରସ୍ତ ଅଂଚଳରେ ମଧୁସୂଦନଙ୍କର ସେବା ପ୍ରଦାନର କାଳଜୟୀ ବିବରଣୀ ନାଭିନ୍‍ସନ୍‍ଙ୍କର New Spirit in India ରେ ସଂକଳିତ ହୋଇଛି । ମଧୁସୂଦନ କହିଚାଲିଲେ "ଗୋଟିଏ ଦାରୁଣ ସଂଶୟର ମୁହୂର୍ତ୍ତ ବର୍ତ୍ତମାନ ଓଡ଼ିଆ ଜାତିର ସମ୍ମୁଖରେ ଉପନୀତ । ମୋର ଶତ୍ରୁପକ୍ଷ ବିଚାରାଳୟରେ ଆସି ଉପସ୍ଥିତ ହୋଇଛନ୍ତି । ଏହା ମୋର ମାନସିକତାକୁ ପ୍ରଚଣ୍ଡ ଆଘାତ ପ୍ରଦାନ କରିଛି । ମାତ୍ର ମୋର ଦୃଢ଼ ବିଶ୍ୱାସ ସେହି ଜଗତାଧିପତିଙ୍କ ଉପରେ ସମର୍ପିତ ଭାବରେ ଆବିଷ୍ଟ ଆଉ ନିବଦ୍ଧ ରହିଛି । କୌଣସି ଜାତିର ଅମଙ୍ଗଳ ଚିନ୍ତା କରନାହିଁ । ଭଗବାନ ତୁମକୁ ଆଶୀର୍ବାଦ ପ୍ରଦାନ କରିବେ । ତୁମେ ଯଦି ନେତୃତ୍ୱ ନେବାପାଇଁ ଆଗ୍ରହାନ୍ୱିତ ହୁଅ, ଅଗ୍ରଭାଗରେ ନିଜକୁ ସଂଚାଳିତ କରନାହିଁ । ଯେତେବେଳେ ଦୁର୍ଦ୍ଧର୍ଷ ଯୁଦ୍ଧ ସଂଯୋଜିତ ହୁଏ, କମାଣମାନେ ତୀବ୍ର ଶବ୍ଦରେ ଗର୍ଜନ କରି ଆକ୍ରମଣ ଜାରି ରଖନ୍ତି, ସେତେବେଳେ ସେନାପତି ବହୁଦୂରରେ ଅବସ୍ଥିତ ରହନ୍ତି । ଗୋଟିଏ ବୃକ୍ଷକୁ ନିରୀକ୍ଷଣ କର, ତାହାର ବିସ୍ତାରିତ

ଆମ ମଧୁସୂଦନ ୩୨୧