Jump to content

ପୃଷ୍ଠା:Aama Madhusudan.pdf/୩୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚେରଗୁଡ଼ିକ ମୃତ୍ତିକାର ଅନ୍ତରଳରେ ଲୁକ୍କାୟିତ ହୋଇ ସୁରକ୍ଷିତ ଭାବରେ ଅବସ୍ଥିତ ରହନ୍ତି । ସେହିପରି ମଣିଷର ହୃଦୟ ତାହା ଯେମିତି ନମନୀୟ ଆଉ ସୁକୁମାର ସେହିପରି ତାତ୍ପର୍ଯ୍ୟପୂର୍ଣ୍ଣ, ତେଣୁ ଅନ୍ତରର ଗହ୍ୱର ମଧ୍ୟରେ ଲୁକ୍କାୟିତ ରହିଥାଏ, ଅନ୍ୟଥା ନାସିକାର ଅଗ୍ରଭାଗରେ ସ୍ଥାପିତ ହୋଇଥାନ୍ତା । ଗୋଟିଏ ଘଡ଼ିକୁ ନିରୀକ୍ଷଣ କର, ତାହାର ଡାଏଲ୍‍ଟି ସମ୍ମୁଖରେ ରହିଥାଏ ମାତ୍ର ଗୁରୁତ୍ୱପୂର୍ଣ୍ଣ ଲିଭର ଯନ୍ତ୍ରଟି ପଶ୍ଚାତରେ ରହିଥାଏ ।"
ଏହାଥିଲା ଜୀବନବ୍ୟାପୀ ସଂଗ୍ରାମ କ୍ଷେତ୍ରରେ, ମଧୁସୂଦନଙ୍କ ନେତୃତ୍ୱର ସଂପାଦନରେ ତାତ୍ପର୍ଯ୍ୟପୂର୍ଣ୍ଣ ମାର୍ଗପ୍ରଦର୍ଶନର ଭୂମିକା, ଯାହାକୁ ସେ ନିର୍ବାହ କରିଥିଲେ ତେଜୋଦୀପ୍ତ ଗରିମାମୟ ରୀତିରେ । ଏଥର ସେ ଉପସ୍ଥାପିତ କରୁଛନ୍ତି ସେ କାଳର ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହେବାପାଇଁ ନିର୍ଦ୍ଦେଶନାମା, ଯହିଁରେ ଓଡ଼ିଶା ଜାତୀୟତାର ପରିପ୍ରକାଶ ଥିଲା ଦେଦୀପ୍ୟମାନ । ଜନସଂଖ୍ୟାର ସମସ୍ୟା ବର୍ତ୍ତମାନ ଉଠୁଛି । କିନ୍ତୁ ପ୍ରକୃତ କଥା ହେଉଛି ଅନ୍ୟ ଜାତିକୁ ଶାସନ କରିବାପାଇଁ କେଉଁ ଜାତିର ଅଧିକ ଜୀବନୀଶକ୍ତି ଅଛି ?
ପଡେ଼ାଶୀ ଜାତିମାନେ ଆମ୍ଭମାନଙ୍କୁ ନିଶ୍ଚେଷ୍ଟ କରିବାପାଇଁ ଚେଷ୍ଟା କରିଥିଲେ । ଆମର ଆତ୍ମା ଓ ଚେତନାକୁ ଲୋପ କରିଦେବାପାଇଁ ଚକ୍ରାନ୍ତ କରିଥିଲେ । କିନ୍ତୁ ସେମାନେ ଏ କ୍ଷେତ୍ରରେ ଜୟଯୁକ୍ତ ହୋଇଛନ୍ତି କି ? ତୁମ୍ଭେମାନେ କେବେ ମଧ୍ୟ ପରାଜିତ ହେବ ନାହିଁ, ନିର୍ମୂଳ ହେବନାହିଁ । ଓଡ଼ିଆ ଜାତିର ଅନ୍ତର୍ନିହିତ ସତ୍ତା ଓ ସାମର୍ଥ୍ୟ କେବେ ମଧ୍ୟ ନିର୍ବାପିତ ହେବନାହିଁ । ଗୋଟିଏ ଜାତିର ଅନ୍ୟ ଜାତିକୁ ପ୍ରଭାବିତ କରିବାପାଇଁ ଯେଉଁ କ୍ଷମତା ଓ ଶକ୍ତି ରହିଥାଏ, ତାହା ହିଁ ଅନ୍ୟ ଜାତି ଉପରେ ଶାସନ କରିବା କ୍ଷମତା ପ୍ରମାଣିତ କରେ । ବଂଗାଳୀଙ୍କ ସଂପର୍କରେ ଆଲୋଚନା କର । ସେମାନେ ଆମ୍ଭମାନଙ୍କୁ ଅବନତ କରି ରଖିବାପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ । ସେମାନେ କ'ଣ ସଫଳ ହୋଇଛନ୍ତି ? ଓଡ଼ିଆ ପରିବାରରେ ବର୍ଦ୍ଧିତ ଜଣେ ବଂଗାଳୀ ମହିଳା ଭାରତର ପ୍ରଥମ ମହିଳା ଓକିଲ ରୂପେ ପ୍ରତିଷ୍ଠିତ ହୋଇ ପାରିଛି । ଓଡ଼ିଆମାନଙ୍କର ପ୍ରବର୍ତ୍ତିିତ ଧର୍ମ ସମଗ୍ର ଭାରତରେ ଗୃହୀତ ହୋଇଛି । କେଉଁ ଜାତି ଶ୍ରୀଜଗନ୍ନାଥଙ୍କର ମହାନୁଭବତା ପ୍ରତି ଆକର୍ଷିତ ହୋଇନାହିଁ । ଓଡ଼ିଆ ଭାଷାର ଅତୀବ ଉର୍ଜ୍ଜସ୍ୱଳ ଶକ୍ତିକୁ ଅନୁଧ୍ୟାନ କର । ବଂଗାଳୀମାନଙ୍କ ଦ୍ୱାରା ସର୍ବତ୍ର ଆରାଧିତ 'ଚୈତନ୍ୟ ଜଣେ ଉତ୍କଳୀୟ' ।
ମଧୁସୂଦନଙ୍କର ଦୃଷ୍ଟିରେ 'ଓଡ଼ିଶା' ୟୁରୋପର ଏକ ନେସନ ଭଳି ପରିବ୍ୟାପ୍ତ । ମଧୁସୂଦନଙ୍କ ବକ୍ତବ୍ୟର ଅନ୍ତରାଳରେ ଜାତି ଜାତି ଆଉ ଦେଶ ଦେଶ ମଧ୍ୟରେ ସମସ୍ତ ସଂକୀର୍ଣ୍ଣତା ଅବଲୁପ୍ତ ଆଉ ବିଶ୍ୱମାନବିକତା ସମସ୍ତ କ୍ଷେତ୍ରରେ ହିଁ ପ୍ରକଟିତ । ସେ ପୁଣି କହୁଛନ୍ତି-
"ଆପଣମାନେ ଅଧିକ ଅନୁଧ୍ୟାନ କରୁଛନ୍ତି । ଏହି ଉତ୍ତୀର୍ଣ୍ଣ ବୟସରେ, ମୁଁ ମୋ ଜୀବନରେ ସଂଘଟିତ ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟାବଳୀର ସଂକ୍ଷିପ୍ତ ରୂପରେଖ ପ୍ରଦାନ କଲି । କେବେ ମଧ୍ୟ ନିଜସ୍ୱ ଅହଂ ବା ବ୍ୟକ୍ତିଗତ ସତ୍ତାକୁ ଉଜ୍ଜୀବିତ କରନାହିଁ । ଆକାଶରୁ ପତିତ ବର୍ଷାବିନ୍ଦୁ ଝରଣାରେ ପ୍ରବାହିତ ଜଳଧାରା ସହିତ ମିଳିତ ହୁଏ । ତାହା ଅନ୍ୟ ଝରଣାର ଜଳସହିତ

୩୨୨ ଆମ ମଧୁସୂଦନ