ପ୍ରବାହିତ ହୋଇ ସ୍ରୋତସ୍ୱତୀରେ ପରିଣତ ହୁଏ । ଏବଂ ସ୍ୱଳ୍ପ ଦୂରତାରେ ଢାଲୁ ପଥରେ
ପ୍ରବାହିତ ହୋଇ ସାଗର ସହିତ ମିଳିତ ହୁଏ । ଏହି ସ୍ରୋତସ୍ୱତୀ ତାହାର ଯାତ୍ରାପଥରେ
ଥିବା ଭୂମି, ଜୀବଜନ୍ତୁ ଆଉ ମଣିଷ ସମାଜକୁ ଜଳଧାରା ବିତରଣ କରି ହିଁ ପ୍ରବାହିତ
ହୋଇଥାଏ । ଏକ ମହାନଜାତି ଅନ୍ୟ ଜାତିମାନଙ୍କ ପ୍ରତି ଉପକାର ହିଁ ପ୍ରଦାନ କରି
ଚାଲିଥାଏ । ମହାସାଗର ନିରନ୍ତର ଆହ୍ୱନ କରେ ଯେ, ସଭିଏଁ ନିଜସ୍ୱ ରଂଗକୁ ବିସର୍ଜନ
କରିଦିଅନ୍ତୁ ଆଉ ଏକୀଭୂତ ହୋଇଯାଆନ୍ତୁ ।"
ଓଡ଼ିଶାରୁ ସର୍ବପ୍ରଥମେ ମଧୁସୂଦନ ହିଁ ପ୍ରାୟ ସମସ୍ତ ୟୁରୋପ ଆଉ ଏସିଆର ବହୁ ଭାଗ ପରିଭ୍ରମଣ କରି ସଂପ୍ରସାରିତ ବିଶ୍ୱ ଚେତନାରେ ଅଭିମନ୍ତ୍ରିତ ହୋଇଥିଲେ । ତାଙ୍କର ରଚନାର ପରିଧି ମଧ୍ୟରେ ବିଶ୍ୱମାନବିକତାର ଦୃଷ୍ଟି ସାଗର ପରି ଉତ୍ତାଳ, ଯହିଁରେ ବିଭିନ୍ନ ମାନବଗୋଷ୍ଠୀ, ସେମାନଙ୍କର ବର୍ଣ୍ଣ ଆଉ ଧର୍ମ ବିସୋରି ମହାମାନବୀୟ ମହାସାଗରରେ ବିଲୀନ ହୋଇଯାନ୍ତି । ଏହି ଦୃଷ୍ଟିରୁ ମଧୁସୂଦନ ପ୍ରଥମେ ବିଶ୍ୱମାନବ, ତାହାପରେ ଭାରତୀୟ ଅସଉ ସର୍ବଶେଷରେ
ଉତ୍କଳୀୟ । ମାତ୍ର ପ୍ରତିଟି କ୍ଷେତ୍ରରେ ସେମାନଙ୍କର ସ୍ୱତନ୍ତ୍ର ସତ୍ତା ହିଁ ଅକ୍ଷୁଣ୍ଣ ରହିଥାଏ, ଆଉ
ପ୍ରୟୋଜନ ବିଧିରେ ମଧ୍ୟ ଅବଲୁପ୍ତ ହୋଇଯାଏ । ଏହାହିଁ ମହାମାନବର ମହାସାଗର ଯାତ୍ରା ।-
ବ୍ୟାଖ୍ୟାନ କରି ଚାଲିଛନ୍ତି ମଧୁସୂଦନ ନିଜସ୍ୱ ଭଂଗୀରେ । ବିଶ୍ୱ ମାନବିକତାଠାରୁ ମଧୁସୂଦନଙ୍କର
ପୁଣି ଉତ୍ତରଣ ଘଟିଛି ଆଧ୍ୟାତ୍ମିକତାର ଜଗତକୁ । ସେ ସମସ୍ତ ସଂକୀର୍ଣ୍ଣତା ଭୁଲି ଜଗତ ଆଉ
ମାନବ ସମାଜକୁ ବିତରଣ କରି ଚାଲିଛନ୍ତି- ସାମ୍ୟ, ମୈତ୍ରୀ ଆଉ ଅଫୁରନ୍ତ କରୁଣା । ତାହାହେଲେ
ଯାଇ ଈଶ୍ୱରଙ୍କର ସାମ୍ରାଜ୍ୟ ମଣିଷପାଇଁ ଚିରକାଳ ଲାଗି ଉନ୍ମୁକ୍ତ ରହିବ । ଏହାହିଁ ତାଙ୍କ କାଳଜୟୀ
ବକ୍ତବ୍ୟର ସର୍ବୋତ୍ତମ ପରିପ୍ରକାଶ ।
ଏହା ପରେ ସେ ତାଙ୍କର ସୁଦୀର୍ଘ ଦେଢ଼ଘଣ୍ଟା କାଳ ଅବିରାମ ଗତିରେ ପ୍ରଦତ୍ତ ବକ୍ତବ୍ୟର ଚରମ ପର୍ଯ୍ୟାୟରେ ପହଞ୍ଚିଛନ୍ତି, ଯହିଁରେ ଉଦାତ୍ତ ଆଧ୍ୟାତ୍ମିକତା ଆଉ ସଂପ୍ରସାରିତ ମାନବିକତାର ପରିପ୍ରକାଶ ଘଟିଛି ।
"ବୋଧହୁଏ ପ୍ରକୃତରେ ସ୍ୱଳ୍ପ କେତେକ ଦୀର୍ଘଜୀବୀ ଓଡ଼ିଆଙ୍କ ମଧ୍ୟରେ ମୁଁ ଅନ୍ୟତମ । ଜୀବନର ଅନ୍ତିମ ବେଳାରେ ମୁଁ ଗୋଟିଏ ମାତ୍ର ଶ୍ରେୟସ୍କର ବଚନ ଶୁଣାଉଛି-
ଆମ୍ଭେମାନେ ଭାରତରେ ସବୁଠାରୁ ଅଧିକ ଆଇନ ଆଚରଣ କରୁଥିବା ଜାତି
ରୂପରେ ସୁପରିଚିତ । ଭଗବାନଙ୍କ ସହିତ ସମନ୍ୱିତ ହୁଅ । କର୍ତ୍ତବ୍ୟର ଆହ୍ୱାନରେ ସଂଗ୍ରାମ
କରିଚାଲ । ଅନ୍ୟ ଜାତିମାନଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ତତ୍ପର ହୁଅ । ପୁଣି ସେହିଦିନ
ଆସିବ, ଯେତେବେଳେ ତୁମ୍ଭମାନଙ୍କୁ କର୍ତ୍ତବ୍ୟ ସଂପାଦନର ହିସାବ ପ୍ରଦାନ କରିବାକୁ
ପଡ଼ିବ । ତୁମେ ଯଦି ଜଗତର ମଂଗଳ ସାଧନ କରିଥାଅ, ସେହି ବିଧାତା ପୁରୁଷ ଆସି
କହିବେ ହେ, ମୋର ସନ୍ତାନ, ମୋର ସମୀପକୁ ଆସ । ମୁଁ ତୁମକୁ ଜୀବନର ମହିମାମଣ୍ଡିତ
ମୁକୁଟ ପିନ୍ଧାଇ ଦେବି ।"
ପୃଷ୍ଠା:Aama Madhusudan.pdf/୩୨୨
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୩୨୩