ପୃଷ୍ଠା:Aama Madhusudan.pdf/୩୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଖିଦୁଇଟି ଜ୍ୱଳନ୍ତ ଅଂଗାରର ପ୍ରଜ୍ୱଳିତ ଦୀପ୍ତିରେ ଉଦ୍‍ଭାସିତ ହୋଇଉଠିଲା । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବାରୁ ସେ କହିଲେ, ମୋର କାନ୍ଧ ତଳଠାରୁ ଶରୀରଟି କେଉଁଦିନୁ ମରିସାରିଛି । ମାତ୍ର କେବଳ ମଥାଟି ଜୀବନ୍ତ ରହିଛି । ହଁ ସେହି ମଥା ଭିତରେ ଥିଲା ଅଦମ୍ୟ ଇଚ୍ଛାଶକ୍ତି ଆଉ ଅଦ୍‍ଭୁତ ମାନସିକତା, ଯାହା ତାହାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଥିଲା ।
ଆମେ ପୁଣି ଫେରିଯିବା ୧୯୩୪ ସାଲ ଜାନୁଆରି ମାସ ତିରିଶି ତାରିଖର ସେହି ଅତିକ୍ରାନ୍ତ ସାୟାହ୍ନକୁ । ସେହି ଉତ୍ଥଳ ବାରିପାତ ଯେପରି ଥମିବାର କୌଣସି ସୂଚନା ନଥିଲା । ମଧୁସୂଦନଙ୍କ ଶୟନ କକ୍ଷରେ ଆଳାପରତ ଭଦ୍ରବ୍ୟକ୍ତିଙ୍କ ମଧ୍ୟରେ ଥିଲେ ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ସ୍ୱାମୀ ବିଚିତ୍ରାନନ୍ଦ ଦାସ ପ୍ରମୁଖ । ଆଲୋଚନା ଚାଲିଥିଲା କିପରି କିଛି ସାହାଯ୍ୟ ସଂଗ୍ରହକରି ବିହାରର ଭୂକମ୍ପ ପୀଡ଼ିତମାନଙ୍କୁ ପ୍ରେରଣ କରିବା ଏବଂ କିଛି ସ୍ୱେଚ୍ଛାସେବକଙ୍କୁ ବିହାର ପଠାଇବା ସଂପର୍କରେ । ସେଥିପାଇଁ କିଛି କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ ହୋଇଥିଲା । କ୍ରମେ ବରଷା ଥମିଗଲା, ଜଣଜଣ ହୋଇ ଭଦ୍ରବ୍ୟକ୍ତିଗଣ ନିର୍ଗତ ହେଲେ । ମଧୁସୂଦନଙ୍କ ଶୟନ କକ୍ଷ - ବିଳାସବ୍ୟସନର ସାମାନ୍ୟ ମାତ୍ର ସଂକେତ ନଥିଲା । ପ୍ରବଳ ଗ୍ରୀଷ୍ମରେ ମଧ୍ୟ ପଙ୍ଖା ଚାଲେ ନାହିଁ । ତାଙ୍କ ଚୌକିରେ ଗଦିର କୌଣସି ବ୍ୟବସ୍ଥା ନଥିଲା । ତାଙ୍କ ବ୍ୟଥାକ୍ଲିଷ୍ଟ ଜୀବନରେ ବିଳାସର କୌଣସି ସଂକେତ ନଥିଲା । ଯଦିଓ ଅତିଥିଶାଳାରେ ସେଥିଲାଗି ସମସ୍ତ ବ୍ୟବସ୍ଥା ଥିଲା । ମଧୁସୂଦନ ପଲଙ୍କ ଛାଡ଼ି ଶୟନ କରୁଥିଲେ ଫିତା ଖଟରେ, ଯହିଁରେ ଜମା ରହିଥିଲା କିଛି ତକିଆ ଆଉ ପ୍ରବଳ ଶୀତକୁ କାଟିବା ପାଇଁ ଖଣ୍ଡିଏ ଅବା ଦୁଇଖଣ୍ଡ କମ୍ବଳ । ମଧୁସୂଦନ ବର୍ଷବର୍ଷ ଧରି ରାତ୍ରିଭୋଜନ ବିରହିତ ଥିଲେ । ଗଲା କିଛିମାସ ଧରି ମଧ୍ୟ ସେ ପୁଷ୍ଟିକର ଖାଦ୍ୟ ନେବାରୁ ବଂଚିତଥିଲେ । ଏହାର ମନ୍ଦ ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ଅଶେଷ କ୍ଷତି ପହୁଞ୍ଚାଇଥିଲା ।
ଶୟନ କକ୍ଷରେ ହାଡ଼ିବନ୍ଧୁ ସେବାରତ ଥିଲେ । ପହଞ୍ଚିଲେ ବାରିଷ୍ଟର ଚନ୍ଦ୍ର କୁମାର ଆଉ କ୍ଷଣକ ପରେ ଆସିଲେ ସୁଧାଂଶୁବାଳା । ଅବଶେଷରେ ଆସି ପହଞ୍ଚିଲେ ଶୈଳବାଳା ଗ୍ଲାସ୍‍ରେ କିଛି ହରଲିକ୍ସ ଆଉ ପ୍ଲେଟ୍‍ରେ ଦୁଇଖଣ୍ଡ ବାଇଗଣ ସିଝା ଧରି । ସମୟ ଅତିକ୍ରାନ୍ତ ହେଲାଣି । ସର୍ବତ୍ର ନୀରବତାର ରାଜୁତି । ସ୍ତବ୍ଧତାର ପରିବେଶରେ ଆଣ୍ଠୁମାଡ଼ି ମଧୁସୂଦନଙ୍କର ଦୀର୍ଘ ଜୀବନ କାମନା କରି ପ୍ରାର୍ଥନା କରୁଥିଲେ ଚନ୍ଦ୍ର କୁମାର ଆଉ ଅନ୍ୟ ପକ୍ଷରେ ସୁଧାଂଶୁବାଳା ।
ଶୈଳବାଳାଙ୍କ ବହୁ ଅନୁନୟ ପରେ କେବଳ ମାତ୍ର ଦୁଇଚାମଚ ହର୍ଲିିକ୍ସ ପିଇଲେ ମଧୁବାବୁ । ମାତ୍ର ବାଇଗଣ ସିଝା ଖଣ୍ଡିଏ ନନେବା ପାଇଁ ଜିଦ୍‍ ଧରି ବସିଲେ । ଶୈଳବାଳା ବହୁ ଅନୁରୋଧ କରି କହିଲେ,"ନଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି କିପରି ହେବ ଆଉ ଆପଣ ସବଳ କିପରି ହେବେ ?
"ହଁ, ମୁଁ ଖାଇବି ଯେ, ମୁଁ କ'ଣ ନିଜ ରୋଜଗାରରେ ଚଳୁଛି ?" ମଧୁସୂଦନ ପ୍ରଶ୍ନକଲେ । ହଁ, ଆପଣ ତ ନିଜ ରୋଜଗାରରେ ଚଳୁଛନ୍ତି ।" ଶୈଳବାଳା କହିଲେ ।

ଆମ ମଧୁସୂଦନ ୩୨୯