ପୃଷ୍ଠା:Aama Madhusudan.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୨୧ ସାଲରୁ ମଧୁସୂଦନ ଚଳାଇ ଆସିଥିଲେ ଅବାରିତ ସଂଗ୍ରାମ । ଏହି ଦାବି ହାସଲପାଇଁ ଉପଲକ୍ଷ୍ୟ ମାତ୍ର ଥିଲେ, ମଧୁସୂଦନଙ୍କର ଏକମାତ୍ର ପାଳିତା କନ୍ୟା- ସୁଧାଂଶୁବାଳା ହାଜରା, ଯାହାକୁ ପ୍ରତୀକ କରି ମଧୁସୂଦନ ଚଳାଇଥିଲେ ଅବିରାମ ପ୍ରଚେଷ୍ଟା । ଏଥିପାଇଁ ତାଙ୍କର ଉଦ୍ୟମରେ ବିଭିନ୍ନ ହାଇକୋର୍ଟ, ପ୍ରିଭି କାଉନ୍‍ସିଲ୍‍ ତଥା ବ୍ୟବସ୍ଥାପକ ସଭାରେ ଦୃଢ଼ଦାବି ଉପସ୍ଥାପନ କରାଯାଇଥିଲା । ଅବଶେଷରେ ୧୯୨୩ ସାଲରେ ଭାରତୀୟ ଲିଗାଲ୍‍ ପ୍ରାକ୍ଟିସନର୍ସ ଆକ୍ଟରେ ନାରୀ ଜାତି ପ୍ରତି କରାଯାଇଥିବା ଅବିଚାର ଦୂର ହୋଇଥିଲା ଓ ଭାରତୀୟ ନାରୀ ପାଇଥିଲା ଐତିହାସିକ ଅଧିକାର । ଏଥିପାଇଁ ମଧୁସୂଦନଙ୍କର ଅବଦାନ ଅବିସ୍ମରଣୀୟ । କିନ୍ତୁ ମଧୁସୂଦନଙ୍କର ଏହି ମହନୀୟ ଅବଦାନ ଆଜି ଭାରତୀୟ ମହିଳା ଆଇନଜୀବୀଙ୍କପାଇଁ ସତେ ଯେପରି ଗୋଟାଏ ଅଜ୍ଞାତ ଅଧ୍ୟାୟ!
ଅନ୍ୟ ଗୋଟିଏ ଘଟଣା । ମଧୁସୂଦନ, ବିହାର ଓଡ଼ିଶା ସରକାରଙ୍କ ମନ୍ତ୍ରିତ୍ୱ ଗ୍ରହଣ କରିବାର କିଛି ମାସ ବିତିଯାଇଥାଏ । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିବସରେ ଗଭର୍ଣ୍ଣରଙ୍କ ସାନ୍ଧ୍ୟଭୋଜି ନିମନ୍ତ୍ରଣର ବିଧିବ୍ୟବସ୍ଥା ପ୍ରସଙ୍ଗରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥାଏ । ମଧୁସୂଦନଙ୍କର ଦାବିଥିଲା, ଭାରତୀୟ ପୋଷାକରେ ସେ ଏହି ଭୋଜି ସଭାରେ ଯୋଗଦେବେ । ଏ ସଂପର୍କରେ ମଧୁସୂଦନ ଗଭର୍ଣ୍ଣରଙ୍କୁ ଲେଖିଥିବା ଏକ ଚିଠିର କିଛି ଅଂଶ -
"ମୁଁ ଏହି ସମସ୍ତ ନିମନ୍ତ୍ରଣ ତଥା ଭୋଜି ସଭାରେ ଯୋଗଦେବାପାଇଁ ଗୁରୁତ୍ୱ ଆରୋପ କରେନାହିଁ । ଉଚ୍ଚସ୍ଥାନ ଅଧିଷ୍ଠିତ ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସି କୌଣସି ଅଯଥା ଗୌରବର ଅଧିକାରୀ ନହେବାପାଇଁ ମୋର ମା ମୋତେ ଉପଦେଶ ଦେଇଛନ୍ତି । ସେ କହିଛନ୍ତି, ଗୋଲାପ ଗଛର ଚାରିପାଖେ ବଢ଼ିଥିବା ଘାସ, ଗୋଲାପର ରଂଗ ଓ ସୁବାସର ଅଧିକାରୀ ହୋଇପାରେ ନାହିଁ । ସେହିପରି କେବଳ ଉଚ୍ଚବ୍ୟକ୍ତିଙ୍କ ସାନ୍ନିଧ୍ୟର କୌଣସି ପ୍ରଭାବ ନାହିଁ ।"
ବହୁ ସ୍ମରଣୀୟ ବ୍ୟକ୍ତିଙ୍କ ଚରିତ୍ରଗଠନରେ, ସେମାନଙ୍କର ମାତାଙ୍କର ସର୍ବୋତ୍ତମ ଅବଦାନ ରହିଥାଏ । ଆଉ ମଧୁସୂଦନଙ୍କ ଜୀବନରେ ଯେଉଁ ଦୁଇଜଣ ନାରୀ ସର୍ବଦା ପ୍ରଭାବ ବିସ୍ତାର କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ତାଙ୍କର ଅତ୍ୟନ୍ତ ପ୍ରଭାବଶାଳୀ ପ୍ରପିତାମହୀ । ସେହି ପରମ ଐଶ୍ଚର୍ଯ୍ୟଶାଳିନୀ ପ୍ରପିତାମହୀ, ନିଜ ପତିଙ୍କ ଚିତାଗ୍ନିରେ ନିଜକୁ ସମର୍ପିଦେବାର ଜ୍ୱାଳାମୟ ଦୃଶ୍ୟ ତାଙ୍କର ମାନସପଟକୁ ସଦା ଆଚ୍ଛନ୍ନ କରି ରଖିଥାଏ । ତାଙ୍କର ମାତାଥିଲେ; ପରମ କରୁଣାମୟୀ, ସମ୍ବେଦନଶୀଳା ମହିୟସୀ ନାରୀ, ଯେ କି ନିଜକୁ ବିତରଣ କରିଦେବାର ପ୍ରୟାସରେ ସର୍ବଦା ନିମଗା୍ନ ଥିଲେ ।
ମଧୁସୂଦନଙ୍କ ଦୃଷ୍ଟିରେ ନାରୀମାନଙ୍କ ମଧ୍ୟରେ, ସେହିମାନେ ହିଁ ପରମ ଗୌରବର ଅଧିକାରୀ ଯେଉଁମାନେ ସୃଷ୍ଟିର ସହାୟକ ହେବାପାଇଁ କରୁଣାମୟୀ ମାତୃତ୍ୱର ଅଧିକାରୀହୋଇ ନିଜକୁ ନିଃଶେଷ କରିଦେଇଛନ୍ତି । ସେହି ମହନୀୟ ମାତୃତ୍ୱରେ ଥାଏ କେବଳ ଦାନ ଆଉ ଦାନ, ନଥାଏ ପ୍ରତିଦାନ ବା ଫେରିପାଇବାର ପ୍ରତ୍ୟାଶା ।
ତେଣୁ ତାଙ୍କ କଂଠରୁ ନିର୍ଝର ପରି ଅନାୟାସରେ ଝରିପଡ଼ିଛି ମାତୃମଂତ୍ରରେ ଅଭିମଂତ୍ରିତହୋଇ ଦେଶ ଜାଗୃତିର ଗୀତିକା ।