ପୃଷ୍ଠା:Aama Madhusudan.pdf/୩୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତଳେ ଅପେକ୍ଷାରତ ଭଦ୍ରବ୍ୟକ୍ତି ସବୁ ଆସିଲେ ମଧୁସୂଦନଙ୍କ କକ୍ଷକୁ । ସେମାନେ ପହଞ୍ଚୁ ପହଞ୍ଚୁ ମଧୁସୂଦନ ସେମାନଙ୍କୁ ସ୍ମିତହାସ୍ୟରେ ସ୍ୱାଗତ ଜଣାଇ ସାରିବା ପରେ କହି ଉଠିଲେ, "ବିଦାୟ ! ମତେ ବିଦାୟ ଦିଅନ୍ତୁ ଆପଣଙ୍କ ପ୍ରତି ଯଦି କିଛି ଭୁଲ ଭ୍ରାନ୍ତି ଅଥବା ଅପରାଧ କରିଥାଏ ମତେ ସର୍ବାନ୍ତଃକରଣରେ କ୍ଷମାପ୍ରଦାନ କରନ୍ତୁ ।"
ଏ କ'ଣ କହୁଛନ୍ତି ମହାଭାଗ ! ଆପଣ ଚିରଞ୍ଜୀବୀ ରହନ୍ତୁ ଦେଶପାଇଁ । ଦେଶ ଆପଣଙ୍କଠାରୁ ବହୁ ପ୍ରତ୍ୟାଶା ରଖିଛି ।" ଭଦ୍ରବ୍ୟକ୍ତିଗଣ ଅତ୍ୟନ୍ତ ଶୋକ ଜର୍ଜରିତ କଣ୍ଠରେ ନିବେଦନ କରି କହିଲେ, "ଆପଣ ଏ ଜାତିର ସାହା ଭରସା । ଭଗବାନ ନୂତନ ଓଡ଼ିଶାକୁ ମାର୍ଗଦର୍ଶନ କରିବାପାଇଁ ଆପଣଙ୍କୁ ଦୀର୍ଘକାଳ ଜୀବିତ କରି ରଖିବେ । ମଧୁସୂଦନ ଉତ୍ତର ଦେଲେ, ଉପରୁତ ନିର୍ଦ୍ଦେଶ ଆସି ଯାଇଛି । ମୁଁ ଯିବାକୁ ପ୍ରସ୍ତୁତ ହୋଇ ରହିଛି । ସବୁ ପରମପିତାଙ୍କର ନିର୍ଦ୍ଦେଶ । ଯଦି ମୋର ରହିବାକୁ ଆପଣମାନେ ଚାହୁଁଛନ୍ତି ତାହାହେଲେ ତାଙ୍କୁ ଆବେଦନ କରନ୍ତୁ ।"
କ୍ରମେ ସମ୍ଭାଷଣ ଆଉ ହାର୍ଦ୍ଦିକ ଆଳାପ ସରିଗଲା ପରେ ଭଦ୍ରବ୍ୟକ୍ତିମାନେ ଜଣ ଜଣ କରି ବିଦାୟ ନେଲେ । ଏହାପରେ ଆସିଲେ ପର୍ଦ୍ଦାନସୀନ ମହିଳାଗଣ । ସେମାନଙ୍କ ହସ୍ତରେ ଶିଶିରସ୍ନାତ ପୁଷ୍ପଭଳି ଶିଶୁପୁତ୍ର ଆଉ କନ୍ୟାଗଣ । ସେମାନେ ଆସିଥିଲେ ପବିତ୍ରତାର ଉର୍ଜ୍ଜସ୍ୱଳ ପ୍ରତୀକ ମଧୁସୂଦନଙ୍କ ସମୀପକୁ । ପବିତ୍ରତା କ'ଣ ଏଭଳି ମହିମାନ୍ୱିତ ବିଗ୍ରହ ଘେନି ଅବତରିତ ହୋଇପାରେ? ତାଙ୍କର ମୁଖମଣ୍ଡଳ ଉଦ୍‍ବେଳିତ ହୋଇଥିଲା ଜ୍ୟୋତିର୍ମୟ ଆଭାରେ । ମଧୁସୂଦନ ଉପବେଶନ କରିଥିଲେ ଖଟ ଉପରେ । ପ୍ରତିଟି ଶିଶୁକୁ ସ୍ପର୍ଶ କରି ଚାଲିଥିଲେ ଆଶିଷର ଅମୃତ ଢାଳି ।
ସେଦିନ ସନ୍ଧ୍ୟାରେ ମଧୁସୂଦନଙ୍କ ଅବସ୍ଥାରେ କ୍ରମଶଃ ଅବନତି ଦେଖାଗଲା । ସ୍ୱାସ୍ଥ୍ୟର ସ୍ଥିତି କ୍ରମଶଃ ଗମ୍ଭୀର ହୋଇ ଉଠିଥିଲା । ଛାତିରେ କଫ ଘଡ଼ଘଡ଼ ହେଉଥିଲା । ସର୍ବତ୍ର ସଂପ୍ରସାରିତ ହୋଇଥିଲା ଘନ ବିଷାଦର ଛାୟା । ସନ୍ଧ୍ୟାର କାଳିମା କ୍ରମଶଃ ଏହାକୁ ପ୍ରଗାଢ଼ କରି ଚାଲିଥିଲା । ସଂଶୟର ଦୋଳାରେ ସମସ୍ତ ପରିବେଶ ବିଧୂରିତ ହେଉଥିଲା । ସ୍ଥିତିର ଗମ୍ଭୀରତା ଦେଖି ସୁଧାଂଶୁବାଳା ଧର୍ମ ସଂଗୀତ ଗାଇବାକୁ ଆରମ୍ଭ କଲେ ଏବଂ ତାହାଥିଲା ଏହିପରି ।

"I heard the voice of Jesus say
come unto me and rest
Lay down thou weary one, lay down
the head upon my breast."


ମୁଁ ଯୀଶୁଙ୍କର ବାଣୀ ଶୁଣିଲି । ସେ କହୁଛନ୍ତି, "ମୋର ସମୀପକୁ ଆସ ଆଉ ବିଶ୍ରାମ ନିଅ । ହେ ଶ୍ରାନ୍ତ ମାନବ ! ତୁମ୍ଭର ଶିର ମୋ ବକ୍ଷସ୍ଥଳରେ ସ୍ଥାପନ କର ।"
ଯେତେବେଳେ ସୁଧାଂଶୁବାଳା ଏହି ସଂଗୀତ ଗାଇବାକୁ ଆରମ୍ଭ କଲେ, ଶ୍ରାନ୍ତ ଆଉ କ୍ଲାନ୍ତ

ହୋଇ ଅର୍ଦ୍ଧ ନିଦ୍ରିତ ଅବସ୍ଥାରେ ଶାୟିତ ମଧୁସୂଦନ ହଠାତ୍‍ ଜାଗ୍ରତ ହୋଇଉଠିଲେ । ସହସା

ଆମ ମଧୁସୂଦନ ୩୩୧