ପୃଷ୍ଠା:Aama Madhusudan.pdf/୩୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆପଣଙ୍କ ପାଇଁ ଗ୍ରହଣଯୋଗ୍ୟ ନୁହେଁ, ତେବେ କାହାପାଇଁ ଆପଣଙ୍କର ଦୀର୍ଘ ଦିନର ଶ୍ରମସାଧନା ଓ ଯାତନା ?"ହଁ, କେବଳ ଓଡ଼ିଆ ଜାତିପାଇଁ, ଆଉ କେବଳ ଓଡ଼ିଆ ଜାତିପାଇଁ' । ହଁ, ଓଡ଼ିଆ ଜାତିକୁ ବିଶ୍ୱ ଦୃଷ୍ଟିକୁ ଆଣିବା ମୋର ଜୀବନର ଏକାନ୍ତ ଆଉ ଅନ୍ତିମ ଲକ୍ଷ୍ୟ ।' ମଧୁସୂଦନ କହିଲେ ପ୍ରତିଶ୍ରୁତିବଦ୍ଧତାର ଦୃଢ଼ ନିର୍ଘୋଷରେ ।
"ହେ ଦାଦା ! ଆପଣ ଦୀର୍ଘ ଜୀବନ ଲାଭ କରି ଓଡ଼ିଶା ପ୍ରଦେଶର ଅୟମାରମ୍ଭ ପର୍ଯ୍ୟନ୍ତ ବଂଚି ରହନ୍ତୁ, ଏହାହିଁ ମୋର ଏକାନ୍ତ ପ୍ରାର୍ଥନା । ହେ ଦାଦା ! ଆପଣ ଏଥିପାଇଁ ପରମପିତାଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁନାହାନ୍ତି କାହିଁକି? ତାହା ଯେ ନିଶ୍ଚୟ ଗୃହୀତ ହେବ ।" ଚନ୍ଦ୍ର କୁମାର କହିଲେ ଅତ୍ୟନ୍ତ ଦରଦଭରା କଣ୍ଠରେ ।
ଟିକିଏ ନୀରବ ରହିଲେ ମଧୁସୂଦନ । ମୁହଁରେ ଦ୍ୟୁତିର ଅଲଂଘ୍ୟ ଉଚ୍ଛ୍ୱାସ । "ହଁ, ଚନ୍ଦ୍ର କୁମାର ! ମୁଁ ପରମ ପିତାଙ୍କ ପାଖରେ ପ୍ରାର୍ଥନା କରିଥିଲି ଓଡ଼ିଶା ପ୍ରଦେଶର ଆଶୁ ସ୍ଥାପନା ପାଇଁ । ଆଉ ଓଡ଼ିଶା ପ୍ରଦେଶର ସ୍ଥାପନା ପରେ ଓଡ଼ିଆ ଜାତିକୁ କିଛିକାଳ ଲାଗି ମାର୍ଗ ଦର୍ଶନ ପ୍ରଦାନ କରିବା ପାଇଁ ।" ମଧୁସୂଦନ ନୀରବିଗଲେ କିଛିକାଳ ପାଇଁ । ଚନ୍ଦ୍ର କୁମାର ରହିଥିଲେ ଉତ୍ତର ଅପେକ୍ଷାରେ ।
ପରମେଶ୍ୱରଙ୍କ ପାଖରେ ମଧୁସୂଦନଙ୍କ ସେହି ବଂଚି ରହିବାର ସର୍ତ୍ତଥିଲା ଅଲଗା ବୋଧହୁଏ । ମହାତ୍ମାଗାନ୍ଧୀଙ୍କ ଆନ୍ଦୋଳନରେ ତାଙ୍କର ସହଯାତ୍ରୀ ଆଉ ଆଶ୍ରମର ସମସ୍ତ ଖର୍ଚ୍ଚ ବହନ କରୁଥିଲେ ଶିଳ୍ପପତି ବିରଳା । ତଥାପି ଯୀଶୁଙ୍କ ପରି ଦାରିଦ୍ର୍ୟର ସୀମା ଭିତରେ ଚଳୁଥିଲେ । ମାତ୍ର ସମସ୍ତ ବ୍ୟୟର ବିସ୍ତାରିତ ଖର୍ଚ୍ଚ ଫର୍ଦ୍ଦ ବିରଳାଙ୍କ ପାଖରେ ଦାଖଲ କରୁଥିଲେ ମହାତ୍ମାଗାନ୍ଧୀ । କିନ୍ତୁ ତାହାର କିଛି ପ୍ରୟୋଜନ ବିରଳାଙ୍କ ପାଇଁ ନଥିଲା । ମାତ୍ର ମଧୁସୂଦନଙ୍କର ଆପ୍ତ ବାକ୍ୟ ଥିଲା, "ଯେଉଁ ହାତରେ ରୁଟି ଖାଉଛି, ସେହି ହାତର ପରିଶ୍ରମରେ ସେହି ରୁଟିକୁ ଉପାର୍ଜନ କରିବାକୁ ପଡ଼ିବ ।" ଏହା ଥିଲା ତାଙ୍କ ଜୀବନଯାପନର ଅଲଂଘ୍ୟ ସର୍ତ୍ତ । ଓଡ଼ିଆ ଜାତିଠାରୁ ମଧୁସୂଦନଙ୍କର ଅନେକ ପ୍ରତ୍ୟାଶା, ଅନେକ ଅଭିଳାଷ ତ ରହିଥିଲା । ମାତ୍ର ଜାତିର ଅକ୍ଷମତା, ଦୁର୍ବଳତା ଆଉ ପ୍ରତିକ୍ରିୟାଶୂନ୍ୟତା ପ୍ରତି ସଚେତନ ଥିବା ତାଙ୍କର ଓଡ଼ିଆ ଜାତି ପ୍ରତି ଆକ୍ଷେପ କେବେ ବି ନଥିଲା । ଜୀବନର ଚରମ ସ୍ଥିତିରେ ଦେବାଳିଆ ଘୋଷିତ ହେବାର ଦୁର୍ବାର ପରିସ୍ଥିତିରେ ସେ ଯେତେବେଳେ ଠିଆ ହୋଇଥିଲେ, ସେତେବେଳେ ସମଗ୍ର ଓଡ଼ିଆ ଜାତି ଠିଆ ହୋଇଥିଲା, ଜଡ଼ ଓ ନିର୍ବେଦତାର ତୁଷାର ଖଣ୍ଡିପରି । ସେ ହାଜରା ପରିବାରକୁ ଗ୍ରହଣ କରିଥଲେ, ସେମାନେ ତାଙ୍କର ଦାରୁଣ ପରିସ୍ଥିତିରେ ସହାୟତାର ହାତ ବଢ଼ାଇଥିଲେ । ଚନ୍ଦ୍ର କୁମାର ହାଜରା ଡିଗ୍ରୀଟି କିଣିଥିଲେ ଆଉ ଅନ୍ତତଃ ମଧୁସୂଦନ ନିଜର ଗୌରବ ଆଉ ସମ୍ମାନ ଅକ୍ଷୁଣ୍ଣ ରଖି ମଧୁସ୍ମୃତିରେ ବାସ କରିପାରିଥିଲେ ଲୋକ ଚକ୍ଷୁର ଅନ୍ତରାଳରେ ଜଣେ ଭଡ଼ାଦାତା ରୂପରେ । ଯେତେବେଳେ ସହଧର୍ମିଣୀ ପ୍ରସନ୍ନମୟୀଙ୍କର ଅକାଳ ବିୟୋଗ ପରେ ଅମ୍ବିକା ପ୍ରସାଦ ହାଜରା ନୂତନ ସ୍ତ୍ରୀ ଗ୍ରହଣ କରି ସିମଳା ଚାଲିଗଲେ, ତାଙ୍କର ଅରକ୍ଷ ସନ୍ତାନଗଣଙ୍କୁ ମଧୁସୂଦନ ଗ୍ରହଣ କରି ଶିକ୍ଷା ପ୍ରଦାନ କରିଥିଲେ । ଚନ୍ଦ୍ରକୁମାର ହାଜରା

ଆମ ମଧୁସୂଦନ ୩୩୩