ପୃଷ୍ଠା:Aama Madhusudan.pdf/୩୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଲାତରେ ବାରିଷ୍ଟରୀ ପାଠପଢ଼ି ମେଦିନୀପୁରରେ ସଫଳ ଆଇନଜୀବୀ, ଜିତେନ୍ଦ୍ର କୁମାର ପୂର୍ବତନ ଟ୍ୟାନେରି ମ୍ୟାନେଜର, ଜଣେ ଉଦ୍ୟୋଗପତି ଆଉ ସୁଧାଂଶୁବାଳା ପୂର୍ବତନ ପ୍ରଥମ ମହିଳା ଆଇନଜୀବୀ ଆଉ ପ୍ରଧାନ ଶିକ୍ଷୟିତ୍ରୀ ରହିଥିଲେ । ହେଲେ ମଧୁସୂଦନଙ୍କର ସାହାଯ୍ୟ ଦାନ ଓ ଶିକ୍ଷାଦାନରେ ବହୁ ତରୁଣ ଓଡ଼ିଆ ସମୃଦ୍ଧିଶାଳୀ, ବିଭବଶାଳୀ, ଐଶ୍ଚର୍ଯ୍ୟଶାଳୀ ବ୍ୟକ୍ତିଙ୍କ ସହିତ ଅନେକ ପ୍ରତିଷ୍ଠିତ ସମ୍ଭ୍ରାନ୍ତ ବ୍ୟକ୍ତି ଆଉ ଅଧିବକ୍ତା ଥିଲେ ମଧ୍ୟ ଏହି ବିପଦବେଳାରେ ସେମାନେ ଥିଲେ ନିରୁଦ୍ଦିଷ୍ଟ । ୧୯୦୯ ସାଲରୁ ୧୯୧୮ ସାଲ ପର୍ଯ୍ୟନ୍ତ କଲିକତାରେ ସ୍ନାତକୋତ୍ତର ଡିଗ୍ରୀ ସହ ଆଇନ ଏବଂ ପରେ ପାଟଣାରେ ଅଧ୍ୟୟନ କରୁଥିବା ଛାତ୍ରମାନେ ମଧୁସୂଦନଙ୍କ ଆୟୋଜିତ ବୃତ୍ତିର ଅଧିଭୋକ୍ତା ଥିଲେ । ମାତ୍ର ଏ ବିଷୟରେ ସେମାନେ ଏକାନ୍ତ ଭାବେ ଅନୁତ୍ତରିତ, ତେଣୁ ସେମାନଙ୍କ ପକ୍ଷରେ ସାହାଯ୍ୟଦାନ ତ ଦୁରୂହ କଥା, କୃତଜ୍ଞତା ମଧ୍ୟ ଅଲଭ୍ୟ ଥିଲା ।
ମଧୁସୂଦନଙ୍କର ନିଜସ୍ୱ ଖର୍ଚ୍ଚ ଅବା କେତେ ?ଦିନରେ ଦୁଇଚାରି ଚାମଚ ହର୍ଲିିକ୍ସ, ଦୁଇଚାରି ଖଣ୍ଡ ବାଇଗଣ ବା ଅମୃତଭଣ୍ଡା ସିଝା, ଦୁଇ ତୋଳା ଚାଉଳର ଭାତ, ଆଉ ମେଞ୍ଚାଏ ହିଡ଼ିମିଚା ଶାଗର ଖରଡ଼ା । ଓଡ଼ିଶା ପ୍ରଦେଶ ସ୍ଥାପନାଜନିତ ବ୍ୟୟଭାର ସାଙ୍ଗକୁ ବନ୍ୟା, ବାତ୍ୟା, ମରୁଡ଼ିରେ ତାଙ୍କର ସାହାଯ୍ୟ ଦାନ ଆଉ ସେବା ଦାନ ଅପର୍ଯ୍ୟାପ୍ତ ଦାରୁଣ ଦୁସ୍ଥିତିପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ଦ୍ୱାର ସର୍ବଦା ଉନ୍ମୁକ୍ତ । ଅଭାବୀ ଛାତ୍ରଙ୍କ ପାଇଁ ସାହାଯ୍ୟ ଆଉ ବୃତ୍ତିର ପରିମାଣ ଅସୀମିତ । ଏହାଛଡ଼ା ଓଡ଼ିଶାକୁ ଆଗତ ଅତିଥିଗଣଙ୍କ ସ୍ୱାଗତ ସମ୍ବର୍ଦ୍ଧନାପାଇଁ ମଧୁସ୍ମୃତିରେ ଅପରିସୀମିତ ବ୍ୟବସ୍ଥା । ତାଙ୍କର ଦୈନିକ ଜୀବନଚର୍ଯ୍ୟାରେ ଶିଳ୍ପାଗାରର ସଂଚାଳନ ବ୍ୟବସ୍ଥା, ଶିଳ୍ପୀ ଆଉ କଳାକାରଙ୍କ ସହିତ ଅଲଭ୍ୟ କଳାପ୍ରାଣତା ତାଙ୍କ ଜୀବନରଏକ ଅପରିହାର୍ଯ୍ୟ ଅଂଗ । ଏହା ବାହାରେ ରହିଥାଏ ଥାଟ ପଟାଳି ଭାଙ୍ଗିବା ପରି, ଭିକାରି, ଦୁରାରୋଗ୍ୟ କୁଷ୍ଠରୋଗୀ ଆଉ ସର୍ବୋପରି ମାନସିକ ବିକୃତିଗ୍ରସ୍ତ ରୋଗୀଙ୍କପାଇଁ ଉପଚାର ବ୍ୟବସ୍ଥା ।
କୃଷ୍ଣ ପ୍ରତିପଦା ରାତିର ଅନ୍ତିମ ପର୍ଯ୍ୟାୟ । ସାରା ରାତ୍ରି ଧରି ଉଜାଗର ରହିଥିବା ଚନ୍ଦ୍ରମା ବର୍ତ୍ତମାନ ପଶ୍ଚିମ ଦିଗନ୍ତର କିଛି ଊର୍ଦ୍ଧ୍ୱରେ । ପୂର୍ବାକାଶରେ ସାମାନ୍ୟ ଅରୁଣିମାର ଛଟା । ଏହି ସମୟରେ ଶ୍ୱେତ ବସ୍ତ୍ର ପରିହିତ ଜଣେ ଦୀପ୍ତିମନ୍ତ ଦେବପୁରୁଷ ମଧୁସୂଦନଙ୍କ ଶୟନ କକ୍ଷରେ ଅବତୀର୍ଣ୍ଣ ହେଲେ । ଅର୍ଦ୍ଧ ସୁପ୍ତ ରହିଥିବା ମଧୁସୂଦନ ତ୍ୱରିତ ବେଗରେ ଜାଗରିତ ହୋଇ ଶଯ୍ୟାଧାରରେ ଭକ୍ତିପ୍ରଣତ ମୁଦ୍ରାରେ ଉପବେଶନ କଲେ । ନୟନରୁ ତାଙ୍କର ଧାରଧାର ଅଶ୍ରୁ ବହିଯାଉଥିଲା । ସେହି ଜ୍ୟୋତିର୍ମୟ ପୁରୁଷ ଖଟର ଚାରିପାଖ ପ୍ରଦକ୍ଷିଣ କରି ବହିର୍ଗତ ହେଲେ । ମଧୁସୂଦନ ବିସ୍ମୟାଭିଭୂତ ଓ ଅଶ୍ରୁ ପ୍ଳାବିତ ନୟନରେ ରହିଥିଲେ ଭକ୍ତିପ୍ରଣତ ମୁଦ୍ରାରେ । ତାହାଥିଲା ସ୍ୱପ୍ନାୟିତ ଅର୍ଦ୍ଧ ଜାଗରଣର ଅବସ୍ଥା । ମଧୁସୂଦନଙ୍କ ମୁଖମଣ୍ଡଳରେ ଲାଖି ରହିଥିଲା, ସ୍ୱର୍ଗୀୟ ଜ୍ୟୋତିର ଅନିର୍ବଚନୀୟ ଝଲକ । କ୍ରମେ ରଜନୀର ଅନ୍ତିମ କ୍ଷଣଟି ଅପସରିଗଲା । ପ୍ରଭାତର ଉତ୍ତାଳ ପବନ ବହିଲା ଉଚ୍ଚାଟ ହୋଇ । ପୂର୍ବ ଆକାଶରେ ମୃଦୁ ଆଲୋକର ସଂଚାର ମଧ୍ୟରେ ଫାଟିଲା ସିନ୍ଦୂରା ।

୩୩୪ ଆମ ମଧୁସୂଦନ