ପୃଷ୍ଠା:Aama Madhusudan.pdf/୩୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖଟ ଉପରେ ମଧୁସୂଦନଙ୍କ ପ୍ରଣତ ମୁଦ୍ରା ଦେଖି ସମସ୍ତେ ହତଚକିତ ହୋଇଗଲେ । ହର୍ଷ ବିହ୍ୱଳିତ ଭାବରେ ସେ ସମସ୍ତଙ୍କୁ ପ୍ରଭାତୀ ସମ୍ଭାଷଣ ଜଣାଇଲେ । କିଛି ସମୟ ପରେ ହାଡ଼ିବନ୍ଧୁ ତାଙ୍କର ପ୍ରାଣପ୍ରିୟ ହୁକାଟି ସଜିଲ କରି ତାଙ୍କୁ ଧରାଇ ଦେଲେ ।
ଏହାଥିଲା ଫେବ୍ରୁଆରି ମାସର ପହିଲା ତାରିଖ , ଫାଲ୍‍ଗୁନ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥି । ବିହାରର ଭୂମିକମ୍ପ ପରେ ଶୀତର ପ୍ରକୋପ ବଢ଼ି ଚାଲିଛି ଅବାରିତ ଭାବରେ । ମୃଦୁ ସୂର୍ଯ୍ୟ କିରଣରେ ଉଷ୍ମତାର ପରଶ ଆଉ ଆଲୋକର ଦୀପ୍ତି ସମୁଜ୍ୱଳ କରିଛି ପ୍ରଗାଢ଼ ସବୁଜିମା ଭରା ପରିବେଶକୁ । ପୂର୍ବାହ୍ନର ଏଗାରଟା ବେଳ । ମ୍ୟୁନିସିପାଲିଟି ଚେୟାରମ୍ୟାନ୍‍ ଭାଗୀରଥି ମହାପାତ୍ର ଆସି ମଧୁସୂଦନଙ୍କୁ ଭକ୍ତିଭରା ପ୍ରଣାମ କରି ସ୍ୱାସ୍ଥ୍ୟ ସଂପର୍କରେ ଆଲୋଚନା କଲେ । ପରେ ଟ୍ୟୁବ୍‌ୱେଲ୍ ଖୋଳିବାପାଇଁ ଆବଶ୍ୟକୀୟ ଅର୍ଥ ନେଇଗଲେ । କେଉଟ ସାହିର ଧୀବରଙ୍କୁ ମିଳିଲା ପ୍ରତିଶ୍ରୁତି ମୁତାବକ ଟ୍ୟୁବ୍‍‌ଓ୍ୱେଲ୍‍ ପରିଚ୍ଛନ୍ନ ପରିବେଶରେ ସ୍ୱାସ୍ଥ୍ୟପ୍ରଦ ଜୀବନଯାପନ ପାଇଁ । ସ୍ୱର୍ଗୀୟ ପିତାଙ୍କର ଅସରନ୍ତି କରୁଣାରୁ ଦାୟମୁକ୍ତ ହୋଇଗଲେ ମଧୁସୂଦନ । ଏହା ସହିତ ବ୍ୟାଙ୍କ୍‍ ପାଶ୍‍ ବହିରୁ ଶେଷ କପର୍ଦ୍ଦକ ମଧ୍ୟ ନିଶ୍ଚିହ୍ନ ହୋଇଗଲା । ଏଣିକି ଶୂନ୍ୟ ହସ୍ତରେ ନିର୍ବାଣ ପଥରେ ଯାତ୍ରା । ସର୍ବତ୍ୟାଗୀ ଗୋପବଂଧୁଙ୍କର କିଛି ସଂପତ୍ତି ରହିଥିଲା, ସେଥିପାଇଁ ତାହାଙ୍କୁ ଇଚ୍ଛାପତ୍ର ସଂପାଦନ କରିବାକୁ ପଡ଼ିଲା । ନବକୃଷ୍ଣ ଚୌଧୁରୀଙ୍କର କିଛି ସଂପତ୍ତି ଏବଂ ଆଶ୍ରୟସ୍ଥଳ ମଧ୍ୟ ଥିଲା । ମାତ୍ର ମଧୁସୂଦନ ଥିଲେ ଅନ୍ତିମ ବେଳାରେ ନିଃସ୍ୱ, ନିରାଧାର ଆଉ ନିରାଲମ୍ବ ପୁରୁଷ ।
ଋଷି ଟଲଷ୍ଟୟ ସୁବିଶାଳ ସମ୍ପତ୍ତି ଦାନରୁ ମୁକ୍ତ ହୋଇ, ଗୃହଦାନ ଅବସ୍ଥାରେ ଶୀତଋତୁରେ, ପ୍ରବଳ ତୁଷାରପାତର ସମ୍ମୁଖୀନ ହୋଇ ରେଳ ଯାତ୍ରାର ଅନ୍ତିମ ଷ୍ଟେସନରରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମାତ୍ର ଦେଶ ପାଇଁ ଛାଡ଼ି ଯାଇଥିଲେ ଅଜସ୍ର ଆଧ୍ୟାତ୍ମିକ ଆଉ ସାଂସ୍କୃତିକ ବିଭବ । ସେହିପରି ମଧୁସୂଦନ ଗୃହହୀନ ଆଉ କପର୍ଦ୍ଦକଶୂନ୍ୟ ହୋଇ ନିଃସ୍ୱ ସ୍ଥିତିରେ ଓଡ଼ିଶାର ଭୂମି ଛାଡ଼ି ଚାଲିଯାଇଥିଲେ ମଧ୍ୟ, ଏହି ଓଡ଼ିଶା ପ୍ରଦେଶର ସୀମାକୁ ଦୁଇ ତୃତୀୟାଂଶ ବୃଦ୍ଧି କରି ଏଥିରେ ଭରି ଦେଇଥିଲେ ଅକୁଳାନ ପ୍ରାକୃତିକ ବିଭବ, ଜଳ, ଅରଣ୍ୟ ଓ ସର୍ବୋପରି ଅଜସ୍ର ଖଣିଜ ସଂପଦ ।
ସେହି ଫେବ୍ରୁଆରି ପହିଲାର ଅପରାହ୍‍ଣ ବେଳ । ସାୟାହ୍ନକୁ ଅଳ୍ପ ସମୟ ବାକିଥାଏ । ପହଞ୍ଚିଲେ ନୀଳକଣ୍ଠ ଦ୍ୱିତୀୟ ବାର । ତାଙ୍କ ସାଥିରେ ଆସିଥାନ୍ତି, ବ୍ରଜସୁନ୍ଦର, ଲକ୍ଷ୍ମୀଧର ମହାନ୍ତି ଆଉ ବିଚିତ୍ରାନନ୍ଦ ଦାସ । ଓଡ଼ିଶା ପ୍ରଦେଶ ସ୍ଥାପନାର ଅନ୍ତିମ ପର୍ଯ୍ୟାୟର ଆଲୋଚନା । ଯହିଁରେ ମଧୁସୂଦନ ଅତ୍ୟନ୍ତ ଉତ୍ସାହପ୍ରଦ ଭାବେ ଅଂଶ ନେଇଥାନ୍ତି ଆଉ ଗଭୀର ସ୍ଥିତପ୍ରଜ୍ଞ ଅବସ୍ଥାରେ ମନୋନିବେଶ କରିଥାନ୍ତି । ପଣ୍ଡିତ ନୀଳକଣ୍ଠ ପ୍ରଶ୍ନକଲେ, ଆଉ କ'ଣ ପାରଳାଖେମୁଣ୍ଡି ଆଉ ଜୟପୁର ଜମିଦାରି ଆସି ପ୍ରସ୍ତାବିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସହିତ ମିଶିବ ନାହିଁ ? ମଧୁସୂଦନଙ୍କ ମୁଖ ମଣ୍ଡଳରେ ବିରାଜୁଥିଲା ଆତ୍ମପ୍ରତ୍ୟୟର ଅମ୍ଳାନଦୀପ୍ତି । ସେ ତତ୍‍କ୍ଷଣାତ୍‍ ଉତ୍ତର ଦେଲେ, ହେ ନୀଳକଣ୍ଠ, ତାହା ତ ନିଶ୍ଚୟ ମିଳିବ ଏଥିରେ ସନ୍ଦେହ ନାହିଁ, ମାତ୍ର ସ୍ୱତନ୍ତ୍ର ଓଡ଼ିଶାକୁ ପରିଚାଳିତ କରିବାପାଇଁ ଆବଶ୍ୟକ ସମର୍ପିତ ଆଉ ଉତ୍ସର୍ଗୀକୃତ ନେତୃପୁରୁଷ ଆଉ ମିଳିପାରିବେ ନାହିଁ ।

ଆମ ମଧୁସୂଦନ ୩୩୫