ପୃଷ୍ଠା:Aama Madhusudan.pdf/୩୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଛିକ୍ଷଣ ପରେ ନୀଳକଣ୍ଠ ପ୍ରଶ୍ନ କଲେ 'ଆପଣଙ୍କର ଓଡ଼ିଆ ଜାତି ପ୍ରତି ଅନ୍ତିମ ବାର୍ତ୍ତା କଅଣ ? ମଧୁସୂଦନଙ୍କର ମୁଖମଣ୍ଡଳ ଉଦ୍‍ଭାସିତ ହୋଇଗଲା ଅପୂର୍ବ ଦ୍ୟୁତିରେ । ଆଉ ସେ ଉଦ୍ଦୀପିତ କଣ୍ଠସ୍ୱରରେ ଉତ୍ତର ପ୍ରଦାନ କଲେ, ହେ ନୀଳକଣ୍ଠ ! ଦେଶବାସୀଙ୍କୁ ମୋର ବାର୍ତ୍ତା ଶୁଣାଅ, ଯେ ସେମାନେ ନିଜର ଅନ୍ତଃକରଣକୁ ସର୍ବଦା ଶୁଦ୍ଧ ଆଉ ନିର୍ମଳ ରଖନ୍ତୁ । ଅନ୍ତର ନିର୍ମଳ ରହିଲେ ବାହ୍ୟ ପ୍ରକୃତି ମଧ୍ୟ ସ୍ୱତଃ ନିର୍ମଳ ରହିବ ।" ଏହା ଥିଲା ଓଡ଼ିଆ ଜାତି ପ୍ରତି ମଧୁସୂଦନଙ୍କର ଅନ୍ତିମ ବାର୍ତ୍ତା । ତାଙ୍କ କଣ୍ଠ ସ୍ୱରର ପ୍ରଗାଢ଼ ଉଦ୍‍ବେଳନରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଆଲୋଚନା ଦୀର୍ଘ ସମୟ ଧରି ଚାଲିଲା । କ୍ରମେ ଭଦ୍ର ବ୍ୟକ୍ତିଗଣ ପ୍ରଣତି ଜଣାଇ ସେହି ସ୍ଥାନରୁ ଅପସରିଗଲେ ଆଉ ପଣ୍ଡିତ ନୀଳକଣ୍ଠ ଉପର ମହଲାର ମୁକ୍ତ ଛାତରେ ବସି ଗଭୀର ଚିନ୍ତାରେ ନିବିଷ୍ଟ ରହିଥାନ୍ତି ।
ସନ୍ଧ୍ୟା ଆଗତ ପ୍ରାୟ । ମଧୁସୂଦନ ଏକାକୀ ଶୟନ କକ୍ଷରେ ଶାୟିତ ରହିଥିଲେ । କେତେକ ଉଦୀୟମାନ ଛାତ୍ର ସେମାନଙ୍କ ଅଧ୍ୟାପକମାନଙ୍କ ସହିତ ଆସିଲେ । ମଧୁସୂଦନ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କଲେ । ଛାତ୍ରମାନେ ମଧୁସୂଦନଙ୍କ ଦୀର୍ଘ ଜୀବନ କାମନାକରି ଭକ୍ତିପୂର୍ଣ୍ଣ ପ୍ରାର୍ଥନା କଲେ । ପ୍ରାର୍ଥନା ପରେ ସେମାନେ ବିଦାୟ ନେବାପାଇଁ ପ୍ରସ୍ତୁତ ହେଲେ, ମାତ୍ର ଅନୁରୋଧ କଲେ କିଛି ବାର୍ତ୍ତାପାଇଁ । ମଧୁସୂଦନ ହଠାତ୍‍ ବିହ୍ୱଳିତ ହୋଇଉଠିଲେ । ତାଙ୍କ କଣ୍ଠରୁ ଉଚ୍ଚାରିତ ହେଲା, "ହଁ, ଏହିପରି ଜଣେ ଓଡ଼ିଆ ଥିଲା, ଯେ କି ଶାସନ ଶକ୍ତିକୁ ଆଦୌ ଭୟ କରି ନ ଥିଲା । ଆଉ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ନିଜର ନିର୍ଦ୍ଧାରିତ ମାର୍ଗରୁ ତିଳେ ମାତ୍ର ଘୁଞ୍ଚି ନ ଥିଲା । ସେ କେବଳ ନୀରବରେ ଈଶ୍ୱରଙ୍କର ସାହାଯ୍ୟକୁ ପ୍ରାର୍ଥନା କରିଥିଲା ।'
ଏହି ଉଦ୍‍ଘୋଷଣାରେ ଅପେକ୍ଷାରତ ନୀଳକଣ୍ଠଙ୍କ ସମେତ ମଧୁସ୍ମୃତିର ସମସ୍ତ ଅନ୍ତେବାସୀ ସ୍ତମ୍ଭୀଭୂତ ହୋଇଗଲେ । ଏହି ଦୁର୍ବାର ଘଟଣା ପ୍ରବାହ ମଧ୍ୟରେ ଫାଲ୍‍ଗୁନ କୃଷ୍ଣ ଦ୍ୱିତୀୟାର ଲୋହିତାଭ ଜହ୍ନ, ସନ୍ଧ୍ୟାର ଅନ୍ଧକାରକୁ ବିଦୀର୍ଣ୍ଣ କରି ମଧୁସ୍ମୃତିକୁ ବିଧୌତ କରୁଥିଲା । ମଧୁସୂଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଆଶୁ ଉନ୍ନତିର ସୂଚନାମାନ ପରିଲକ୍ଷିତ ହେଲା । ଆଉ ସମସ୍ତ ରାତିଟି ବିତି ଯାଇଥିଲା ଝଲସା ଜହ୍ନର ସ୍ୱନିରୂପିତ ଆବର୍ତ୍ତନ ମଧ୍ୟରେ ।
ଫେବ୍ରୁଆରି ଦୁଇ ତାରିଖ, ଫାଲ୍‍ଗୁନ କୃଷ୍ଣ ତୃତୀୟାର ତିଥି । ବିଳମ୍ବିତ ରାତିରେ ଚକ୍ରବାଳରୁ ଉଇଁ ଆସିଲା ରକ୍ତାଭ ଜହ୍ନ । କ୍ରମେ ତାହାର ପ୍ରଗାଢ଼ ଶୁଭ୍ର ଦ୍ୟୁତି ଅଜାଡ଼ି ହୋଇ ପଡ଼ିଲା ସର୍ବତ୍ର । ମଧୁସ୍ମୃତି ମଧ୍ୟ ଅବର୍ଣ୍ଣନୀୟ ଆଲୋକ ଜ୍ୟୋତିରେ ପଖାଳି ହୋଇଗଲା ଅପରୂପ ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ । ସାରା ରାତି ଆକାଶରେ ବୁଲି ବୁଲି ଶେଷରେ ପଶ୍ଚିମ ଆକାଶରେ ଅସ୍ତ ହୋଇଗଲା । ପାହାନ୍ତି ପ୍ରହରର ଘନ କୁହୁଡକୁ ଭେଦି ଉଇଁଲେ ସୂର୍ଯ୍ୟ । ରକ୍ତିମ ଛଟାରେ ପୂର୍ବ ଆକାଶ ଲାଲ୍‍ ରଙ୍ଗ ଧାରଣ କଲା । ମଧୁସୂଦନ ଉଠିବସିଥିଲେ ଶଯ୍ୟାଧାରରେ । ହାଡ଼ିବନ୍ଧୁ ଆସି ହୁକାଟି ସଜାଡ଼ି ଦେଇ ମଧୁସୂଦନଙ୍କୁ ଧରାଇଦେଲା । ପାଖରେ ବସିରହିଲା ହାଡ଼ିବନ୍ଧୁ । ପାଖ କୋଠରିରେ ଶୈଳବାଳା ବସି ହର୍ଲିକ୍ସ ତିଆରି କରୁଥିଲେ । ଚାମଚ୍‍ର ଶବ୍ଦ ବାରମ୍ବାର ଶୁଣାଯାଉଥିଲା । ମଧୁସୂଦନ କହିଲେ-

୩୩୬ ଆମ ମଧୁସୂଦନ