ପୃଷ୍ଠା:Aama Madhusudan.pdf/୩୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

 ମଧୁସୂଦନ ସେଇ ପଦର ରାହା ଧରି କହିଲେ,
"ହଉ ହଉ ଆରେ କାଉ
ମଲା ଉପରେ ଶଗଡ଼ ଯାଉ । "
ଟିକେ ପରେ ମଧୁସୂଦନଙ୍କ କଣ୍ଠରୁ ସ୍ୱତଃ ଉଚ୍ଚାରିତ ହେଲା-
"ଚଲୋ ମୁସାଫିର୍‍ ବାନ୍ଦ ଗଠରିଆ
ଦୁନିଆ ଦୌଲତ ରହେଗା ନେହିଁ
ତୁମ୍‍ ଭି ଯାଏଗା ହମ୍‍ଭି ଯାଏଗା
ଯାଏଗା ଦୁନିଆ ସାରା ।"


ସନ୍ଧ୍ୟା ଉତ୍ତୀର୍ଣ୍ଣ ହେଲାଣି । ଫାଲ୍‍ଗୁନ କୃଷ୍ଣ ତୃତୀୟାର ନିରନ୍ଧ୍ର ରଜନୀ । ମଧୁସୂଦନ ନିଜସ୍ୱ ପ୍ରାର୍ଥନାରେ ନିମଗ୍ନ ରହିଛନ୍ତି । ରାତ୍ରି ପ୍ରାୟ ସାଢେ଼ ଆଠଟା । ପୂର୍ବାକାଶର ଦିଗ୍‍ବଳୟରୁ ରକ୍ତାଭ ଜହ୍ନଟି ଉଦିତ ହେଲା । କ୍ରମେ ତାର ଅମ୍ଳାନ ଶୁଭ୍ର ଜ୍ୟୋତିରେ ମଧୁସ୍ମୃତିକୁ ବିଧୌତ କରିଦେଲା ।
ରାତ୍ରିକାଳୀନ ସେବାପାଇଁ ଆସି ପହଞ୍ଚିଛନ୍ତି ବସନ୍ତକୁମାରୀ, ରମାଦେବୀ, ସରଳା ଦେବୀ ପ୍ରମୁଖ ମହିଳା ସେବାଦାତ୍ରୀଙ୍କ ସହିତ ଚିନ୍ତାମଣି ଆଚାର୍ଯ୍ୟ, ଲକ୍ଷ୍ମୀଧର ମହାନ୍ତି, ବ୍ରଜ ସୁନ୍ଦର ଦାସ ପ୍ରମୁଖ ।
ଆଜି ରାତ୍ରି ଭୋଜନର ଦାୟିତ୍ୱ ଅର୍ପିତ ହୋଇଛି ରମାଦେବୀ, ସରଳା ଦେବୀ ଆଉ ବସନ୍ତକୁମାରୀଙ୍କ ଉପରେ । ହେଲେ ମଧୁସୂଦନ ଖାଦ୍ୟ ଗ୍ରହଣ କରିବାକୁ ନଛୋଡ଼ ବନ୍ଧା । ତିନି ଚାମୁଚ ହର୍ଲିକ୍ସ, ଦୁଇଖଣ୍ଡି ଅମୃତଭଣ୍ଡା ସିଝା ନେବାକୁ ପ୍ରାୟ ଘଣ୍ଟାଏ ବିତିଗଲା ।
ତଥାପି ମହିମାବନ୍ତ ରାତ୍ରିରେ ଜହ୍ନ ରାଜୁତି କରୁଛି ବିସ୍ତାରିତ ଆକାଶରେ ।
ଫେବ୍ରୁଆରି ତିନି ତାରିଖ, ଫାଲ୍‍ଗୁନ କୃଷ୍ଣ ଚତୁର୍ଥୀର ପାହାନ୍ତି ପ୍ରହର । ଜହ୍ନ ଆଲୁଅରେ ସୃଷ୍ଟି ହୋଇଥାଏ ଇନ୍ଦ୍ରଜାଲ । ଧୀରେ ଧୀରେ ଜ୍ୟୋତି ହରାଇ ଲୁଚିଗଲା ପଶ୍ଚିମ ଆକାଶରେ । ପୂର୍ବ ଦିଗରେ ନବୋଦିତ ସୂର୍ଯ୍ୟର ରକ୍ତିମ ଛଟା । ସକାଳଟି ଆନନ୍ଦମୟ ଥିଲା । ମଧୁସୂଦନଙ୍କର ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ସମସ୍ତେ ଭାବିନେଲେ ମଧୁସୂଦନ ଏଥର ଘାଟିରୁ ପାରି ହୋଇଗଲେ । ମାତ୍ର ସକାଳୁ ଯେତେବେଳେ ତାଙ୍କର ମୁହଁ ଧୁଆଗଲା ସେ କହିଲେ, "ଏବେ ନୁହେଁ, ମତେ ଯେତେବେଳେ କଫିନରେ ରଖିବ ସେତେବେଳେ ମୁହଁ ଧୋଇଦେବ ।"
ଏହା ସତ୍ତ୍ୱେ ତାଙ୍କର ଦୈନନ୍ଦିନ କର୍ମସୂଚୀ ନିର୍ଦ୍ଧାରିତ ରୀତିରେ ଚାଲିଥିଲା । ପୂର୍ବଭଳି କଣ୍ଡେଲ୍‍ ପାଲିତ୍‍ ମଧ୍ୟେ ମଧ୍ୟେ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିରୀକ୍ଷା କରୁଥାନ୍ତି । ହେଲେ ମଧୁସୂଦନ ମଧ୍ୟେ ମଧ୍ୟେ କହୁଥାନ୍ତି, "ଏତେ କଷ୍ଟରେ ବାପା, ଆଉ ସହିପାରୁ ନାହିଁ ।" ହେଲେ ସେଦିନ ମଧ୍ୟାହ୍ନରେ ୪ ଚାମଚ ଭାତ ଆଉ କିଛି ପରିବା ସିଝା ନେଇଥିଲେ ।

ଆମ ମଧୁସୂଦନ