ପୃଷ୍ଠା:Aama Madhusudan.pdf/୩୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଖ୍ୟାତ୍‍ ଭାଷାବିତ୍‍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏହିପରି ଥିଲା- "ହେ ମଧୁସୂଦନ !ଜାତି ପାଇଁ ଖରଚ କରି କାଙ୍ଗାଳ ହେଲ, ଓଡ଼ିଆ ଜାତିର ନାମ ଦେଲ । ଓଡ଼ିଆ ଜାତି ଜଗତରେ ବିଶିଷ୍ଟ ସ୍ଥାନ ପାଇ, ଓଡ଼ିଆମାନେ ସ୍ୱଦେଶ ବିଦେଶରେ ସମ୍ମାନ୍ନିତ ଆସନ ପାଆନ୍ତୁ, ଏଥିପାଇଁ ତୁମେ ବାଲି ମାଟି ମୁଠାମୁଠା ଫିଙ୍ଗିଲାଭଳି ଯେତେକ କମେଇଥିଲ ସେତକ ଗମେଇଲ । ପଥର ଭିକାରି ହେଲ, ବେମଗଦୁର ହେଲ, ତଥାପି ମୃତ୍ୟୁ ପର୍ଯ୍ୟନ୍ତ ନିଜର ଅର୍ଜନ ଛଡ଼ା, ନିଜର ଝାଳବୁହା କଉଡ଼ି ଛଡ଼ା ନିଜ ପେଟ ପୋଷିବା ପାଇଁ ଅନ୍ୟର ଖଇରାତି ବା ହାତଟେକା ଧନ କାହାଠାରୁ ଆଶା କରିନାହଁ । କାହାକୁ ମାଗିନାହଁ ଓ କାହାଠାରୁ ଗ୍ରହଣ କରିନାହଁ । ବ୍ୟାଙ୍କରେ ଥିବା ତୁମର ଶେଷ ପୁଞ୍ଜି ଆସି ସେଥିରେ ତୁମର ଅନ୍ତିମ ରୋଗର ଉପଚାରାଦିର ବ୍ୟୟ ଚଳିଅଛି ।"
ଶୈଳବାଳା ଆଉ ସୁଧାଂଶୁବାଳା ଚାଲି ଯାଇଛନ୍ତି ସେହି ନିର୍ଦ୍ଧାରିତ ସଭାକୁ । ପାଖରେ ବସି ରହିଛନ୍ତି ହାଡ଼ିବନ୍ଧୁ । ମଧୁସୂଦନଙ୍କ ମୁଖମଣ୍ଡଳରେ ବିରାଜୁଛି ଦୀର୍ଘ ଦୁଇଦିନ ଧରି ଉଦ୍‍ବେଳିତ ଜ୍ୟୋତିର ନିର୍ଲିପ୍ତ ତରଙ୍ଗ । ହେଲେ ସେଥିରେ ସଂଲଗ୍ନ ରହିଛି ନିବିଡ଼ ସୌମ୍ୟ ଆଉ ସ୍ନିଗ୍ଧତାର ଅପରୂପ ଝଲକ, ଯହିଁରେ ସ୍ତବ୍ଧ ପ୍ରଶାନ୍ତିର ପରିପ୍ରକାଶ ଅବର୍ଣ୍ଣନୀୟ ଥିଲା ।
ସେବା ପ୍ରଦାନ କରୁକରୁ ହାଡ଼ିବନ୍ଧୁ ପଚାରିଲେ, "ହେ, ବାବା ! ମତେ କ'ଣ କିଛି କହିବେ ନାହିଁ । କପର୍ଦ୍ଦକ ଶୂନ୍ୟ ମଧୁସୂଦନଙ୍କ ପାଖେ ଆଉ କଅଣ ବା ସଞ୍ଚିତ ଥିଲା ? ଯାହାକୁ ଅର୍ପଣ କରି ମଧୁସୂଦନ ହାଡ଼ିବନ୍ଧୁଙ୍କୁ କିଛି ଆସ୍ୱସ୍ତି ପ୍ରଦାନ କରିଥାନ୍ତେ! ହାଡ଼ିବନ୍ଧୁ କିନ୍ତୁ ତାହାର ପ୍ରତ୍ୟାଶାରେ ନଥିଲେ । ମଧୁସୂଦନ ନିଜର ହାତଟିକୁ ନେଇ ଆଶୀର୍ବାଦ ଭଂଗୀରେ ହାଡ଼ିବନ୍ଧୁଙ୍କ ମଥାରେ ଥୋଇ ସଂଚାଳିତ କରି ଚାଲିଲେ ଆଶିଷ ପ୍ରଦାନର ଉତ୍ତୁଙ୍ଗ ଅବଧାରଣା ରୂପେ । ସେହି ଧାରାର ପ୍ରବାହ ଅବାରିତ ଥିଲା । ହେଲେ ତାହା କ୍ରମଶଃ ତୀବ୍ରତା ହରାଇ ଶିଥିଳ ହୋଇଗଲା । ମଧୁସୂଦନ ଏହି ଅବକାଶରେ ଆହୁରି ନିର୍ଲିପ୍ତ, ନିରାସକ୍ତ ହୋଇଗଲେ । ପ୍ରଶ୍ନ ପଚାରିଲେ ଉତ୍ତର ପ୍ରଦାନ କରୁନଥିଲେ । ମାତ୍ର ଅଂଗଭଂଗୀରେ ସୂଚିତ କରୁଥିଲେ । ଶ୍ୱାସ ପ୍ରଶ୍ୱାସର ଗତି କ୍ରମେ ଅସ୍ୱାଭାବିକ ଆଉ ଧୀର ହୋଇଗଲା ।
ଏହି ସମୟର ମାତ୍ର ଘଣ୍ଟାକ ମଧ୍ୟରେ ଶୈଳବାଳା ଫେରି ଆସିଲେ ଆଉ ହାଡ଼ିବନ୍ଧୁ ଏହି ଅସ୍ୱାଭାବିକତା ସଂପର୍କରେ ତାଙ୍କୁ ଜଣାଇଲେ । ଶୈଳବାଳା ମଧୁସୂଦନଙ୍କୁ ପଚାରିଲେ,"ହେ ଦାଦା ! କ'ଣ ଭଲ ଲାଗୁନାହିଁ, କଷ୍ଟ ହେଉଛି କି ? ମଧୁସୂଦନ ଧୀର କଣ୍ଠ ସ୍ୱରରେ କହିଲେ, 'ନାହିଁ ।' ଶରୀରରେ ସାମାନ୍ୟ ମାତ୍ର ଯଂତ୍ରଣାର ସୂଚନା ନଥିଲା । ମୁଖମଣ୍ଡଳରେ ଶାନ୍ତିପ୍ରଦ ଆଶ୍ୱାସ ଆଉ ପ୍ରଶାନ୍ତିର ସ୍ନିଗ୍ଧଜ୍ୟୋତି ବିକୀରିତ ହେଉଥିଲା, ଯାହାର ଉଦ୍‍ଭାସ ଥିଲା ଅକଳ୍ପନୀୟ । ସେତେବେଳକୁ ଫାଲ୍‍ଗୁନ କୃଷ୍ଣ ଚତୁର୍ଥୀର ଜହ୍ନ ପ୍ରଗାଢ଼ ତିମିରର ଅବଗୁଣ୍ଠନ ହଟାଇ ରକ୍ତିମ ବର୍ଣ୍ଣର ଲହରୀରେ ଆବିର୍ଭୂତ ହେଲାଣି । କ୍ରମେ ମଧୁସ୍ମୃତିର ପରିସରଟି ବିଧୌତ ହୋଇଗଲା, ଅସରନ୍ତି ଆଲୋକର ପରିପ୍ରକାଶ ମଧ୍ୟରେ । ଏହି ସମୟରେ ଶୀତର ତୀବ୍ରତା ମଧ୍ୟ ଅଲଂଘ୍ୟନୀୟ ଥିଲା ।

ଆମ ମଧୁସୂଦନ ୩୪୧