ପୃଷ୍ଠା:Aama Madhusudan.pdf/୩୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫେବ୍ରୁଆରି ତିନି ତାରିଖର ବାରଟା ସମୟ ଅତିକ୍ରାନ୍ତ ହେଲାଣି । କ୍ରମାନ୍ୱୟରେ ପହଞ୍ଚିଲାଣି ଚାରି ତାରିଖର ରାତି ସାଢେ଼ ଗୋଟାଏ ସମୟ । ମଧ୍ୟ ଆକାଶରୁ ମେଘାଚ୍ଛନ୍ନ କୁହେଳି କେତେବେଳୁ ଅପସରି ଗଲାଣି । ନିର୍ମଳ ଚନ୍ଦ୍ର କିରଣ ଝରି ପଡ଼ୁଛି ଶୁଭ୍ରତାକୁ ବହନ କରି ଅବାରିତ ଭାବରେ ।
ହଁ, ସେହି ରାତ୍ରିର ସାଢେ଼ ଗୋଟାଏ ସମୟ । ସେବାରେ ଥିବା ଶୈଳବାଳା, ଚାମୁଚାଏ ମାତ୍ର ପାଣି ନେଇ ମଧୁସୂଦନଙ୍କ ତୁଣ୍ଡରେ ଦେଲେ, ଯାହା ଅତ୍ୟନ୍ତ ଅକ୍ଲେଶରେ ସେ ଗ୍ରହଣ କରିନେଲେ । ଏକାନ୍ତ ଜାଗରୁକତା ସହ ସହସା ତାଙ୍କର ଜ୍ୟୋତିସ୍ନାତ ମୁଖମଣ୍ଡଳ ପରିପ୍ଳୁତ ଆଉ ଉଦ୍‍ଭାସିତ ହୋଇଗଲା ସ୍ମିତ ହାସରେ । ତାଙ୍କର ଚକ୍ଷୁଯୁଗଳରେ ଦୋଳାୟିତ ହେଉଥିଲା ଅନିର୍ବାଣ ଜ୍ୟୋତି ଶିଖା । ଶୁଚିଶୁଭ୍ର ପବିତ୍ରତା ଆଉ ସ୍ତବ୍ଧ ପ୍ରସନ୍ନତାର ସ୍ୱର୍ଗୀୟ ଆଭାମୟ ଉତ୍ତାଳ ଦୀପ୍ତି ଆବରିତ କରିଥିଲା ସର୍ବାଙ୍ଗ ଶରୀରକୁ । ବାହାରେ ଚନ୍ଦ୍ର କିରଣର ଉଦ୍‍ବେଳିତ ଲହରୀମାଳା ଖେଳୁଥାଏ ମଧୁସ୍ମୃତିର ମହିମାନ୍ୱିତ ପରିସରରେ । ସର୍ବତ୍ର ଆଲୋକର ସମାରୋହ ଆଉ ବିଭାମୟ ଦୀପ୍ତିର ପରିପ୍ରସାର । ଠିକ୍‍ ରାତି ଗୋଟାଏ ପଞ୍ଚତିରିଶି ମିନିଟ୍‍ ସମୟ । ଅତନ୍ଦ୍ର ସଚେତନତା ଆଉ ନିର୍ଲିିପ୍ତ ଜାଗରୁକତା ମଧ୍ୟରେ ମଧୁସୂଦନଙ୍କର ମହାପ୍ରୟାଣ ଯାତ୍ରାର ଆରମ୍ଭହେଲା ଏକ ପର୍ଯ୍ୟାୟରୁ ଅନ୍ୟ ଏକ ପର୍ଯ୍ୟାୟର ଉର୍ଦ୍ଧ୍ୱାୟିତ ସ୍ତରକୁ, ସ୍ୱର୍ଗୀୟ ସାମ୍ରାଜ୍ୟର ଅନିର୍ବଚନୀୟ ସ୍ଥିତିକୁ ।
ମଧୁସୂଦନ କୌଣସି ସମୟରେ ଇଚ୍ଛା ପ୍ରକାଶ କରିଥିଲେ- ତାଙ୍କର ଉତ୍ସର୍ଗୀକୃତ ଜୀବନର ଏକାନ୍ତ ଅନୁପ୍ରେରଣାର ଆଗ୍ନେୟ ଉତ୍ସ-ସତୀପୀଠ (ତାଙ୍କ ପଣଜେଜୀମାଙ୍କର ସ୍ମୃତି କ୍ଷେତ୍ର)ରେ ତାଙ୍କର ସଂସ୍କାର ପାଇଁ । ସେ ବେଳର ସ୍ଥିତି ବଦଳି ଯାଇଥିଲା । ତାଙ୍କର ଭ୍ରାତୃଜାୟା ବସନ୍ତ କୁମାରୀଙ୍କର ଅଭିଳାଷ ଥିଲା ହିନ୍ଦୁରୀତିରେ ମଧୁସୂଦନଙ୍କର ମୃତପିଣ୍ଡକୁ ସତ୍କାର କରିବାପାଇଁ । ବହୁ ଆଲୋଚନା ପରେ ଲୋକାଚାର ପନ୍ଥାରେ ସ୍ଥିର ହେଲା ଯେ ତାଙ୍କର ପୁଣ୍ୟ ଶରୀରକୁ ସନ୍ଥ ସନ୍ନ୍ୟାସୀଙ୍କ ପବିତ୍ର ଶରୀର ପରି ଗୋରା କବରରେ ସମାଧିସ୍ଥ କରିବାପାଇଁ । ଏହାଥିଲା ସର୍ବସମ୍ମତ ଆଉ ସର୍ବଶ୍ରେଷ୍ଠ ସିଦ୍ଧାନ୍ତ ।
ତାହାଥିଲା ୧୯୩୪ ସାଲର ଫେବ୍ରୁଆରି ୪ ତାରିଖ, ଫାଲ୍‍ଗୁନ କୃଷ୍ଣ ପଞ୍ଚମୀର ତିଥି । ସେହି ଶୁଭ୍ରାଭ ଚନ୍ଦ୍ର କିରଣର ପରିପ୍ଳୁତ ରଜନୀରେ ରାତ୍ରି ଅବସାନ ହେବାର ବହୁପୂର୍ବରୁ ପ୍ରାତଃ ତିନିଘଣ୍ଟା ସମୟରେ ମଧୁସୂଦନଙ୍କର ପବିତ୍ର ଶରୀରକୁ ସ୍ନାନ ମାର୍ଜନା କରାଗଲା । ତିରୋଧାନ ପୂର୍ବରୁ ତାଙ୍କର ବାଣୀ ଥିଲା, "ଅନ୍ତରକୁ ପରିଷ୍କାର କର, ସ୍ୱତଃ ବାହାର ମଧ୍ୟ ପରିଷ୍କୃତ ହୋଇଯିବ ।" ଶୁଚିଶୁଭ୍ର ପବିତି୍ରତ ମଧୁସୂଦନଙ୍କ ଶରୀରରେ ହାତକଟା ସୂତାରେ ତିଆରି ଧୋତି ପଞ୍ଜାବୀ, ଆଉ ହାତକଟା ସୂତାରେ ତିଆରି ମୋଟା କୋଟ ପିନ୍ଧାଇ ଦିଆଗଲା ଶୀତକୁ ପ୍ରତିହତ କରିବାପାଇଁ, ଯାହାକୁ ପରିଧାନ କରି ସେ ଶୀତଋତୁରେ ସଭାସ୍ଥଳକୁ ଯାଉଥିଲେ । ଖଣ୍ଡପଡ଼ାର ହାତବୁଣା ଚାଦରକୁ ପରସ୍ତ ପରସ୍ତ ଭାଂଗି ବେକରେ ଥାପି ଦିଆଗଲା । ତାଙ୍କର ସୁକୁମାର କମନୀୟ ଶିଳ୍ପୀର ବୈଚିତ୍ର୍ୟ ବିମଣ୍ଡିତ କଳାପ୍ରାଣ ହସ୍ତ ଦୁଇଟି, ଯାହା ମହାତ୍ମାଗାନ୍ଧୀଙ୍କୁ ବାରମ୍ବାର ଆକର୍ଷିତ କରୁଥିଲା କଳାନୈପୁଣ୍ୟର ପରାକାଷ୍ଠାରେ, ସେହି ହସ୍ତ ଦୁଇଟିର କଳାନୈପୁଣ୍ୟ ସୃଜନଶୀଳ ଅଙ୍ଗୁଳିକୁ ଯୋଡ଼ ହସ୍ତ କରି ରଖାଯାଇଥିଲା ବିଦାୟକାଳୀନ ପ୍ରଣିପାତ ମୁଦ୍ରାରେ ସୁବିସ୍ତାରିତ ବକ୍ଷ

ଆମ ମଧୁସୂଦନ ୩୪୩